ଓଡ଼ିଶାରେ ଚାଷୀଙ୍କ ମାସିକ ଆୟ କେତେ ଟଙ୍କା ? କେନ୍ଦ୍ର ସରକାରଙ୍କ ଉତ୍ତରରୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

172

କନକ ବ୍ୟୁରୋ : ବିଭିନ୍ନ ରାଜ୍ୟରେ ଚାଷୀଙ୍କ ଆୟ ଉପରେ ଆଜି କେନ୍ଦ୍ର ସରକାର ଯେଉଁ ତଥ୍ୟ ଦେଇଛନ୍ତି, ସେଥିରୁ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଏହି ତଥ୍ୟ କହୁଛି କେବଳ ଝାଡଖଣ୍ଡକୁ ଛାଡିଦେଲେ, ଚାଷୀର ମାସିକ ଆୟରେ ଓଡ଼ିଶା ସବୁଠୁ ପଛରେ ରହିଛି । ସେପଟେ ବିଶିଷ୍ଟ ଅର୍ଥନୈତିଜ୍ଞ ତଥା ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆ କହିଛନ୍ତି, ‘ସର୍ବନିମ୍ନ ସହାୟକ ମୂଲ୍ୟ’ ବ୍ୟବସ୍ଥାରୁ ପଞ୍ଜାବ ଓ ହରିୟାଣା ଭଳି ରାଜ୍ୟ ଫାଇଦା ନେଉଛନ୍ତି, ଓଡ଼ିଶା ଓ ବିହାର ଭଳି ରାଜ୍ୟକୁ କୌଣସି ଲାଭ ମିଳୁନାହିଁ ।

ଦେଶରେ ଚାଷୀଙ୍କର ମାସିକ ଆୟ କେତେ ? କେଉଁ ରାଜ୍ୟର ଚାଷୀ ମାସକୁ କେତେ ଆୟ କରୁଛନ୍ତି ? କେଉଁ ରାଜ୍ୟର ଚାଷୀ ସର୍ବାଧିକ ଆୟ କରୁଛନ୍ତି ଏବଂ କେଉଁ ରାଜ୍ୟର ଚାଷୀ ସବୁଠୁ କମ୍ ଆୟ କରୁଛନ୍ତି ? ଓଡିଶା ଚାଷୀଙ୍କ ଆୟ କେତେ ?

ଚାଷୀଙ୍କ ଆୟକୁ ନେଇ ସାଂସଦ ସପ୍ତଗିରି ଉଲାକାଙ୍କ ଏପରି ପ୍ରଶ୍ନର ଉତ୍ତରରେ ଲୋକସଭାରେ ଉତର ରଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଆଉ ଏହି ଉତ୍ତର ଓଡିଶା ଚାଷୀଙ୍କ ଦୁର୍ଦ୍ଦଶାକୁ ବୟାନ କରିଛି । ଯାହା ସୂଚାଇ ଦେଇଛି ପଂଜାବ ଚାଷୀ ଏବଂ ଓଡିଶା ଚାଷୀଙ୍କ ମଧ୍ୟରେ କେତେ ଫରକ ରହିଛି । ପଞ୍ଜାବରେ ଜଣେ ଚାଷୀ ମାସକୁ ୨୬,୭୦୧ ଟଙ୍କା ରୋଜଗାର କରୁଥିବା ବେଳେ ଓଡିଶା ଚାଷୀ ମାସକୁ ୫,୧୧୨ ଟଙ୍କା ରୋଜଗାର କରୁଛି । ଝାଡଖଣ୍ଡକୁ ଛାଡିଦେଲେ ଓଡିଶା ଏହି ତାଲିକାରେ ସବୁଠୁ ପଛରେ ରହିଛି ।

ଓଡ଼ିଶା ଚାଷୀଙ୍କୁ ଲାଭ ଦେଉଛି କି ‘ସର୍ବନିମ୍ନ ସହାୟକ ମୂଲ୍ୟ’ ବ୍ୟବସ୍ଥା? ପଞ୍ଜାବ ଆଗରେ କାହିଁକି, ଓଡ଼ିଶା ପଛରେ କାହିଁକି ? ସାରା ଦେଶରେ ଚାଷୀଙ୍କ ଉନ୍ନତି ପାଇଁ ଏମଏସପି ଗ୍ୟାରେଣ୍ଟି ଦାବିରେ ଆଇନ୍ ଆଣିବାକୁ ଦାବି କରିଛନ୍ତି ବିରୋଧୀ ସମେତ ଆନ୍ଦୋଳନକାରୀ ଚାଷୀ । ତେଣୁ କେନ୍ଦ୍ର ସରକାର ଏମଏସପିକୁ ଆଇନ ପରିସରଭୁକ୍ତ କରିବେ କି ନାହିଁ ତର୍କ ଚାଲିଥିବା ବେଳେ ବିଶିଷ୍ଟ ଅର୍ଥନୈତିଜ୍ଞ ଅରବିନ୍ଦ ପାନଗାରିଆଙ୍କ ପରାମର୍ଶ କିଛି ଅଲଗା ରହିଛି ।

ଗୁରୁତ୍ୱପୂର୍ଣ୍ଣ ଦିଗ ସାମ୍ନାକୁ ଆଣିଲେ ‘ନୀତି’ ଆୟୋଗ ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆ । ଫାଇଦା ପାଇବେ ପଞ୍ଜାବ, ହରିୟାଣା, ଘାଟାରେ ରହିବ ଓଡ଼ିଶା । ପ୍ରଥମ ଥର ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟର ଏକ ଭିନ୍ନ ଦିଗ ଆଡକୁ ଇସାରା କରିଛନ୍ତି ଏହି ବିଶିଷ୍ଟ ଅର୍ଥନୀତିଜ୍ଞ ଅରବିନ୍ଦ ପାନଗାରିୟା । ଯଦି ଏମଏସପିକୁ ଆଇନ ପରିସରଭୁକ୍ତ କରାଯିବ ତାହେଲେ ପଂଜାବ ଏବଂ ହରିଆଣା ଚାଷୀ ଉପକୃତ ହେବେ । ହେଲେ ଓଡିଶା ଭଳି ଗରିବ ରାଜ୍ୟର ଚାଷୀ ଏହି ଆଇନର ଲାଭ ପାଇବେ ନାହିଁ ।

ଦୈନିକ ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆରେ ଲେଖିଛନ୍ତି, ଦେଶରେ ଏବେ ଆବଶ୍ୟକତାରୁ ଅଧିକ ଅମଳ ହେଉଛି । ଏପରି ସ୍ଥିତିରେ କିଭଳି ବଳକା ହେଉଥିବା ଫସଲକୁ ବିକ୍ରି କରିହେବ ତା ଉପରେ ଗୁରୁତ୍ୱ ଦେବା ଦରକାର । ସେ କହିବାକୁ ଚାହିଁଛନ୍ତି ଏହା ଦ୍ୱାରା କେବଳ ପଂଜାବ ଏବଂ ହରିଆଣା ଭଳି କିଛି ରାଜ୍ୟର ଚାଷୀ ଏହାର ଫାଇଦା ପାଇବେ । କିନ୍ତୁ ଓଡିଶା ଓ ବିହାର ଭଳି ରାଜ୍ୟ ଏଥିରୁ କିଛି ଫାଇଦା ପାଇବେ ନାହିଁ ।