ରାଜ୍ୟର ଶିଳ୍ପସଂସ୍ଥା ଗୁଡିକରେ କେତେ ଓଡ଼ିଆ ନିଯୁକ୍ତି ପାଇଛନ୍ତି ? କ’ଣ ଉତ୍ତର ରଖିଲେ ଶ୍ରମମନ୍ତ୍ରୀ, ପଢ଼ନ୍ତୁ…

335

କନକ ବ୍ୟୁରୋ: ରାଜ୍ୟର ଶିଳ୍ପସଂସ୍ଥା ଗୁଡ଼ିକରେ କେତେ ସ୍ଥାନୀୟ ଓଡ଼ିଆ ଯୁବକ-ଯୁବତୀ ନିଯୁକ୍ତି ପାଇଛନ୍ତି ସେନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ । ବିଜେପି ବିଧାୟକ ମୋହନ ମାଝୀଙ୍କ ତାରକା ପ୍ରଶ୍ନର ଉତ୍ତର ରଖି ସୁଶାନ୍ତ ସିଂ କହିଛନ୍ତି କି, ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନରେ ୨ ଲକ୍ଷ ୬୬ ହଜାର ୮୫୪ ଜଣ ନିଯୁକ୍ତି ପାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ରାଜ୍ୟ ଭିତରୁ ୨ଲକ୍ଷ ୨୬ ହଜାର ୯୬୧ଜଣ ନିଯୁକ୍ତି ପାଇଛନ୍ତି । ଅର୍ଥାତ୍ ନିଯୁକ୍ତିର ୮୫ ପ୍ରତିଶତ ରାଜ୍ୟ ଭିତରୁ ନିଯୁକ୍ତି ଦିଆଯାଇଛି । ସରକାରଙ୍କ ଚୁକ୍ତି ଅନୁଯାୟୀ ଘରୋଇ ଶିଳ୍ପାନୁଷ୍ଠାନଗୁଡିକ ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ୯୦ ପ୍ରତିଶତ, ପ୍ରଶାସନିକ କ୍ଷେତ୍ରରେ ୪୦ ପ୍ରତିଶତ ଏବଂ କୁଶଳୀ କ୍ଷେତ୍ରରେ ୬୦ ପ୍ରତିଶତ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି ।

ସେହିପରି ବିଧାୟକ ମୋହନ ମାଝୀଙ୍କ ଆଉ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି କି, କେନ୍ଦୁଝର ଜିଲାରେ ୨୨ଟି ଶିଳ୍ପରେ ୧୦ହଜାର ୯୯୨ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ସେଥିରୁ ରାଜ୍ୟରୁ ୯ହଜାର ୩୫୯ ଅର୍ଥାତ୍ ୯୨% ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ଦିଆଯାଇଛି। ଆମ ରାଜ୍ୟରେ ବହୁ ଇଞ୍ଜିନିୟରିଂ କଲେଜ ଓ ଆଇଟିଆଇ ରହିଛି କିନ୍ତୁ ସେ ସବୁ ଜାଗାରେ ବାହାର ଲୋକ ଚାକିରି କରୁଛନ୍ତି । କେନ୍ଦ୍ର ସରକାର ୫ ବର୍ଷରେ ୨ କୋଟି ଯୁବତୀଯୁବକଙ୍କୁ ନିଯୁକ୍ତି ଦେବା ଲାଗି ଘୋଷଣା କରିଥିଲେ । ଗତ ୫ ବର୍ଷରେ ଓଡ଼ିଶାରେ ଥିବା କେନ୍ଦ୍ରୀୟ ସଂସ୍ଥାରେ କେତେଜଣଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ବିଜେଡି ସଭ୍ୟଗଣ ପଚାରିଥିଲେ । ଉତ୍ତରରେ ମନ୍ତ୍ରୀ କହିଥିଲେ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ଶିଳ୍ପ ସଂସ୍ଥାରେ ୮ ହଜାର ୪୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ସେଥିମଧ୍ୟରେ ୭ହଜାର ୫୦୯ ଜଣଙ୍କୁ ରାଜ୍ୟ ଭିତରୁ ଏବଂ ୫୩୧ ଜଣଙ୍କୁ ରାଜ୍ୟ ବାହାରୁ ନିଯୁକ୍ତି ଦିଆଯାଇଛି ।

ସେହିପରି କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ବିଭିନ୍ନ ସଂସ୍ଥାରେ କେତେଜଣ ଓଡ଼ିଆଙ୍କୁ ନିଯୁକ୍ତି ଦିଆଯାଇଛି, ସେ ସମ୍ପର୍କରେ ତଥ୍ୟ ନାହିଁ । ନିୟମ ଅନୁସାରେ ୮୫ ପ୍ରତିଶତ ନିଯୁକ୍ତି ରାଜ୍ୟ ଭିତରେ ହୋଇଛି । ତେବେ ପାରାଦୀପରେ କେଉଁ ସଂସ୍ଥାରେ କେତେ ନିଯୁକ୍ତ ହୋଇଛନ୍ତି ତାହାର ତର୍ଜମା କରାଯିବ। ଯଦି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଇ ନ ଥିବ ତେବେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଶ୍ରମମନ୍ତ୍ରୀ ବିଧାନସଭାରେ କହିଛନ୍ତି ।