ଜଗନ୍ନାଥଙ୍କ ଭଣ୍ଡାରରେ ଅଛି କେତେ ସୁନା ? ସରକାର ଦେଲେ ତାଲିକା, ଜାଣନ୍ତୁ ପୁରା ହିସାବ ।

123

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ଲୋକଲୋଚନକୁ ଆସିବା ପରଠାରୁ ବିବାଦରେ ଅଛନ୍ତି ରାଜ୍ୟ ସରକାର । ତେଣୁ ରତ୍ନଭଣ୍ଡାରରେ ପ୍ରକୃତରେ ଶ୍ରୀଜୀଉଙ୍କ କେତେ ମୁଲ୍ୟବାନ ସମ୍ପତି ଅଛି ତାହାକୁ ନେଇ ବିରୋଧୀ ପ୍ରଶ୍ନ କରୁଥିବାବେଳେ ଏହାକୁ ନେଇ ତଥ୍ୟ ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର । ଏନେଇ ଗତକାଲି ବିଧାନସଭାରେ ଲିଖିତ ତଥ୍ୟ ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ରହସ୍ୟକୁ ନେଇ ଅନେକ ଅଲୌକିକ କଥା ଶୁଣିବାକୁ ମିଳିଥାଏ। ରତ୍ନଭଣ୍ଡାରରେ ସୁନା, ରୂପା, ମୋତି, ମାଣିକ ଓ ବହୁ ମୂଲ୍ୟବାନ ଅଳଙ୍କାର ରହିଛି ବୋଲି ଲୋକଙ୍କର ମତ। ମହାପ୍ରଭୁ ଜଗନ୍ନାଥ ଅମାପ ସମ୍ପତ୍ତିର ଅଧିକାରୀ। ହେଲେ କେତେ ସମ୍ପତ୍ତିର ଅଧିକାରୀ ମହାପ୍ରଭୁ ଜଗନ୍ନାଥ ? ଏହାର ହିସାବ ଦେଇଛନ୍ତି ସରକାର।

ratna bhnadar୪୦ ବର୍ଷ ତଳେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଜଗନ୍ନାଥଙ୍କର ସମ୍ପତ୍ତି କେତେ ଥିଲା, ତାର ହିସାବ ଦେଇଛନ୍ତି ସରକାର। ଆଇନମନ୍ତ୍ରୀଙ୍କ ସୂଚନା ମୁତାବକ ୧୯୭୮ ମସିହାରେ ଭିତର ଓ ବାହାର ରତ୍ନଭଣ୍ଡାରରେ ରଖାଯାଇଥିବା ମୂଲ୍ୟବାନ ଅଳଙ୍କାର ପରିମାଣ ହେଉଛି ୧୨ ହଜାର ୮୩୧ ଭରି ୧ ଅଣା ସୁନା ଅଳଙ୍କାର, ଅର୍ଥାତ୍ ୧୨୮ କେଜି ୩୧୦ ଗ୍ରାମ। ବର୍ତ୍ତମାନ ଏହାର ଆନୁମାନିକ ମୂଲ୍ୟ ୩୮ କୋଟି ୫୦ ଲକ୍ଷରୁ ଅଧିକ। ଏହାସହ ରହିଛି ଅନେକ ମୂଲ୍ୟବାନ ପଥର। ସେହିଭଳି ରୁପାବାସନ, ପୂଜାସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ରହିଛି ୨୨ହଜାର ୧୫୩ ଭରି। ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୯୬ ଲକ୍ଷ। ଏହାଛଡା ବିଭିନ୍ନ କାରଣରୁ ୧୪ ଗୋଟି ସୁନା ଓ ରୂପା ଜିନିଷ ଓଜନ ହୋଇପାରିନାହିଁ। ତେଣୁ ଏହାକୁ ହିସାବରେ ସାମିଲ କରାଯାଇନାହିଁ।

ଏହାସହ ୧୯୮୩ ମସିହା ଶ୍ରୀମନ୍ଦିରରେ ହୁଣ୍ଡି ସ୍ଥାପନ ହେବାପରଠାରୁ ଯେତେ ପରିମାଣର ସୁନା ଏବଂ ଦାନ ଅର୍ଥ ମିଳିଛିି ତାହାର ହିସାବ ମଧ୍ୟ ଦେଇଛନ୍ତି ରାଜ୍ୟ ସରକାର । ତେବେ ହୁଣ୍ଡି ସ୍ଥାପନଠାରୁ ଗତ ଅଗଷ୍ଟ ୩୧ ସୁଦ୍ଧା ମହାପ୍ରଭୁଙ୍କୁ ମିଳିଛି ୧୮ କେଜି ୭୭୪. ୪୧ ମିଲିଗ୍ରାମ୍ ସୁନା । ସେହିପରି ୧୯୮୩ ମସିହା ପରଠାରୁ ୨୦୧୮ ଜୁଲାଇ ପର୍ଯ୍ୟନ୍ତ ମୋଟ୍ ୭୦ କୋଟି ୬୭ ଲକ୍ଷ ୯୨ ହଜାର ୭୭୫ ଟଙ୍କା ହୁଣ୍ଡିରୁ ଦାନ ଅର୍ଥ ମିଳିଛି ବୋଲି ଉତ୍ତର ରଖିଛନ୍ତି ଆଇନମନ୍ତ୍ରୀ ।

ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ୧୯୭୮ ମସିହାରେ ରତ୍ନଭଣ୍ଡାରର ଭିତର ଓ ବାହାରେ ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ କରାଯାଇଥିଲା। ଏହି ସମୟରେ ରତ୍ନଭଣ୍ଡାରରେ ଯେଉଁ କିସମର ଜିନିଷ ସବୁ ଥିଲା ତାର ପରିମାଣ ଦର୍ଶାଇଛନ୍ତି ସରକାର। ତେବେ ଏହି ତାଲିକା ପ୍ରସ୍ତୁତ କରାଯିବାବେଳେ ମୂଲ୍ୟାୟନ କରାଯାଇଥିବାର ରେକର୍ଡ ଉପଲବ୍ଧ ନାହିଁ । ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାରର ରହସ୍ୟକୁ ନେଇ ଅନେକ କାଳ୍ପନିକ ଓ ଅଲୌକିକ କାହାଣୀ ଲୋକଲୋଚନରେ ଶୁଣିବାକୁ ମିଳିଥାଏ। ରତ୍ନଭଣ୍ଡାରର ତୃତୀୟ ଓ ଚତୁର୍ଥ ଘରେ ହିଁ ସୁନା,ରୂପା, ମୋତି, ମାଣିକ ଓ ମୂଲ୍ୟବାନ ଅଳଙ୍କାର ରହିଛି ବୋଲି ଲୋକଙ୍କ ମତ।