ଆମ୍ବୁଲାନ୍ସ ପରିବହନ ଠାରୁ ଆରମ୍ଭ କରି ସୁସ୍ଥ ହେବା ପର୍ଯ୍ୟନ୍ତ ସରକାର କରୁଛନ୍ତି ସବୁ ବ୍ୟବସ୍ଥା । ଜଣେ କରୋନା ଆକ୍ରାନ୍ତଙ୍କ ପିଛା କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର? ପଢ଼ନ୍ତୁ ଏହି ରିପୋର୍ଟ…

2,654

କନକ ବ୍ୟୁରୋ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ଶୁକ୍ରବାର ଅପରାହ୍ଣ ସୁଦ୍ଧା ଦେଶରେ ମୋଟ୍ ୨୩ ହଜାର ୭୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪ ହଜାର ୭୪୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସବୁଠାରୁ ବଡକଥା ହେଉଛି କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡୁନାହିଁ । ଏମାନଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି । ତେଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ଜଣେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କେତେ ଖର୍ଚ୍ଚ ହେଉଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅତ୍ୟନ୍ତ ବ୍ୟୟବହୁଳ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ।

କରୋନା ଆକ୍ରାନ୍ତଙ୍କୁ ସରକାରୀ କିମ୍ବା ଘରୋଇ ଆମ୍ବୁଲାନ୍ସରେ ପରିବହନରୁ ଆରମ୍ଭ ହୋଇଥାଏ ସରକାରୀ ଖର୍ଚ୍ଚ । କରୋନାର ଲକ୍ଷଣ ଦେଖାଗଲେ କିମ୍ବା ନମୁନା ପଜିଟିଭ ଆସିଲେ ତାଙ୍କୁ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ନେଇ ଚିକିତ୍ସା କରାଯାଏ ।

ସ୍ୱତନ୍ତ୍ର ସଂଗରୋଧ ୱାର୍ଡରେ ରହି ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କ ପାଇଁ ଅଲଗା ସୌଚାଳୟର ବ୍ୟବସ୍ଥା କରାଯାଏ । ସେହିପରି ଏଠାରେ ଅନ୍ୟ କୌଣସି ସାଧାରଣ ରୋଗୀଙ୍କ ପାଇଁ ବେଡ୍ ନଥାଏ ।
– ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ ସରକାରୀ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଚିକତ୍ସା ଖର୍ଚ୍ଚ ଦିନକୁ ୨୦ରୁ ୨୫ ହଜାର ଟଙ୍କା
– ଭେଂଟିଲେଟର କିମ୍ବା ଅନ୍ୟ କୌଣସି ଜୀବନ ରକ୍ଷାକାରୀ ଉପକରଣ ବିନା ଏହି ଖର୍ଚ୍ଚ ଜଣେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଲାଗିଥାଏ
– ୧୪ ଦିନ ଧରି ଜଣେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରାଗଲେ ଖର୍ଚ୍ଚ ୨ଲକ୍ଷ ୮୦ ହଜାରରୁ ୩ ଲକ୍ଷ ୫୦ ହଜାର ପର୍ଯ୍ୟନ୍ତ ହୋଇଥାଏ

ସେହିପରି ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ଘରୋଇ ହସ୍ପିଟାଲରେ ଏହି ଚିକିତ୍ସା ଖର୍ଚ୍ଚ ଭିନ୍ନ ରହିଛି ।
– ଭଲ ଘରୋଇ ହସ୍ପିଟାଲରେ ଜଣେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଦିନକୁ ଖର୍ଚ୍ଚ ପ୍ରାୟ ୧୧ ହଜାର ଟଙ୍କା
– ଆଇସିୟୁରେ ରଖି ଚିକିତ୍ସା କରାଗଲେ ଏହି ଖର୍ଚ୍ଚ ଦିନକୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପଡିପାରେ
– ଅର୍ଥାତ ଘରୋଇ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କୁ ୧୪ ଦିନ ରଖି ଚିକିତ୍ସା କରାଗଲେ ଖର୍ଚ୍ଚ ଅନ୍ୟୁନ ୭ ଲକ୍ଷ ଟଙ୍କା

ଏସବୁ ବାଦ୍ କରୋନା ଆକ୍ରାନ୍ତଙ୍କ ନମୁନା ପରୀକ୍ଷା ମଧ୍ୟ ବେଶ ବ୍ୟୟବହୁଳ । ଥରେ ନମୁନା ପରୀକ୍ଷାଲ ପାଇଁ ସାଢେ ୪ ହଜାର ଟଙ୍କା ଖର୍ଚ୍ଚ ହେଉଛି । କାରଣ କେବଳ ଟେଷ୍ଟିଂ କିଟର ମୂଲ୍ୟ ୩ ହଜାର ଟଙ୍କା ରହିଛି । କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିବା ପୂର୍ବରୁ ୩ରୁ ୪ଥର ନମୁନା ପରୀକ୍ଷା କରି ନେଗେଟିଭ ଆସିବା ପରେ ଛଡାଯାଉଛି । କେତେକ କ୍ଷେତ୍ରରେ ୮ରୁ ୧୦ ଥମ ମଧ୍ୟ ନମୁନା ପରୀକ୍ଷା ହେଉଛି । ଏହାବାଦ ଡାକ୍ତର ଓ ନର୍ସଙ୍କ ପର୍ସନାଲ ପ୍ରୋଟେକ୍ସନ କିଟ- ପିପିଇ ରହିଛି । ଯାହାକୁ ପ୍ରତି ୪ ଘଂଟାରେ ଥରେ ପରିବର୍ତନ କରିବାର ନିୟମ ରହିଛି । ଗୋଟିଏ ସାଧାରଣ ପିପିଇ କିଟ୍ର ମୂଲ୍ୟ ୭୫୦ରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ରହିଛି ।