କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଗୁଡିକରେ କେତେ ଅଧ୍ୟାପକ ପଦବୀ ଖାଲି ପଡିଛି । ଆସନ୍ତା ୨୦୨୫ ଜାନୁଆରୀ ସୁଦ୍ଧା କେତେ ପଦବୀ ଖାଲି ହେବ ଏବଂ ଏହାକୁ ଆକଳନ କରି ପଦବୀ ପୂରଣ ପାଇଁ ସରକାର କଣ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ବିଧାୟକ ମହୋଷଧି ବାଗ୍ । ଯାହାର ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ।

Advertisment

ବିଧାନସଭାରେ ଲିଖିତ ଉତ୍ତର ଦେବା ସହ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ରାଜ୍ୟର ସରକାରୀ ମହାବିଦ୍ୟାଳୟମାନଙ୍କରେ ବିଭିନ୍ନ ବିଭାଗରେ ମଞ୍ଜୁରୀପ୍ରାପ୍ତ ବିଭିନ୍ନ ବର୍ଗରେ ୪୩୦ ଅଧ୍ୟାପକ ପଦବୀ ଖାଲି ଅଛି । ସେହିଭଳି ସରକାରୀ ମହାବିଦ୍ୟାଳୟରେ ୭୦୨ କର୍ମଚାରୀ ପଦବୀ ଖାଲି ଅଛି । ଲୋକସେବା ଆୟୋଗର ସୁପାରିଶ କ୍ରମେ ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ୧୨୬ଟି ସହକାରୀ ପ୍ରଫେସର ପଦବୀ ପୂରଣ ହୋଇଛି ।

ଏହାବାଦ୍ ରାଜ୍ୟରେ ୪୮୮ ବର୍ଗର ମହାବିଦ୍ୟାଳୟରେ ୫୩୩୯ ସଂଖ୍ୟକ ଶିକ୍ଷକ କର୍ମଚାରୀ ଅଛନ୍ତି । ସେହିଭଳି ୪୮୮ ବର୍ଗଭୁକ୍ତ ବିଭିନ୍ନ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଦଳୟ ମାନଙ୍କରେ ମୋଟ ୬୬୯୨ ମଞ୍ଜୁରିପ୍ରାପ୍ତ କର୍ମଚାରୀ ପଦବୀରୁ ଆସନ୍ତା ୨୦୨୨ ଶେଷ ସୁଦ୍ଧା ୫୦୨୮ କର୍ମଚାରୀ ପଦବୀ ଖାଲି ଅଛି । ଖାଲିଥିବା ପଦବୀ ଗୁଡିକ ମଧ୍ୟରୁ ମୁଖ୍ୟ କିରାଣୀ ଓ ବରିଷ୍ଠ କିରାଣୀ ପଦବୀ ପଦୋନ୍ନତି ମାଧ୍ୟମରେ ପୂରା କରାଯାଇଥାଏ ଏବଂ ଅନ୍ୟ ଅଣଶିକ୍ଷକ ପଦବୀଗୁଡିକୁ ପୂରଣ କରିବାକୁ ଏବେ ପର୍ଯ୍ୟନ୍ତ କୌଣସି ନିୟମ ପ୍ରଣୟନ ହୋଇନାହିଁ । ତେବେ ଆସନ୍ତା ୨୦୨୫ ଜାନୁୟାରୀ ସୁଦ୍ଧା ଖାଲିଥିବା ପଦବୀ ଗୁଡିକର ପୂରଣ ନିମନ୍ତେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ମନ୍ତ୍ରୀ ରୋହିତ ପୂଜାରୀ ।