୪ବର୍ଷରେ କେତେ ଚାଷୀ କରିଛନ୍ତି ଆତ୍ମହତ୍ୟା ? ମୋଦି ସରକାରଙ୍କ ପାଖରେ ନାହିଁ ହିସାବ, ତାଜୁବ୍ କରିଦେଲା କେନ୍ଦ୍ର କୃଷିମନ୍ତ୍ରୀଙ୍କ ବୟାନ ।

135

କନକ ବ୍ୟୁରୋ: ଦେଶରେ ଗତ ଚାରି ବର୍ଷ ମଧ୍ୟରେ କେତେ ଚାଷୀ ଆତ୍ମହତ୍ୟା କରିଛନ୍ତି ସେନେଇ କେନ୍ଦ୍ର ସରକାରଙ୍କ ପାଖରେ ତଥ୍ୟ ନାହିଁ । ଏକଥା ଆମେ କହୁନୁ ଏନେଇ ଲୋକସଭାରେ ଏକ ତାରକା ପ୍ରଶ୍ନର ଉତ୍ତର ରଖିଛନ୍ତି ଖୋଦ୍ କେନ୍ଦ୍ର କୃଷିମନ୍ତ୍ରୀ ପୁରୁଷୋତ୍ତମ ରୁପାଲା । ସେ କହିଛନ୍ତି କି, ୨୦୧୫ ପରଠାରୁ କେନ୍ଦ୍ର ସରକାରଙ୍କ ପାଖରେ ଏ ସମ୍ପର୍କିତ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ । କାରଣ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ନିକଟରେ କିଛି ରାଜ୍ୟର ଚାଷୀ ଆତ୍ମହତ୍ୟା ତଥ୍ୟ ପହଞ୍ଚି ନ ଥିବାରୁ ରେକର୍ଡ ଉପଲବ୍ଧ ହୋଇପାରି ନାହିଁ ବୋଲି ଲୋକସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।

ସେପଟେ କଂଗ୍ରେସ ସାଂସଦ ତରୁଣ ଗୋଗେଇ ଏହି ପ୍ରସଙ୍ଗକୁ ମୁଦ୍ଧା କରି ମୋଦି ସରକାରଙ୍କୁ ନିଶାନା କରିଛନ୍ତି । ଆଉ କହିଛନ୍ତି କି, ସରକାର ଜାଣିଶୁଣି ତଥ୍ୟ ଲୁଚାଉଛନ୍ତି । ତେବେ ଗତବର୍ଷ ଲୋକସଭାରେ ଉପସ୍ଥାପିତ ହୋଇଥିବା ତଥ୍ୟ ଅନୁସାରେ ୨୦୧୬ରେ ୬, ୩୫୧ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। ଅର୍ଥାତ୍ ପ୍ରତିଦିନ ହାରାହାରି ୧୭ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। ଅପରପକ୍ଷରେ ୨୦୧୫ରେ ୮,୦୦୭ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। ଏହି ରେକର୍ଡ କହୁଥିଲା କି, ପ୍ରତିଦିନ ହାରାହାରି ୨୨ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ।

ସବୁଠାରୁ ଚିନ୍ତାଜନକ ବିଷୟ ହେଲା କି, ୨୦୧୬ରୁ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପାଖରେ ଚାଷୀ ଆତ୍ମହତ୍ୟା ବାବଦରେ ତଥ୍ୟ ନାହିଁ ବୋଲି କୃଷିମନ୍ତ୍ରୀ କହିଛନ୍ତି । ସେପଟେ ୨୦୧୫ରୁ ୨୦୧୮ ମଧ୍ୟରେ କେବଳ ମହାରାଷ୍ଟ୍ରରେ ପାଖାପାଖି ୧୨ ହଜାର ୪ଜଣ ଚାଷୀ ଆତ୍ମହତ୍ୟା କରିଥିଲେ । ଆଉ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଅନୁସାରେ କେବଳ ମହାରାଷ୍ଟ୍ରରେ ୨୦୧୦ରୁ ୨୦୧୪ ମଧ୍ୟରେ ୮,୦୦୯ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ । ତେବେ କୃଷିମନ୍ତ୍ରୀଙ୍କ ଏହି ବୟାନ ପରେ ବିଭିନ୍ନ ବୁଦ୍ଧୀଜୀବି ମହଲରେ ଆଲୋଚନା ହେଉଛି । ଚାଷୀ ଆତ୍ମହତ୍ୟା ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟା ଏବଂ ବିଗତ ୪ ବର୍ଷ ମଧ୍ୟରେ କେତେ ଚାଷୀ ଆତ୍ମହତ୍ୟା କରିଛନ୍ତି ସେନେଇ ତଥ୍ୟ ନଥିବା ସରକାରଙ୍କ ପ୍ରଶାସନିକ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଛି ।