୧୯୯୭ରୁ ୨୦୨୦ । ରାଜ୍ୟ ରାଜନୀତିର ଅପରିଚିତ ଚେହେରାରୁ ଆକାଶଛୁଆଁ ଲୋକପ୍ରିୟତା, ବିରୋଧୀଙ୍କୁ ଚକମା ଦେଇ ଦୁଇ ଦଶନ୍ଧି ଧରି କ୍ଷମତାକେନ୍ଦ୍ରର ସାଜିଛନ୍ତି ବେତାଜ ବାଦଶାହା ।

Advertisment
୧୯୯୭ରୁ ୨୦୨୦ । ରାଜ୍ୟ ରାଜନୀତିର ଅପରିଚିତ ଚେହେରାରୁ ଆକାଶଛୁଆଁ ଲୋକପ୍ରିୟତା, ବିରୋଧୀଙ୍କୁ ଚକମା ଦେଇ ଦୁଇ ଦଶନ୍ଧି ଧରି କ୍ଷମତାକେନ୍ଦ୍ରର ସାଜିଛନ୍ତି ବେତାଜ ବାଦଶାହା ।

କନକ ବ୍ୟୁରୋ : ରାଜନୀତିରେ ପାଦ ଥାପିବାର ଆବିଳତା ନଥିଲା । କଳା ସଂସ୍କୃତି ସହ ନିଜକୁ ଜଡିତ କରି ଭିନ୍ନ ଏକ ଜୀବନଶୈଳୀ ଜିଇଁ ଆସୁଥିଲେ ନବୀନ । ପେଜ ଥ୍ରୀ ଲାଇଫରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ଥିଲା ତାଙ୍କ ପରିଚୟ । ଯାହା ଭିତରେ ଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ. ଏଫ. କେନେଡିଙ୍କ ପତ୍ନୀ ଜାକଲିନ କେନେଡି । ନବୀନଙ୍କ ରଚିତ ବହି ‘ଏ ସେକେଣ୍ଡ ପାରାଡାଇଜ’ ଓ ‘ଦି ଗାର୍ଡେନ ଅଫ ଲାଇଫ’ର ସଂପାଦନା କରିଥିଲେ ମିସେସ କେନେଡି । ଦିଲ୍ଲୀର ସୋସିଆଲ ସର୍କଲରେ ଭିନ୍ନ ଏକ ପରିଚୟ ସହ ମଧ୍ୟ ନବୀନ ଅନେକ ବର୍ଷ କାଟିଛନ୍ତି । ରାଜନୀତିକୁ ଆସିବା ଆଗରୁ ଦିଲ୍ଲୀରେ ସେ ଏକ ବୁଟିକ୍ ଖୋଲିଥିଲେ, ଯାହାର ଗ୍ରାହକ ଥିଲେ ବିଶ୍ୱର ଖ୍ୟାତିସଂପର୍ଣ୍ଣ ରକବ୍ୟାଣ୍ଡ ଦି ବିଟିଲ୍ସ ।

ରାଜନୀତି ପାଇଁ ତିଳେମାତ୍ର ଆଗ୍ରହ ରଖିନଥିବା ଜଣେ ବ୍ୟକ୍ତି ଯେ ବିଜୁ ଲିଗାସୀକୁ ଆଗକୁ ନେଇ ଜଣେ ଅଭିଜ୍ଞ ଓ ଲଢୁଆ ସେନାପତି ଭାବେ ଅନେକ ଚାଣକ୍ୟଙ୍କ ରଣନୀତିକୁ ମାତ୍ ଦେବେ, ବୋଧହୁଏ ଏହି ଆକଳନ କେହି କରିନଥିବେ । ମହାବାତ୍ୟାର ବିଫଳ ମୁକାବିଲାର ଅପବାଦରୁ ଆରମ୍ଭ ହୋଇଥିବା ସରକାର ଦୁଇ ଦଶନ୍ଧିରେ ସାରା ବିଶ୍ୱ ସାମ୍ନାରେ ଉଦାହରଣ ହୋଇ ଠିଆ ହୋଇଛି । ବିପର୍ଯ୍ୟୟ ମୁକାବିଲାରୁ ଆରମ୍ଭ କରି ଏକାଧିକ ବିକାଶ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ହୋଇଛି ଅନୁକରଣୀୟ ।

ପ୍ରତିଷ୍ଠା, ପ୍ରଭାବ, ସଫଳତା, ଗ୍ରହଣୀୟତା ଆଉ ଲୋକପ୍ରିୟତାରେ ବାପା ବିଜୁ ପଟ୍ଟନାୟକ ଥିଲେ ଅଦ୍ୱିତୀୟ । ହେଲେ ରାଜନୀତି ବାବଦରେ ନା କେବେ ଆଲୋଚନା ନା କିଛି ଗୁରୁମନ୍ତ୍ର । ଆକ୍ସିଡେଂଟାଲ ଚିଫମିନିଷ୍ଟର ନବୀନ ପଟ୍ଟନାୟକ ଆଜି ବିଜୁ ଲିଗାସୀର କ୍ଷୁଦ୍ର ଜଳବିନ୍ଦୁକୁ ଓଡିଶା ରାଜନୀତିର ମୁଖ୍ୟସ୍ରୋତରେ ପରିଣତ କରିଛନ୍ତି ।

