ବାଜପେୟୀଙ୍କ ସମ୍ପତିର ଉତ୍ତରାଧିକାରୀ ହେବ କିଏ ? କାହାକୁ ମିଳିବ ଅଟଳଙ୍କ ପୂରା ସମ୍ପତି

109

୯୩ ବର୍ଷ ବୟସରେ ଲିଭିଯାଇଛି ଭାରତୀୟ ରାଜନୀତିର ଧ୍ରୁବତାରା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନଦୀପ । ଗୁରବାର ସନ୍ଧ୍ୟା ୫ଟା ୫ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଦେଶର ଜନପ୍ରିୟ ନେତା ବାଜପେୟୀ । ୯୩ ବର୍ଷୀୟ ବାଜପେୟୀ ଦୀର୍ଘ ଦିନ ଧରି ରୋଗାଗ୍ରସ୍ତ ଥିଲେ ଓ ୨୦୦୯ ମସିହାରେ ହ୍ୱିଲ ଚେୟାରରେ ଯିବା ଆସିବା କରୁଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କର ବାପା ପଣ୍ଡିତ କୃଷ୍ଣବିହାରୀ ବାଜପେୟୀ ଶିକ୍ଷକ ଥିବା ବେଳେ ମା କୃଷ୍ଣା ଦେବୀ ଗୃହଣୀ ଥିଲେ ।

ଅଟଳଜୀଙ୍କ ପରିବାର କହିଲେ ବାପା ଓ ମାଙ୍କ ଛଡା ତିନି ବଡ ଭାଇ ଓ ତିନି ଭଉଣୀ । କିନ୍ତୁ ବାଜପେୟୀ ଆଜୀବନ ଅବିବାହିତ ଥିଲେ । ନା ଥିଲେ ସ୍ତ୍ରୀ ନା ଥିଲା ସନ୍ତାନ । ତେବେ ୧୯୯୮ ମସିହାରେ ଯେତେବେଳେ ୭ ରେସକୋର୍ସ ରୋଡରେ ରହିବାକୁୁ ଅଟଳ ବିହାରୀ ବାଜପେୟୀ ପହଞ୍ଚିଥିଲେ ସେତେବେଳେ ସାଥୀରେ ଥିଲେ ତାଙ୍କର ଘନିଷ୍ଠ ବନ୍ଧୁ ରାଜକୁମାରୀ କୌଲଙ୍କ ପୋଷ୍ୟ କନ୍ୟା ନମିତା ଓ ତାଙ୍କ ସ୍ୱାମୀ ରଞ୍ଜନ ଭଟାଚାର୍ଯ୍ୟ । ଯେତେବେଳେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ରାଜକୁମାରୀ କୌଲଙ୍କୁ ତାଙ୍କର ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣେ ବୋଲି ଦର୍ଶାଯାଇଥିଲା ।

୨୦୦୪ ମସିହା ଲୋକସଭା ନିର୍ବାଚନରେ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ସତ୍ୟପାଠରେ ମୋଟ ୩୦ ଲକ୍ଷ ୯୯ ହଜାର ୨୩୨ ଟଙ୍କା ୪୧ ପଇସା ଥିବା ଦର୍ଶାଯାଇଥିଲା । ଏହାଛଡା ପୂର୍ବ ପ୍ରଧାନମନ୍ତ୍ରୀଙ୍କ ମାସିକ ପେନସନ ହିସାବରେ ୨୦୦୦୦ ଓ କାର୍ଯ୍ୟାଳୟ ଖର୍ଚ୍ଚ ପାଇଁ ୬୦୦୦ ଟଙ୍କା ମିଳୁଥିଲା । ଯଦି ବାଜପେୟୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତି କଥା କହିବା ତେବେ ୨୦୦୪ ସତ୍ୟପାଠ ଅନୁଯାୟୀ, ତାଙ୍କର ଦିଲ୍ଲୀରେ ଇଷ୍ଟ ଅଫ୍ କୈଳାସରେ ୫୦୯ ନମ୍ବର ପ୍ଲଟ ଥିଲା । ଆଉ ସେତେବେଳେ ଏହାର ଦାମ ପାଖାପାଖି ୨୨ ଲକ୍ଷ ଟଙ୍କା ଥିଲା । ସେହିଭଳି ତାଙ୍କର ପୈତୃକ ଘରର ମୂଲ୍ୟ ୨୦୦୪ ସମୟରେ ୬ ଲକ୍ଷ ଟଙ୍କା ରହିଥିଲା । ଅଥାର୍ତ ୨୦୦୪ ସତ୍ୟପାଠ ଅନୁଯାୟୀ ଅଟଳଙ୍କର ମୋଟ ୨୮ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତି ରହିଛି ।

ତେବେ ଏସବୁ ଭିତରେ ଏହି ସମ୍ପତିର ଉତ୍ତରାଧିକାରୀ କିଏ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ୨୦୦୫ରେ ସଂଶୋଧିତ ହୋଇଥିବା ହିନ୍ଦୁ ଉତ୍ତରାଧିକାରୀ ଆଇନ ଅନୁଯାୟୀ ଏହି ସମ୍ପତିର ଉତ୍ତରାଧିକାରୀ ପୋଷ୍ୟ ପୁତ୍ରୀ ନମିତା ଓ ଜ୍ୱାଇଁ ରଞ୍ଜନ ଭଟ୍ଟାଚାର୍ଯ୍ୟଙ୍କୁ ମିଳିବାର ସମ୍ଭାବନା ରହିଛି ।