କ୍ୱିଣ୍ଟାଲ ପିଛା ଧାନ ପାଇଁ ଚାଷୀ ଖର୍ଚ୍ଚ କରେ କେତେ ପାଏ କେତେ? ରାଜ୍ୟ ସରକାର ଦେଲେ ଟିକନିକି ହିସାବ

Advertisment
କ୍ୱିଣ୍ଟାଲ ପିଛା ଧାନ ପାଇଁ ଚାଷୀ ଖର୍ଚ୍ଚ କରେ କେତେ ପାଏ କେତେ? ରାଜ୍ୟ ସରକାର ଦେଲେ ଟିକନିକି ହିସାବ

କନକ ବ୍ୟୁରୋ : ଧାନ ଚାଷ ପାଇଁ ଚାଷୀ କେତେ ଖର୍ଚ୍ଚ କରେ । ଆଉ ଅମଳ ଫସଲକୁ କେତେ ଟଙ୍କାରେ ବିକ୍ରି କରେ । କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ । କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଟିକିନିଖି ହିସାବ ଦେଇ କହିଛନ୍ତି କୁଂଇଟାଲ ପିଛା ୨୩ ଶହ ୪୪ ଟଙ୍କା ଖର୍ଚ୍ଚ କରେ ରାଜ୍ୟର ଚାଷୀ । ତେଣୁ ମାତ୍ର ୨୦୦ ଟଙ୍କା ବୃଦ୍ଧି କରି ଲକ୍ଷ ଲକ୍ଷ ଚାଷୀଙ୍କୁ ମୋଦି ସରକାର ପ୍ରତାରିତ କରିଥିବା କହିଛନ୍ତି ମହାରଥୀ । ପୁଣି ଥରେ ଧାନ ସହାୟକ ମୂଲ୍ୟକୁ ୨୯ ଶହ ୩୦ ଟଙ୍କାକୁ ବଢାଇବା ପାଇଁ ଦାବି କରିଛନ୍ତି । ସେପଟେ ବିଜେପି କହିଛି ବାକି ଅର୍ଥ ଭରଣା କରୁ ରାଜ୍ୟ ।

publive-imageରାଜ୍ୟ ସରକାରଙ୍କ ହିସାବ ଉପରେ ଯଦି ନଜର ପକାଇବା ତେବେ ଏକ ହେକ୍ଟର ଜମିରେ ଧାନ ଚାଷ କରିବାକୁ ହେଲେ ଜଣେ ଚାଷୀକୁ ମଣିଷ, ମେସିନ ଓ ବଳଦ ଶ୍ରମ ବାବଦରେ ଖର୍ଚ୍ଚ କରିବାକୁ ପଡେ ୫୪,୧୦୦ ଟଙ୍କା । ୭୫ କିଲୋ ବିହନ ବାବଦରେ ଖର୍ଚ୍ଚ ୧୯୩୫ ଟଙ୍କା । ସାର ଓ ଖତ ଖର୍ଚ୍ଚ ୮,୨୭୦ ଟଙ୍କା । କୀଟନାଶକ ବାବଦରେ ୧,୮୦୦ ଟଙ୍କା । ପରିଚାଳନା ଓ ମେଣ୍ଟେନାନ୍ସ ଖର୍ଚ୍ଚ ୭,୮୦୮ ଟଙ୍କା । ଜମି ବାବଦ ଭଡ଼ା, ସୁଧ ଓ ଅନ୍ୟାନ୍ୟ ଖର୍ଚ୍ଚ ୧୩,୯୭୯ ଟଙ୍କା । ଏହି ହିସାବରେ ଏକ ହେକ୍ଟର ଜମିରେ ମୋଟ ଖର୍ଚ୍ଚ ହୁଏ ୮୭, ୮୯୨ ଟଙ୍କା । ସେଥିରୁ ଉତ୍ପାଦିତ ହୁଏ ୩୬ କ୍ୱିଂଟାଲ ଧାନ ଓ ୩୫ କ୍ୱିଂଟାଲ ଛଣ । ୩,୫୦୦ ଟଙ୍କାର ଛଣକୁ ବାଦ ଦେଲେ ୩୫ କ୍ୱଂଟାଲ ଧାନ ପାଇଁ ବ୍ୟୟ କରିବାକୁ ପଡ଼େ ୮୪,୩୯୨ ଟଙ୍କା । ଅର୍ଥାତ କ୍ୱିଂଟାଲ ପ୍ରତି ଚାଷୀର ଖର୍ଚ୍ଚ ୨୩୪୪ ଟଙ୍କା ।

publive-imageରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ କ୍ୱିଂଟାଲ ଧାନ ଅମଳ ପାଇଁ ୨୩୪୪ ଟଙ୍କା ଖର୍ଚ୍ଚ କରିଥାନ୍ତି ଓଡିଶାର ଚାଷୀ । ଏହି ଆଧାରରେ ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୱିଂଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଆସିଛି । ହେଲେ କେନ୍ଦ୍ର ସରକାରଙ୍କ ହିସାବ ହେଉଛି କୁଇଂଟାଲ ଧାନ ଅମଳ ପାଇଁ ଖର୍ଚ୍ଚ ହୁଏ ୧୧୬୬ ଟଙ୍କା । ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପରେ ରାଜ୍ୟ ବିଜେପି କେନ୍ଦ୍ର ସରକାରଙ୍କୁ ପ୍ରଶଂସାରେ ପୋତି ପକାଉଥିବା ବେଳେ ବିଜେଡି ଓ କଂଗ୍ରେସ ଏହାକୁ କଡ଼ା ସମାଲୋଚନା କରିଛି । ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ମୋଦି ସରକାର ପ୍ରତାରିତ କରିଥିବା କହିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ । କୁଇଂଟାଲ୍ ପିଛା ୧୧୬୬ ଟଙ୍କା ଖର୍ଚ୍ଚ ହେଉଥିବା ନେଇ କେନ୍ଦ୍ର ସରକାର କେଉଁଠୁ ତଥ୍ୟ ପାଇଲେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ମହାରଥୀ । ମହାରଥୀ କହିଛନ୍ତି, ଏନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ପୁଣି ଥରେ ସେ ଚିଠି ଲେଖିବେ । ମହାରଥୀ କହିଛନ୍ତି, ଆଗକୁ ମଧ୍ୟପ୍ରଦେଶ ଓ ହରିୟାଣାରେ ନିର୍ବାଚନ ଥିବାରୁ ସେମାନଙ୍କୁ ସୁହାଇଲା ଭଳି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କାରଣ ଉଭୟ ରାଜ୍ୟରେ ବିଜେପି ସରକାର ରହିଛି । ଏହାଛଡ଼ା କଂଗ୍ରେସ କହିଛି, ୨୦୦ ଟଙ୍କା ଦେଇ ଚାଷୀଙ୍କୁ ଲଲିପପ ଦେଉଛନ୍ତି କେନ୍ଦ୍ର ସରକାର । ଯାହାର ଜବାବ ବିଚ ରାସ୍ତାରେ ଦିଆଯିବ ।

ଚାଷୀଙ୍କ ଆୟ ଦୁଇ ଗୁଣା ଓ ଉତ୍ପ।।ଦନ ଖର୍ଚର ଦେଢ ଗୁଣା ଲାଭ ନେଇ ଘୋଷଣା କରିଥିବା ମୋଦି ସରକାର, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ ଗତକାଲି ବୃଦ୍ଧି କରିଛନ୍ତି । କୁଇଂଟାଲ୍ ପିଛା ଧାନର ଏମଏସପି ୧୫ଶହ ୫୦ ଟଙ୍କାରୁ ବଢାଇ ୧୭ଶହ ୫୦ ଟଙ୍କା କରିଛନ୍ତି । ହେଲେ ଓଡ଼ିଶା ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ଦାବି କରିଆସୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe