ବିମୁଦ୍ରୀକରଣକୁ ପୁରିଲା ୪ ବର୍ଷ । ଆଜି ବି ରିଜର୍ଭ ବ୍ୟାଙ୍କର ତଥ୍ୟ ଅସ୍ପଷ୍ଟ । ବିଜେପି କହିଲା ସଂଯୋଗ, ବିରୋଧୀଙ୍କ ମତ ଉର୍ଦ୍ଦେଶ୍ୟମୂଳକ ଭାବେ କରାଯାଇଥିଲା ପ୍ରୟୋଗ

208

କନକ ବ୍ୟୁରୋ :ବିମୁଦ୍ରୀକରଣକୁ ପୁରିଲା ୪ ବର୍ଷ । ୪ ବର୍ଷ ତଳେ ଅର୍ଥାତ ନଭେମ୍ବର ୮ ତାରିଖ ୨୦୧୬ ମସିହା ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ ଘୋଷଣା କରିଥିଲେ କି ଆଉ ପୁରୁଣା ୫ ଶହ ଓ ୧ ହଜାର ଟଙ୍କିଆ ନୋଟ୍ ଚଳିବ ନାହିଁ । ଏହାର ଉର୍ଦ୍ଦେଶ୍ୟ ବାବଦରେ ସେ କହିଥିଲେ କି ଏପରି କରିବା ଦ୍ୱାରା ଦେଶରେ ନକଲି ନୋଟ କାରବାର ବନ୍ଦ ହୋଇଯିବ । ସ୍ୱିସ୍ ବ୍ୟାଙ୍କରେ ଜମାଥିବା କଳାଟଙ୍କା ପୁଣି ଦେଶକୁ ଫେରି ଆସିବ । ବିଭିନ୍ନ ସମୟରେ ଆତଙ୍କବାଦୀ ମାନେ କାରବାର କରୁଥିବା ଟଙ୍କାକୁ ଜବତ କରାଯାଇ ପାରିବ ବା ତା ବାବଦରେ ସୂଚନା ମିଳିପାରିବ । ଦେଶରେ ନଗଦ କାରବାର ବନ୍ଦ ହୋଇ ଡିଜିଟାଲ କାରବାର ବଢିବ । ଯାହା ଫଳରେ ଟ୍ୟାକ୍ସ ଫାଙ୍କି କମିବ ଓ ରାଜସ୍ୱ ଆୟ ବଢିବ ।

ଏସବୁ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ତଥ୍ୟ ମୁତାବକ ୯୯ ପ୍ରତିଶତରୁ ଅଧିକ ଅବୈଧ ଅର୍ଥ ବ୍ୟାଙ୍କକୁ ଫେରିଛି । ଅର୍ଥାତ ୧୫.୪୧ ଲକ୍ଷ କୋଟି ଟଙ୍କା ଅବୈଧ ନୋଟରୁ ୧୫.୩୧ ଲକ୍ଷ କୋଟି ଟଙ୍କାର ନୋଟ୍ ଫେରି ଆସିଛି । ଏନେଇ ୨୦୧୯ ଫେବୃଆରୀରେ ତକ୍ରାଳୀନ ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ସଂସଦରେ କହିଥିଲେ କି ବିମୁଦ୍ରୀକରଣ ଫଳରେ ୧.୩ ଲକ୍ଷ କୋଟି କଳା ଟଙ୍କା ଫେରି ଆସିଛି ।
୨୦୧୬ ରେ ହୋଇଥିବା ବିମୁଦ୍ରୀକରଣରେ ୬.୩୨ ଲକ୍ଷ ନକଲି ନୋଟ୍ ଜବତ କରାଯାଇଥିବା କଥା କୁହାଯାଇଥିଲା । ରିଜର୍ଭବ୍ୟାଙ୍କ ତଥ୍ୟ ମୂୁତାବକ ବିମୁଦ୍ରୀକରଣ ଫଳରେ ୨୦୨୦ ଯାଏ ମୋଟ ୧୮.୮୭ ଲକ୍ଷ ଖଣ୍ଡ ନକଲି ନୋଟ ସାରା ଦେଶରେ ଜବତ କରାଯାଇଛି । ୨୦୧୯-୨୦ ମଧ୍ୟରେ ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ୪.୬ ପ୍ରତିଶତ ଓ ଅନ୍ୟ ବ୍ୟାଙ୍କ ମାନଙ୍କ ଦ୍ୱାରା ୯୫.୪ ପ୍ରତିଶତ ନକଲି ନୋଟ ଜବତ କରାଯାଇଛି ।

ବିମୁଦ୍ରୀକରଣ ପରବର୍ତ୍ତୀ ବର୍ଷରେ ଜବତ ହୋଇଥିବା ନକଲି ନୋଟ ମଧ୍ୟରେ ୧୦୦ ଟଙ୍କିଆ ନୋଟ୍ ସଂଖ୍ୟା ୨୦୧୯-୨୦ =୧.୭ ଲକ୍ଷ, ୨୦୧୮-୧୯ =୨.୨ ଲକ୍ଷ, ୨୦୧୭-୧୮= ୨.୪ ଲକ୍ଷ ଖଣ୍ଡ ଜବତ୍ ହୋଇଛି । ଏହା ତ ରିଜର୍ଭ ବ୍ୟାଙ୍କର ତଥ୍ୟ । ବାସ୍ତବ ଚିତ୍ର ହେଉଛି ଏଭଳି ଘୋଷଣା କରିବା ପରେ ଦେଶର ଲୋକଙ୍କ ଭିତରେ ଆରମ୍ଭ ହୋଇଯାଇଥିଲା କୋକୁଆ ଭୟ । ୧୭ ତାରିଖ ସକାଳୁ ବ୍ୟାଙ୍କ ଓ ଏଟିଏମ୍ ଆଗରେ ଲାଗିଲା ଲମ୍ବା ଲାଇନ । କିଏ ଟଙ୍କା ବଦଳ କରିବାକୁ ବ୍ୟାଙ୍କ ଆଗରେ ପହଂଚିଲା ତ କିଏ ଟଙ୍କା ଉଠାଇବାକୁ ଏଟିଏମ୍ ଆଗରେ ଲମ୍ବା ଲାଇନ ଦେଲା । ଏଭଳି ପାଖା ପାଖି ୨ ମାସ ଯାଏ ଚାଲିଲା । କିଛି ଲୋକ ଲାଇନରେ ଠିଆ ହୋଇ ମୃତ୍ୟୁ ବରଣ କଲେ । କିଛି ଲୋକ ଟଙ୍କା ଉଠାଇ ନପାରିବାରୁ ନିଜର କିମ୍ବା ପରିବାର ଲୋକଙ୍କର ଚିକିତ୍ସା କରାଇ ନପାରି ମୃତ୍ୟୁ ବରଣ କଲେ । ଅନ୍ୟ କିଛି ଲୋକ ଝିଅ ବାହାଘର ପାଇଁ ବ୍ୟାଙ୍କରେ ରଖିଥିବା ଟଙ୍କା ଉଠାଇ ନପାରି ବାହାଘରକୁ ସ୍ଥଗିତ ରଖିଲେ । ଛୋଟ ଛୋଟ କମ୍ପାନୀ ମାନେ ସେମାନଙ୍କର କର୍ମଚାରୀଙ୍କୁ ଦରମା ଦେଇ ନପାରି କମ୍ପାନୀ ବା ସଂସ୍ଥା ବନ୍ଦ କରିଦେଲେ । ଫଳରେ ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇ ଘରକୁ ଫେରିଲେ । ବିମୁଦ୍ରୀକରଣ ପାଇଁ ପାଖା ପାଖି ୧୨୦ ରୁ ଉର୍ଦ୍ଧ ଲୋକଙ୍କର ଜୀବନ ଗଲା । ୧ ଲକ୍ଷରୁ ଅଧିକ ;ଛୋଟ ଛୋଟ ଇଣ୍ଡଷ୍ଟ୍ରି ବନ୍ଦ ହୋଇଗଲା । ଯାହା ଫଳରେ ୨ କୋଟି ଲୋକ ବେରୋଜଗାର ହୋଇଗଲେ ।