ଓଡିଶା ମ୍ୟୁନିସିପାଲ ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ କରିପାରିବେ ପ୍ରାର୍ଥୀ, ନିର୍ବାଚନ କମିଶନ ଘୋଷଣା କଲେ ଖର୍ଚ୍ଚ ବିବରଣୀ

ଓଡିଶା ମ୍ୟୁନିସିପାଲ ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ କରିପାରିବେ ପ୍ରାର୍ଥୀ, ନିର୍ବାଚନ କମିଶନ ଘୋଷଣା କଲେ ଖର୍ଚ୍ଚ ବିବରଣୀ

କନକ ବ୍ୟୁରୋ : ଓଡିଶା ମ୍ୟୁନିସିପାଲ ନିୟମ ୧୯୫୦ ର ଧାରା ୧୭(କ) ଓ ଓଡିଶା ପୌର ନିର୍ବାଚନ ୨୦୦୩ର ଧାରା ୮୨ ଅନୁଯାୟୀ ପ୍ରତ୍ୟେକ ପ୍ରାର୍ଥୀ ମନୋନିତ ହେବା ଠାରୁ ନିର୍ବାଚନ ଫଳାଫଳ ଘୋଷଣା ତାରିଖ ପର୍ଯ୍ୟନ୍ତ ନିଜେ କିମ୍ବା ନିଜର ପ୍ରାଧିକୃତ ବ୍ୟକ୍ତି ଦ୍ୱାରା କେତେ ଟଙ୍କା ଖର୍ଚ୍ଚ କରିପାରିବେ ତାହାର ଏକ ତାଲିକା ଘୋଷଣା କରାଯାଇଛି ।

ନିର୍ବାଚନ କମିଶନର ଘୋଷଣା ମୁତାବକ ୫୦ ହଜାର ଜନସଂଖ୍ୟା ଥିବା ପୌର ପରିଷଦରେ ଜଣେ କାଉନସିଲର କିମ୍ବା କର୍ପୋରେଟର ୫୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ଓ ଚେୟାରମ୍ୟାନ କିମ୍ବା ମେୟର ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ସେହିଭଳି ୫୦ ହଜାରରୁ ୧ ଲକ୍ଷ ଜନସଂଖ୍ୟା ବିଶିଷ୍ଠ ପୌର ପରିଷଦରେ କାଉନସିଲର କିମ୍ବା କର୍ପୋରେଟର ୭୫ ହଜାର ଟଙ୍କା ଖର୍ଚ୍ଚ କରିପାରିବାର ସୀମା ନିର୍ଦ୍ଧାରଣ କରାଯାଇଥିବା ବେଳେ ସମାନ କ୍ଷେତ୍ରରେ ଜଣେ ଚେୟାରମ୍ୟାନ କିମ୍ବା ମେୟର ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ଏହାସହ ୧ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଠ ପୌର ପରିଷଦରେ ଜଣେ କାଉନସିଲର କିମ୍ବା କର୍ପୋରେଟର ନିର୍ବାଚନରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ଓ ସମାନ କ୍ଷେତ୍ରରେ ଜଣେ ଚେୟାରମ୍ୟାନ ବା କର୍ପୋରେଟର ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ଯଦି ପୌର ନିଗମ ହୋଇଥାଏ ତେବେ କାଉନସିଲର ବା କର୍ପୋରେଟଙ୍କ ପାଇଁ ସର୍ବାଧିକ ଖର୍ଚ୍ଚ ସୀମା ୨ ଲକ୍ଷ ରହିଥିବା ବେଳେ ଚେୟାରମ୍ୟାନ ବା ମେୟରଙ୍କ ପାଇଁ ୧୨ ଲକ୍ଷ ଟଙ୍କାର ସର୍ବାଧିକ ଖର୍ଚ୍ଚ ସୀମା ଧାର୍ଯ୍ୟ କରାଯାଇଛି ।

ୱାର୍ଡ ଗୁଡିକର ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ : ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ୧୦୭ ଟି ପୌର ପରିଷଦ ଓ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ପୌର ନିଗମର ୱାର୍ଡ ଗୁଡିକର ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି । ୧୦୭ ଟି ପୌର ପରିଷଦର ମୋଟ ୱାର୍ଡ ସଂଖ୍ୟା ୧୭୬୩ ଟି ଓ ୩ ଟି ପୌର ନିଗମର ୱାର୍ଡ ସଂଖ୍ୟା ୧୬୮ ଟି । ଏହା ବ୍ୟତୀତ ସରକାର ମଧ୍ୟ ୧୦୭ ଟି ପୌର ପରିଷଦର ଚେୟାରମ୍ୟାନ ଓ ୩ ଟି ପୌର ନିଗମର ମେୟର ପଦ ପାଇଁ ସଂରକ୍ଷଣ ତାଲିକା ଅଧିସୂଚିତ କରିଛନ୍ତି ।

ଚେୟାରମ୍ୟାନ ଓ ମେୟର ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ : ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଚେୟାରମ୍ୟାନ ଓ ମେୟର ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ସକାଶେ ଓଡିଶା ମ୍ୟୁନିସପାଲ ଆଇନ ୧୯୫୦ ଓ ଓଡିଶା ମ୍ୟୁନିସିପାଲ କର୍ପୋରେସନ ଆଇ ୨୦୦୩ ର ଆବଶ୍ୟକ ସଂଶୋଧନ କରିଛନ୍ତି । କାଉନସିଲର ଓ କର୍ପୋରେଟର ନିର୍ବାଚନ ସହିତ ଚେୟାରମ୍ୟାନ ଓ ମେୟର ନିର୍ବାଚନ ମଧ୍ୟ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ଭାବେ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe