ଯେବେ ସିନ୍ଦୂରର ସୁରକ୍ଷା ପାଇଁ ସଂଘର୍ଷ କରିଥିଲେ ମୌସୁମୀ, ପୂରା ଓଡ଼ିଶା ଦେଇଥିଲା ସାଥ୍ । 

653

କନକ ବ୍ୟୁରୋ : ଜୀବନ ଯୁଦ୍ଧରେ ଲଢେଇ କରି ହାରିଗଲେ ଅଭିଷେକ ମହାପାତ୍ର । ଦୀର୍ଘ ୩ ମାସ କାଳ କୋଲକାତାରେ ଇକମୋ ଚିକିତ୍ସାରେ ଚିକିତ୍ସିତ ହେବା ପରେ ଶୁକ୍ରବାର ରାତିରେ ଆଖି ବୁଜିଛନ୍ତି ଅଭିଷେକ  । ତେବେ ୩ ମାସ ଭିତରେ ପ୍ରତି ସେକେଣ୍ଡରେ ସେ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲେ । ଆଉ ଏହି ସଂଘର୍ଷରେ ସାଥ୍ ଦେଇଥିଲେ ନବବିବାହିତା ପତ୍ନୀ ମୌସୁମୀ । କରୋନାରେ ସ୍ୱାମୀ ଆକ୍ରାନ୍ତ ହେବା ପରଠାରୁ ