କନକ ବ୍ୟୁରୋ: ୧୯୭୮ ମସିହା ପରେ ଆଉ ଖୋଲା ଯାଇନାହିଁ ରତ୍ନଭଣ୍ଡାର। ୪୬ ବର୍ଷ ଧରି ଏହା ବନ୍ଦ ହୋଇ ପଡିଛି। ହେଲେ ଏହାରି ଭିତରେ ପୁଳା ପୁଳା ସୁନା ଶ୍ରୀଜିଉଙ୍କୁ ଦେଇଛନ୍ତି ଅନେକ ଶ୍ରଦ୍ଧାଳୁ। ତେବେ କେତେ ପରିମାଣର ସୁନା ବାହାରେ ଅଛି, ତା’ର ପୂରା ହିସାବ ମିଳି ପାରିନାହିଁ।
ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ଏସବିଆଇ ଲକରରେ ପ୍ରାୟ ୩୦ କିଲୋ ସୁନା ରହିଛି। ରତ୍ନଭଣ୍ଡାରର ଗଣତି ମଣତି ସରିଲେ ବାହାରେ ଥିବା ସୁନା ଗହଣାକୁ ଲକରରୁ ଆଣି ଭଣ୍ଡାରରେ ସାଇତି ରଖିବାକୁ ଦାବି କରିଛନ୍ତି। ସେହିପରି ଏମାର ମଠରୁ ମିଳିଥିବା ରୂପାକୁ ବିଶୋଧନ କରି ରତ୍ନଭଣ୍ଡାରରେ ରଖାଯାଉ ବୋଲି ସେ କହିଛନ୍ତି ।
- ଶ୍ରୀମନ୍ଦିର ବାହାରେ ବି ଅଛି କାଳିଆର ସୁନା
- ରତ୍ନଭଣ୍ଡାରକୁ ଫେରିବ କି ଦାନ ଅଳଙ୍କାର?
ଶ୍ରୀମନ୍ଦିର ହୁଣ୍ଡିରେ ବି ସୁନା ଓ ରୁପା ଅଳଙ୍କାର ଦାନ କରିଥାନ୍ତି ଶ୍ରଦ୍ଧାଳୁ। ଏପରିକି ରଥଯାତ୍ରାରେ ଠାକୁର ରଥ ଉପରେ ଥିବା ବେଳେ ଅନେକ ଭକ୍ତ ଦାନ କରିଥାନ୍ତି। ବର୍ଷ ବର୍ଷ ଧରି ବର୍ଷ ତମାମ ଏହି ପ୍ରକ୍ରିୟା ଚାଲିଥାଏ। ବରିଷ୍ଠ ସେବାୟତ ବିଶ୍ବନାଥ ସାମନ୍ତରାୟ କହିଛନ୍ତି ଦାନ ବାକ୍ସ ଓ ହୁଣ୍ଡିରେ ପଡୁଥିବା ସୁନା-ରୁପା ଅଳଙ୍କାର ଶ୍ରୀମନ୍ଦିର ନାଜରଖାନାରେ ରହିଛି । କେବଳ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଏହାର ହିସାବ ଅଛି । ଠାକୁରଙ୍କ ଗହଣା ମରାମତି ବେଳେ ଦାନ ସୁନା ରୁପାକୁ ଶୋଧନ କରି ବ୍ୟବହାର କରାଯାଏ
ରତ୍ନଭଣ୍ଡାରର ରହସ୍ୟ ଜାଣିବା ପାଇଁ କୋଟି କୋଟି ଜଗନ୍ନାଥ ପ୍ରେମୀ ଅପେକ୍ଷା କରିଥିବା ବେଳେ ଶ୍ରୀମନ୍ଦିର ବାହାରେ ଶ୍ରୀଜିଉଙ୍କ କେତେ ସୁନା ରହିଛି, ତାହା ଜାଣିବାକୁ ମଧ୍ୟ ଉତ୍କଣ୍ଠା ବଢୁଛି।