କ୍ୱିଣ୍ଟାଲ ପିଛା ଧାନ ପାଇଁ ଚାଷୀ ଖର୍ଚ୍ଚ କରେ କେତେ ପାଏ କେତେ? ରାଜ୍ୟ ସରକାର ଦେଲେ ଟିକନିକି ହିସାବ

74

କନକ ବ୍ୟୁରୋ : ଧାନ ଚାଷ ପାଇଁ ଚାଷୀ କେତେ ଖର୍ଚ୍ଚ କରେ । ଆଉ ଅମଳ ଫସଲକୁ କେତେ ଟଙ୍କାରେ ବିକ୍ରି କରେ । କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ । କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଟିକିନିଖି ହିସାବ ଦେଇ କହିଛନ୍ତି କୁଂଇଟାଲ ପିଛା ୨୩ ଶହ ୪୪ ଟଙ୍କା ଖର୍ଚ୍ଚ କରେ ରାଜ୍ୟର ଚାଷୀ । ତେଣୁ ମାତ୍ର ୨୦୦ ଟଙ୍କା ବୃଦ୍ଧି କରି ଲକ୍ଷ ଲକ୍ଷ ଚାଷୀଙ୍କୁ ମୋଦି ସରକାର ପ୍ରତାରିତ କରିଥିବା କହିଛନ୍ତି ମହାରଥୀ । ପୁଣି ଥରେ ଧାନ ସହାୟକ ମୂଲ୍ୟକୁ ୨୯ ଶହ ୩୦ ଟଙ୍କାକୁ ବଢାଇବା ପାଇଁ ଦାବି କରିଛନ୍ତି । ସେପଟେ ବିଜେପି କହିଛି ବାକି ଅର୍ଥ ଭରଣା କରୁ ରାଜ୍ୟ ।

ରାଜ୍ୟ ସରକାରଙ୍କ ହିସାବ ଉପରେ ଯଦି ନଜର ପକାଇବା ତେବେ ଏକ ହେକ୍ଟର ଜମିରେ ଧାନ ଚାଷ କରିବାକୁ ହେଲେ ଜଣେ ଚାଷୀକୁ ମଣିଷ, ମେସିନ ଓ ବଳଦ ଶ୍ରମ ବାବଦରେ ଖର୍ଚ୍ଚ କରିବାକୁ ପଡେ ୫୪,୧୦୦ ଟଙ୍କା । ୭୫ କିଲୋ ବିହନ ବାବଦରେ ଖର୍ଚ୍ଚ ୧୯୩୫ ଟଙ୍କା । ସାର ଓ ଖତ ଖର୍ଚ୍ଚ ୮,୨୭୦ ଟଙ୍କା । କୀଟନାଶକ ବାବଦରେ ୧,୮୦୦ ଟଙ୍କା । ପରିଚାଳନା ଓ ମେଣ୍ଟେନାନ୍ସ ଖର୍ଚ୍ଚ ୭,୮୦୮ ଟଙ୍କା । ଜମି ବାବଦ ଭଡ଼ା, ସୁଧ ଓ ଅନ୍ୟାନ୍ୟ ଖର୍ଚ୍ଚ ୧୩,୯୭୯ ଟଙ୍କା । ଏହି ହିସାବରେ ଏକ ହେକ୍ଟର ଜମିରେ ମୋଟ ଖର୍ଚ୍ଚ ହୁଏ ୮୭, ୮୯୨ ଟଙ୍କା । ସେଥିରୁ ଉତ୍ପାଦିତ ହୁଏ ୩୬ କ୍ୱିଂଟାଲ ଧାନ ଓ ୩୫ କ୍ୱିଂଟାଲ ଛଣ । ୩,୫୦୦ ଟଙ୍କାର ଛଣକୁ ବାଦ ଦେଲେ ୩୫ କ୍ୱଂଟାଲ ଧାନ ପାଇଁ ବ୍ୟୟ କରିବାକୁ ପଡ଼େ ୮୪,୩୯୨ ଟଙ୍କା । ଅର୍ଥାତ କ୍ୱିଂଟାଲ ପ୍ରତି ଚାଷୀର ଖର୍ଚ୍ଚ ୨୩୪୪ ଟଙ୍କା ।

ରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ କ୍ୱିଂଟାଲ ଧାନ ଅମଳ ପାଇଁ ୨୩୪୪ ଟଙ୍କା ଖର୍ଚ୍ଚ କରିଥାନ୍ତି ଓଡିଶାର ଚାଷୀ । ଏହି ଆଧାରରେ ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୱିଂଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଆସିଛି । ହେଲେ କେନ୍ଦ୍ର ସରକାରଙ୍କ ହିସାବ ହେଉଛି କୁଇଂଟାଲ ଧାନ ଅମଳ ପାଇଁ ଖର୍ଚ୍ଚ ହୁଏ ୧୧୬୬ ଟଙ୍କା । ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପରେ ରାଜ୍ୟ ବିଜେପି କେନ୍ଦ୍ର ସରକାରଙ୍କୁ ପ୍ରଶଂସାରେ ପୋତି ପକାଉଥିବା ବେଳେ ବିଜେଡି ଓ କଂଗ୍ରେସ ଏହାକୁ କଡ଼ା ସମାଲୋଚନା କରିଛି । ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ମୋଦି ସରକାର ପ୍ରତାରିତ କରିଥିବା କହିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ । କୁଇଂଟାଲ୍ ପିଛା ୧୧୬୬ ଟଙ୍କା ଖର୍ଚ୍ଚ ହେଉଥିବା ନେଇ କେନ୍ଦ୍ର ସରକାର କେଉଁଠୁ ତଥ୍ୟ ପାଇଲେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ମହାରଥୀ । ମହାରଥୀ କହିଛନ୍ତି, ଏନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ପୁଣି ଥରେ ସେ ଚିଠି ଲେଖିବେ । ମହାରଥୀ କହିଛନ୍ତି, ଆଗକୁ ମଧ୍ୟପ୍ରଦେଶ ଓ ହରିୟାଣାରେ ନିର୍ବାଚନ ଥିବାରୁ ସେମାନଙ୍କୁ ସୁହାଇଲା ଭଳି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କାରଣ ଉଭୟ ରାଜ୍ୟରେ ବିଜେପି ସରକାର ରହିଛି । ଏହାଛଡ଼ା କଂଗ୍ରେସ କହିଛି, ୨୦୦ ଟଙ୍କା ଦେଇ ଚାଷୀଙ୍କୁ ଲଲିପପ ଦେଉଛନ୍ତି କେନ୍ଦ୍ର ସରକାର । ଯାହାର ଜବାବ ବିଚ ରାସ୍ତାରେ ଦିଆଯିବ ।

ଚାଷୀଙ୍କ ଆୟ ଦୁଇ ଗୁଣା ଓ ଉତ୍ପ।।ଦନ ଖର୍ଚର ଦେଢ ଗୁଣା ଲାଭ ନେଇ ଘୋଷଣା କରିଥିବା ମୋଦି ସରକାର, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ ଗତକାଲି ବୃଦ୍ଧି କରିଛନ୍ତି । କୁଇଂଟାଲ୍ ପିଛା ଧାନର ଏମଏସପି ୧୫ଶହ ୫୦ ଟଙ୍କାରୁ ବଢାଇ ୧୭ଶହ ୫୦ ଟଙ୍କା କରିଛନ୍ତି । ହେଲେ ଓଡ଼ିଶା ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ଦାବି କରିଆସୁଛି ।