କନକ ବ୍ୟୁରୋ: କରୋନା ସମୟରେ ରାଜ୍ୟକୁ ଫେରିଥିଲେ କେତେଜଣ ପ୍ରବାସୀ ଶ୍ରମିକ ? ବିଧାନସଭାରେ ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ପ୍ରଶ୍ନ, ଆଉ ସୌମ୍ୟଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ସେ କହିଛନ୍ତି କି, କରୋନା କାଳରେ ରାଜ୍ୟକୁ ଫେରିଥିଲେ ୧୦ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ । ଗତ ବର୍ଷ ମାର୍ଚ୍ଚ ମାସରୁ ଅକ୍ଟୋବର ମଧ୍ୟରେ ରାଜ୍ୟକୁ ୧୦ ଲକ୍ଷ ୭ହଜାର ୩ଶହ ୩୦ଜଣ ପ୍ରବାସୀ ଫେରିଥିଲେ ।
ସବୁଠାରୁ ବଡ଼କଥା ହେଲା, ଜୀବିକା ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇଦେଇଥିଲେ ସରକାର । ୨୦୨୦ ଅଗଷ୍ଟ ସୁଦ୍ଧା ୬ଲକ୍ଷ ୭୩ହଜାର ୭୯ଜଣ ପ୍ରବାସୀ ଶ୍ରମିକଙ୍କୁ ୧୩୪ କୋଟି ୬୨ ଲକ୍ଷ ଟଙ୍କାର ସହାୟତା ଦିଆଯାଇଛି ।
ସେହିପରି ଶ୍ରମିକମାନଙ୍କ ଜୀବିକା ନିରାପତ୍ତା ନିମନ୍ତେ ମନରେଗା ଓ ମିସନ ଶକ୍ତି ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଯଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗ ଉନ୍ନୟନ ବିଭାଗ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଇତ୍ୟାଦି ଅଧୀନରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ମାଧ୍ୟମରେ କୋଭିଡ-୧୯ ସ୍ଵତନ୍ତ୍ର ଆର୍ଥିକ ପ୍ୟାକେଜକୁ କାର୍ଯ୍ୟକାରୀ କରାଯାଉଛି ବୋଲି ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି।
ଏଥିସହିତ ସରକାର କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିଳ୍ପ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ନିର୍ମାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଇତ୍ୟାଦି ବିଭାଗରେ ପ୍ରଚଳିତ ଯୋଜନା ଓ କାର୍ଯ୍ୟକ୍ରମ ଅଧୀନରେ ଶ୍ରମିକମାନଙ୍କ ଜୀବିକା ନିରାପତ୍ତା ନିମନ୍ତେ ରୋଜଗାର ସୁଯୋଗ ସୃଷ୍ଟି କରୁଥିବା ଜଣାପଡ଼ିଛି।
ଏତଦ୍ ବ୍ୟତୀତ, ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ସକ୍ରିୟ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ଟ.୧୫୦୦ (ପନ୍ଦର ଶହ ଟଙ୍କା ଲେଖାଏଁ ସ୍ଵତନ୍ତ୍ର ଆର୍ଥିକ ସହାୟତା) ପ୍ରଦାନ କରାଯାଇଥିବା ସ୍ଥଳେ ଅଗଷ୍ଟ ୨୦୨୦ ସୁଦ୍ଧା ୪,୬୮୯ ଜଣ ଫେରନ୍ତା ପ୍ରବାସୀ ଶ୍ରମିକମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଇଅଛି । ଯେଉଁ ପ୍ରବାସୀ ପଞ୍ଜିକୃତ ନିର୍ମାଣ ଶ୍ରମିକମାନେ ସହାୟତା ବଣ୍ଟନ ସମୟରେ ରାଜ୍ୟ ବାହାରେ ଥିବେ ଅଥବା ଘରେ ଅନୁପସ୍ଥିତ ଥିବେ, ସେମାନଙ୍କର ସହାୟତା ରାଶିକୁ ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ଉକ୍ତ ବ୍ୟକ୍ତିବିଶେଷଙ୍କର ବ୍ୟାଙ୍କ ଖାତାକୁ ଡି.ବି.ଟି. ମାଧ୍ୟମରେ ପଠାଇବାର ବ୍ୟବସ୍ଥା ମଧ୍ୟ ରହିଛି । ତେବେ କଟକଣା କୋହଳ ପରେ ଶ୍ରମିକ ଭିଟାମାଟି ଛାଡି ଅନ୍ୟ ରାଜ୍ୟକୁ ପଳାଇଥିବା ସମ୍ବନ୍ଧୀୟ ତଥ୍ୟ ଶ୍ରମ ବିଭାଗର ହସ୍ତଗତ ହୋଇନାହିଁ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ।
Follow Us