କରୋନା ମୁକାବିଲା : ରାଜ୍ୟକୁ କେତେ ଟଙ୍କା ଦେଇଛି କେନ୍ଦ୍ର?

179

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ୧୦୪୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ନେଇ ଗୃହରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତେବେ କରୋନା ସ୍ଥିତିର ମୁକାବିଲା ପାଇଁ ୨୦୨୦ ଓ ୨୦୨୧ ଆର୍ଥିକ ବର୍ଷରେ ସରକାର କେନ୍ଦ୍ର ନିକଟରେ କେତେ ଟଙ୍କା ଦାବି କରିଥିଲେ ଓ ଏ ବାବଦକୁ କେନ୍ଦ୍ରରୁ କେତେ ଟଙ୍କା ମିଳିଛି । ବିଧାୟକ ମୌଷଧୀ ବାଗଙ୍କ ଏହି ପ୍ରଶ୍ନର ଉତ୍ତର ଗୃହରେ ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଗୃହରେ ଅର୍ଥମନ୍ତ୍ରୀ ଦେଇଥିବା ଉତ୍ତରରେ କହିଛନ୍ତି, କୋଭିଡ ଜନିତ ସମସ୍ୟାର ପରିଚାଳନା ନିମନ୍ତେ ୨୦୨୦-୨୧ ଆର୍ଥିକ ବର୍ଷରେ ସ୍ୱତନ୍ତ୍ର ଭାବେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଯୋଜନା ଅଧୀନରେ ୧୪୬ କୋଟି ୪୪ ଲକ୍ଷ ଟଙ୍କା ଓ ୨୦୨୧-୨୨ ଆର୍ଥିକ ବର୍ଷର ଜୁଲାଇ ମାସ ଶେଷ ସୁଦ୍ଧା ଇସିଆରପି ଯୋଜନାରେ ୨୫୮ କୋଟି ୫୯ ଲକ୍ଷ ଟଙ୍କା ଦେଇଛି କେନ୍ଦ୍ର ।

ତେବେ ଆଗୁଆ କୋଭିଡ ପରିଚାଳନା ନିମନ୍ତେ ସରକାର ନିଜସ୍ୱ ସମ୍ବଳ ଖଟାଇ ଅନେକଗୁଡିଏ ପଦକ୍ଷେପ ନେଇ ସଫଳତାର ସହ କୋଭିଡ ମୁକାବିଲା କରିପାରିଛନ୍ତି । ଏହାସହ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ତଥା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ଜରିଆରେ ଉଭୟ କେନ୍ଦ୍ର ଓ ରାଜ୍ୟ ଅଂଶକୁ ମିଶାଇ କୋଭିଡ ମୁକାବିଲା କରାଯାଉଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।