ଘରୋଇ ହସ୍ପିଟାଲରେ ଟୀକା ପାଇଁ କେତେ ଟଙ୍କା ଦେବେ, ନିଷ୍ପତ୍ତି ନେବେ କେନ୍ଦ୍ର ସରକାର ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା ।

99

କନକ ବ୍ୟୁରୋ: ରାଜ୍ୟର ଘରୋଇ ହସ୍ପିଟାଲରେ ତୃତୀୟ ପର୍ଯ୍ୟାୟ ଟିକାକରଣକୁ ନେଇ ଦ୍ୱନ୍ଦ୍ୱ ବଢିଛି । ଆୟୁଷ୍ମାନ ଯୋଜନାରେ ସାମିଲ ଘରୋଇ ହସ୍ପିଟାଲଗୁଡିକରେ କରୋନା ଟିକାକେନ୍ଦ୍ର କରିବାକୁ କେନ୍ଦ୍ର ସରକାର ତାଲିକା କରିଛନ୍ତି । ଏପଟେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହୋଇନଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏନେଇ ପ୍ରତିକ୍ରିୟା ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଅଧିନରେ ଥିବା ୧୮୩ଟି ହସ୍ପିଟାଲକୁ ଟିକାକରଣରେ ସାମିଲ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏନେଇ ଆଜି ହୋଇଥିବା ବୈଠକରେ ମଧ୍ୟ ଆଲୋଚନା ହୋଇଛି ।

ସରକାରୀ ହସ୍ପିଟାଲରେ ଟିକା ମାଗଣାରେ ମିଳିବ ଓ ଘରୋଇ ହସ୍ପିଟାଲରେ କିଛି ଅର୍ଥ ଦେବାକୁ ପଡିବ । ଟିକା ପାଇଁ କେତେ ଟଙ୍କା ଦେବାକୁ ହେବ ସେ ନିଷ୍ପତି କେନ୍ଦ୍ର ସରକାର ନେବେ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଭ୍ୟାକ୍ସିନ ମହଜୁଦ ରହିଛି । ଆହୁରି କିଛି ଟିକା ଆଜି ଆସିବାକୁ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ମାର୍ଚ୍ଚ ୧ରୁ ଆରମ୍ଭ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣରେ ବୟସ୍କ ଓ ଗୁରୁତର ରୋଗୀଙ୍କୁ ଟିକା ଦିଆଯିବ । ଏଥିପାଇଁ ଦୁଇଟି ଉପାୟରେ ପଞ୍ଜିକରଣ କରାଯିବ । ପୋର୍ଟାଲରେ ଓ ଟିକାକରଣ କେନ୍ଦ୍ରରେ ମଧ୍ୟ ପଞ୍ଜିକରଣ କରି ଟିକା ନେଇପାରିବେ ବୟସ୍କ ଓ ଗୁରୁତର ରୋଗୀ । ତେବେ ସେମାନେ ଗୁରୁତର ରୋଗରେ ପୀଡିତ ଥିବା ନେଇ ଏକ ଡାକ୍ତରୀ ସାର୍ଟିଫିକେଟ ଦେବାକୁ ପଡିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।