ଗତ ୫ ବର୍ଷରେ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି କେତେ ଟଙ୍କା? ହିସାବ ଦେଲେ ସରକାର, ଏଯାଏଁ କିଛି ବିଦେଶ ଗସ୍ତର ମିଳିନାହିଁ ବିଲ୍ ।

261

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି କେତେ ଟଙ୍କା? ଗତ ୫ ବର୍ଷ ମଧ୍ୟରେ ମୋଦି କେତେ ଦିନ ବିଦେଶରେ ରହିଛନ୍ତି ଓ ଏହି ସମୟରେ ବିଦେଶ ରାଷ୍ଟ୍ର ସହ କେତୋଟି ଚୁକ୍ତି କରାଯାଇଛି । ଏଭଳି କିଛି ପ୍ରଶ୍ନ ଲୋକସଭାରେ ଉଠାଇଥିଲେ କଂଗ୍ରେସ ସାଂସଦ ଭିନସେଣ୍ଟ ଏଚ୍ ପାଲା । ଆଉ ଗୃହରେ ଏହାର ଉତ୍ତର ରଖିଛନ୍ତି ବିଦେଶ ରାଜ୍ୟ ମନ୍ତ୍ରୀ ବି ମୁରଲୀଧରନ ।

ଗତ ୫ ବର୍ଷରେ ମୋଦିଙ୍କ ପୂରା ବିଦେଶ ଗସ୍ତର ତଥ୍ୟ ଲୋକସଭାରେ ରଖିଛନ୍ତି ବି ମୁରଲୀଧରନ । ଗତ ୫ ବର୍ଷ ମଧ୍ୟରେ ମୋଦିଙ୍କ ବିଦେଶ ଗସ୍ତ ଖର୍ଚ୍ଚ ବାବଦକୁ ୪୫୭୨୫୮୨୩୫୦ ଟଙ୍କା ଖର୍ଚ୍ଚ ହୋଇଛି । ଆଉ ଏହି ସମୟ ମଧ୍ୟରେ ୧୯୨ ଦିନ ବିଦେଶରେ ରହିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ବିଦେଶ ରାଷ୍ଟ୍ର ସହ ବିଭିନ୍ନ ପ୍ରସଙ୍ଗରେ ୪୭୧ଟି ଚୁକ୍ତି ସ୍ୱାକ୍ଷରିତ କରାଯାଇଛି । ତେବେ ୨୦୧୯ରେ ମୋଦିଙ୍କ ବିଦେଶ ଗସ୍ତ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ବିଲ୍ ଏଯାଏଁ ମିଳିପାରିନାହିଁ । କିନ୍ତୁ ଏହି ସମୟରେ ମୋଦି ୫ଟି ବିଦେଶ ରାଷ୍ଟ୍ର ଗସ୍ତ କରିବା ସହ ମୋଟ ୨୭ଟି ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି ।

୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦି ୨୩ଟି ଦେଶ ଗସ୍ତ କରିବା ସହ ମୋଟ ୪୭ ଦିନ ବିଦେଶରେ ରହିଥିଲେ । ଆଉ ଏହି ସମୟ ମଧ୍ୟରେ ୧୩୮ଟି ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ବେଳେ ୮୦.୫୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିଭଳି ୨୦୧୭ରେ ମୋଦି ୧୪ଟି ଦେଶ ଗସ୍ତରେ ଯାଇଥିବା ବେଳେ ୫୫ଟି ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି । ଆଉ ଏହି ସମୟରେ ୭୬.୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

୨୦୧୬ରେ ୧୯ଟି ଦେଶ ଗସ୍ତରେ ଯିବା ସହ ମୋଟ ୨୮ ଦିନ ବିଦେଶରେ ରହିଥିଲେ ମୋଦି । ଆଉ ଏହି ସମୟରେ ୬୨ଟି ଚୁକ୍ତି ସ୍ୱାକ୍ଷରିତ କରାଯାଇଥିବା ବେଳେ ବିଦେଶ ଗସ୍ତ ଖର୍ଚ୍ଚ ବାବଦକୁ ୭୮.୩୯ କୋଟି ଟଙ୍କା ଖର୍ଚ୍ଚ କରିଥିଲେ କେନ୍ଦ୍ର ସରକାର । ସେହିଭଳି ୨୦୧୫ରେ ମୋଦି ୨୮ଟି ବିଦେଶ ରାଷ୍ଟ୍ର ଗସ୍ତ କରିବା ସହ ୧୭୫ଟି ଚୁକ୍ତି କରିଥିଲେ । ଆଉ ମୋଦିଙ୍କ ଏହି ବାର୍ଷିକ ବିଦେଶ ଗସ୍ତରେ ୧୩୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହାଛଡା ୨୦୧୪ରେ ମୋଦି ୧୦ଟି ଦେଶ ଗସ୍ତ କରିଥିବା ବେଳେ ଏଥିପାଇଁ ଖର୍ଚ୍ଚ ହୋଇଥିଲା ୮୩.୬୫ କୋଟିରୁ ଅଧିକ ଟଙ୍କା । ତେବେ କୌଣସି କାରଣରୁ କିଛି ଗସ୍ତର ହଟଲାଇନ ବିଲ ଏଯାଏଁ ମିଳିପାରିନାହିଁ ବୋଲି କହିଛନ୍ତି ମୁରଲୀଧରନ ।