ବ୍ୟାଙ୍କ ବୁଡିଗଲେ କଣ ହେବ ଆପଣଙ୍କ ସଂଚିତ ଅର୍ଥ, ଜାଣନ୍ତୁ ଦୁଇଟି ବ୍ୟାଙ୍କରେ ଆକାଉଣ୍ଟ ଥିଲେ କଣ ହେବ ?

321

କନକ ବ୍ୟୁରୋ : ଦେଶରେ କିଛିଦିନ ହେବ ଅନେକ ବ୍ୟାଙ୍କର ଆର୍ଥିକ ସ୍ଥିତି ଠିକ ନଥିବା କଥା ଗଣମାଧ୍ୟମରେ ପ୍ରକାଶ ପାଉଛି । ଏହାସହ କିଛି ଛୋଟ ଛୋଟ ବ୍ୟାଙ୍କ ମଧ୍ୟ ବୁଡି ଯାଇଛି । ଏସବୁ ଭିତରେ ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ କି ଯଦି ଆପଣ କାରବାର କରୁଥିବା ବ୍ୟାଙ୍କ ବୁଡିଯାଏ ବା ଦେବାଳିଆ ହୋଇଯାଏ ତେବେ ଆପଣ କେତେ ଟଙ୍କା ଫେରି ପାଇବେ ।

ଭାରତୀୟ ରିଜର୍ଭ ବ୍ୟାଙ୍କର ପୁରୁଣା ନିୟମ ମୁତାବକ ଯଦି ଆପଣ କାରବାର କରୁଥିବା ବ୍ୟାଙ୍କ ଦେବାଳିଆ ହୋଇଯାଏ କିମ୍ବା ବୁଡିଯାଏ ତେବେ ଆପଣଙ୍କୁ ସର୍ବାଧିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫେରସ୍ତ ମିଳିବା ନେଇ ପ୍ରାବଧାନ ଥିଲା । ହେଲେ ୨୦୨୧ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଡିପୋଜିଟ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍ ଗ୍ୟାରେଣ୍ଟି ଆକ୍ଟର ସଂଶୋଧନ ପ୍ରସ୍ତାବ ଦେଇଥିଲେ । ଏହାପରେ ଏହା ଆଇନରେ ପରିଣତ ହୋଇଥିଲା ।

ଏହି ନୂଆ ଆଇନ ଲାଗୁ ହେବା ପରେ ଯଦି କୌଣସି ବ୍ୟାଙ୍କ ବୁଡି ଯାଉଛି କିମ୍ବା ଦେବାଳିଆ ହୋଇଯାଉଛି ତେବେ ଜଣେ ଗ୍ରାହକ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫେରସ୍ତ ପାଇପାରିବ । ଦୀର୍ଘ ୨୮ ବର୍ଷ ପରେ ସରକାର ଏହି ବୀମାରାଶିକୁ ବୃଦ୍ଧି କରିଛନ୍ତି ।

ଏଭଳି ପରିବର୍ତ୍ତନ ପରେ ଆପଣ ଭାବୁଥିବେ ଯେ ବ୍ୟାଙ୍କ ଲିକ୍ୱିଡେସନ ପ୍ରକ୍ରିୟାକୁ ଯିବା ପରେ ଆପଣ ଆପଣଙ୍କ ଜମାରାଶି ପାଇଁ କ୍ଲେମ୍ କରିପାରିବେ । ହେଲେ ନୂଆ ନିୟମ ମୁତାବକ ଯଦି ବ୍ୟାଙ୍କ ତାର କାରବାର ସ୍ଥଗିତ କରିଦେଲା ତେବେ ଆପଣ ଆପଣଙ୍କ ଜମାରାଶି ପାଇଁ ମଧ୍ୟ କ୍ଲେମ କରିପାରିବେ ।

ସେପଟେ ଯଦି ଆପଣଙ୍କର ଦୁଇଟି ବ୍ୟାଙ୍କରେ ଆକାଉଣ୍ଟ ଥିବା ଓ ସେଥିମଧ୍ୟରୁ ଗୋଟିଏ ବ୍ୟାଙ୍କ ବୁଡିଗଲେ ଆପଣଙ୍କୁ କଣ ମିଳିବ ବୋଲି ମନରେ ପ୍ରଶ୍ନ ଉଠିପାରେ । ଏଭଳି କ୍ଷେତ୍ରରେ ଡିଆଇସିଜିସି ଆପଣଙ୍କ ବୀମା ରାଶିକୁ ଏକ ଭିନ୍ନ ତରିକାରେ ଗଣନା କରିବ । ଏଥିରେ ଉଭୟ ବ୍ୟାଙ୍କରେ ଆପଣଙ୍କର ଥିବା ସଂଚୟ ରାଶି ଉପରେ ବୀମାଧାରକଙ୍କୁ ତାଙ୍କର ଅର୍ଥ ପୈଠ କରାଯିବ ।