ଦୁଇ ଦଶନ୍ଧିରେ ରାଜନୀତିର ହାୱା ବଦଳାଇଛନ୍ତି ନବୀନ । ନେତୃତ୍ୱର ନିଆରାପଣ ଜରିଆରେ ଜିତିଛନ୍ତି ଲୋକଙ୍କ ବିଶ୍ୱାସ । ନିନ୍ଦୁକ-ପ୍ରଶଂସକ, ପ୍ରତିପକ୍ଷ-ସମର୍ଥକ, କେହି ବି ସ୍ୱୀକାର କରିବାକୁ ଦ୍ୱିଧା କରିବେ ନାହିଁ ଯେ ନବୀନ ପଟ୍ଟନାୟକଙ୍କ ରାଜନୈତିକ ମୁଖ୍ୟସ୍ରୋତର କୂଳରେ ହିଁ ଘୁରି ବୁଲୁଛି ରାଜନୀତିର କ୍ରୀଡାଙ୍ଗନ ଯେଉଁଠି ବିଜୁ ଲିଗାସୀର ଏକ ନମ୍ବର ଧ୍ୱଜାଧାରୀ, ଏକ ନମ୍ବର ରାଜନୈତିକ ଦଳର ଏକ ନମ୍ବର ନେତାଙ୍କ ଉପରେ ସବୁକିଛି ନିର୍ଭରଶୀଳ ।

ବର୍ତମାନ ସମୟରେ ନବୀନ ନିବାସ- ଓଡିଶା ରାଜନୀତିର ପ୍ରଥମ ଆଉ ଶେଷ ଠିକଣା । ରାଜନୀତି ହେଉ କି ଶାସନ ସୁପ୍ରିମୋଙ୍କ କର୍ତୃତ୍ୱର ବ୍ୟାପକତା ଓ ନିରଙ୍କଶୁତାର ପ୍ରମାଣ ହେଲା ସ୍ତାବକ, ସମାଲୋଚକଙ୍କ ଠାରୁ ଆରମ୍ଭ କରି କ୍ଷମତା ଅଳିନ୍ଦର ସବୁ ସ୍ତର ଆଉ ରାଜନୀତିର ଖଟିରେ ଗୋଟିଏ ଚର୍ଚ୍ଚା ତୃତୀୟ ମହଲା । ଯେଉଁଠୁ ମୁଖ୍ୟମନ୍ତ୍ରୀ ନିଅନ୍ତି ସେହି ସମସ୍ତ ନିଷ୍ପତି, ଯାହା ରାଜ୍ୟର ସାମୁହିକ ବିକାଶ କ୍ଷେତ୍ରର ପ୍ରେରଣା ହୋଇ ରହୁଛି ।

ଜାତୀୟ ରାଜନୀତିର ଟ୍ରେଣ୍ଡ ବଦଳାଇ ଦେଶର ରାଜନୀତିକୁ ନୂଆ ମୋଡ ଦେଇଥିବା ରାଜନୈତିକ ନେତାଙ୍କ ଭିତରେ ଆଜି ବି ନବୀନଙ୍କ ନାଁ ଗଣାଯାଉଛି । ରାଜନୀତିର ଅନଭିଜ୍ଞ ଗଳିରୁ ଚାଲିବା ଆରମ୍ଭ କରିଥିବା ନେତା ବିଗତ ଦୁଇ ଦଶକର ରାଜନୀତିରେ ନିଜ କ୍ଷୀପ୍ର ଆରୋହଣ ବଳରେ ବିଜୁ ଲିଗାସୀର ଧ୍ୱଜାଧାରୀଙ୍କ ସ୍ୱପ୍ନକୁ ଭାଙ୍ଗିବା ସହ ରାଜନୈତିକ ଶତ୍ରୁ ମାନଙ୍କୁ କ୍ଷମତା ଅଳିନ୍ଦରୁ ବାହାରେ ରଖିବାରେ ସମର୍ଥ ହୋଇଛନ୍ତି ।

ନିଜ ରାଜନୈତିକ ଉଚାକାଂକ୍ଷା ହାସଲ କରିବାକୁ ସ୍ୱପ୍ନ ଦେଖୁଥିବା ତଥା ରାଜନୈତିକ ସ୍ରୋତର ଭାଗ୍ୟନିୟନ୍ତା ହେବାକୁ ଲକ୍ଷ୍ୟ ରଖିଥିବା ନେତା ଆଜି ନବୀନଙ୍କ ରାଜନୈତିକ ମୁଖ୍ୟସ୍ରୋତ ନିକଟରେ ନାହାନ୍ତି । ଦୁଇ ଦଶକରେ ବୋଧହୁଏ ଗୋଟିଏ ବି ସାମ୍ବାଦିକ ସମ୍ମିଳନୀ କରିନଥିବା ତଥା ମିଡିଆରେ ଖୁବ କମ୍ କହୁଥିବା ଲୋକଟିଏ ନବୀନ ପଟ୍ଟନାୟକ । ପ୍ରତିଦ୍ୱନ୍ଦ୍ୱୀଙ୍କ ଆଡକୁ କଡା ଶଦ୍ଦଟିଏ ପ୍ରୟୋଗ ନକରିବା ତାଙ୍କ ଗୋଟିଚାଳନାର ସବୁଠାରୁ ବଡ ଅସ୍ତ୍ର । ଆଉ ଯାହାକୁ ଜାତୀୟ ରାଜନୀତିର ନେତା ମଧ୍ୟ ଆପଣାଇଛନ୍ତି । କଥା ନୁହେଁ କାମରେ ବିଶ୍ୱାସର ମନ୍ତ୍ରକୁ ବେଶ ଭଲ ଭାବେ ବୁଝିଛନ୍ତି । ଆଉ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ନିଜେ ଜବାବ ଦେବା ବଦଳରେ ସବୁକିଛି ଭୋଟରଙ୍କ ଉପରେ ଛାଡି ଦେଇଛନ୍ତି । ଯାହା ରାଜ୍ୟବାସୀଙ୍କ ଅଜସ୍ର ଆଶୀର୍ବାଦ ଆକାରରେ ନବୀନଙ୍କୁ ବାରମ୍ବାର ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe