କନକ ବ୍ୟୁରୋ : ଗୋଟିଏ ପଟେ ଓମିକ୍ରନକୁ ନେଇ ଚିନ୍ତା ବଢୁଥିବା ବେଳେ କରୋନା ଗାଇଡଲାଇନ ମାନିବାକୁ ସରକାର ବାରମ୍ବାର ଅପିଲ କରୁଛନ୍ତି । ଯେପରିକି ମାସ୍କ ପିନ୍ଧିବା, ହାତ ସାନିଟାଇଜ କରିବା ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେବାକୁ ସରକାର ପରାମର୍ଶ ଦେଉଛନ୍ତି । ଏପରିକି ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ଲୋକଙ୍କୁ ମାସ୍କ ଓ ସାନିଟାଇଜର ଦିଆଯାଉଛି । କରୋନାର ଦୁଇଟି ଲହର ସମୟରେ ସରକାର ଏଭଳି ପଦକ୍ଷେପ ନେଇଥିଲେ । ଏପରିକି ଚଳିତବର୍ଷ ମଧ୍ୟ କୋଭିଡ-୧୯ର ସଫଳ ମୁକାବିଲା ପାଇଁ ମାସ୍କ, ସାନିଟାଇଜର, ଗ୍ଲୋବ୍ସ, ଭେଣ୍ଟିଲେଟର ଓ ପିପିଇ କିଟ୍ ଇତ୍ୟାଦି କିଣାଯିବା ସହ ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଯୋଗାଇ ଦିଆଯାଇଛି । ଆଉ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରାଯାଇଛି ତାହା ଜାଣିବାକୁ ଚାହିଁଥିଲେ ବିଜେପି ବିଧାୟିକା କୁସୁମ ଟେଟେ ।
ଆଉ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । କୋଭିଡ ସାମଗ୍ରୀ କିଣିବା ବାବଦକୁ ୧୩ କୋଟି ୮୫ ଲକ୍ଷ ୮୦ ହଜାର ୯୧୨ ଟଙ୍କା ଖର୍ଚ୍ଚ ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଯେଉଁଥିରେ ୬,୧.୫୫୮ଟି ସାନିଟାଇଜର ପାଇଁ ୧୨୮,୧୯,୬୭୩ ଟଙ୍କା ଖର୍ଚ୍ଚ ହୋଇଛି । ସେହିଭଳି ମାସ୍କ ପାଇ ୧,୯୫,୭୦,୦୬୫ ଟଙ୍କା, ୧୬,୨୩,୩୦୦ ଡିସପୋଜେବଲ ଗ୍ଲୋବ୍ସ ପାଇଁ ୧୫୭,୪୬,୧୨୯ ଟଙ୍କା, ୮୨,୪୫,୮୭୦ ଅପରେସନ ଗ୍ଲୋବ୍ସ ପାଇଁ ୧୧୨,୧୯,୩୭୭ ଟଙ୍କା, ୭,୦୦,୬୦୦ ଚଷମା ପାଇଁ ୧୨୭,୯୯,୯୯୯ ଟଙ୍କା, ୭,୬୮,୧୦୦ ପିପିଇ କିଟ୍ ପାଇଁ ୫୮୯,୬୦,୪୨୬ ଟଙ୍କା, ୭,୬୯,୫୮୦ଟି ଫେସ୍ ସିଲ୍ଡ ପାଇଁ ୭୪, ୬୫,୨୪୩ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର ।