କନକ ବ୍ୟୁରୋ : ଭାରତୀୟ ଷ୍ଟେଟବ୍ୟାଙ୍କକୁ ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାବେ ଗଣନା କରାଯାଇଥାଏ । ଯେତେବେଳେ ଏହି ବ୍ୟାଙ୍କର ନିଯୁକ୍ତି ନେଇ ବିଜ୍ଞାପନ ବାହାରିଥାଏ ଲକ୍ଷ ଲକ୍ଷ ଆଶାୟୀ ଆବେଦନ କରିଥାନ୍ତି । ଏହି ବ୍ୟାଙ୍କରେ ନିଯୁକ୍ତି ପାଉଥିବା ଲୋକଙ୍କ ପାଇଁ ପଦ ଅନୁଯାୟୀ ଦରମା ନିର୍ଦ୍ଧାରିତ କରାଯାଇଥାଏ । ହେଲେ ଆମେ ଯେତେବେଳେ ଏହି ବ୍ୟାଙ୍କର ସବୁଠାରୁ ବଡ ପଦ ଚେୟାରମ୍ୟାନ କଥା ଚିନ୍ତାକରୁ ସେତେବେଳେ ମନରେ ପ୍ରଶ୍ନଉଠେ କି ଏହି ପଦରେ ଥିବା ବ୍ୟକ୍ତିଙ୍କର ଦରମା କେତେ ହୋଇଥିବ ।

Advertisment

ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇର ଏବେ ଚେୟାରମ୍ୟାନ ଅଛନ୍ତି ଦିନେଶ କୁମାର ଖାରା । ଏସବିଆଇର ବାର୍ଷିକ ରିପୋର୍ଟ ମୁତାବକ ଚେୟାରମ୍ୟାନ ଦିନେଶ ଖାରାଙ୍କୁ ବ୍ୟାଙ୍କ ତରଫରୁ ବାର୍ଷିକ ୩୭ ଲକ୍ଷ ଟଙ୍କା ଦରମା ପ୍ରଦାନ କରାଯାଇଥାଏ । ୨୭ ଲକ୍ଷ ଟଙ୍କା ମୂଳ ବେତନ ହୋଇଥିବାବେଳେ ମହଙ୍ଗା ଭତ୍ତା ବାବଦକୁ ୯.୯୯ ଲକ୍ଷ ଟଙ୍କା ମିଳିଥାଏ । ୨୦୨୨ ମସିହା ତୁଳନାରେ ଏବେ ଏହି ପଦ ପାଇଁ ଦରମାର ୭.୫ ପ୍ରତିଶତ ବୃଦ୍ଧି କରାଯାଇଛି ।

ଏସବିଆଇ ଚେୟାରମ୍ୟାନଙ୍କ ଦରମା ବାବଦରେ ଜାଣିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି ଘରୋଇ ବ୍ୟାଙ୍କର ଚେୟାରମ୍ୟାନମାନଙ୍କୁ କେତେ ଦରମା ମିଳିଥାଏ । ଯଦି ଆମେ ଏଚଡିଏଫସି ବ୍ୟାଙ୍କ କଥା କହିବା ତେବେ ଏହାର ସିଇଓ ଓ ମ୍ୟାନେଜିଂ ଡାଇରେକ୍ଟର ଶଶିଧର ଜଗଦିଶଙ୍କୁ ୨୦୨୨ ମସିହାରେ ବାର୍ଷିକ ୬.୫୧ କୋଟି ଟଙ୍କା ଦରମା ମିଳୁଥିଲା । ସେହିଭଳି ଆଇସିଆଇସିଆଇ ବ୍ୟାଙ୍କର ସିଇଓ ସନ୍ଦୀପ ବକ୍ସିଙ୍କୁ ୨୦୨୨ ମସିହାରେ ୭.୦୮ କୋଟି ଟଙ୍କା ଦରମା ମିଳିଥିଲା ।

ଦେଶର ସବୁଠାରୁ ବଡ ବ୍ୟାଙ୍କର ଚେୟାରମ୍ୟାନ ପଦ ପାଇଁ କୌଣସି ସିଧାସଳଖ ନିଯୁକ୍ତି ହୋଇନଥାଏ । ଅଧ୍ୟକ୍ଷ ହେବାକୁ ହେଲେ ପ୍ରଥମେ ଆପଣଙ୍କୁ ପ୍ରୋବେସନ ଅଫିସର ପଦରେ କାମ କରିବାକୁ ପଡିବ । ଏହାପରେ ହିଁ ଆପଣ ପର୍ଯ୍ୟାୟକ୍ରମେ ଏହି ବ୍ୟାଙ୍କର ଚେୟାରମ୍ୟାନ ହୋଇପାରିବେ । ଦିନେଶ ଖରା ୧୯୮୪ ମସିହାରେ ଏସବିଆଇରେ ପ୍ରୋବେସନ ଅଫିସର ଭାବେ ନିଯୁକ୍ତି ପାଇଥିଲେ ।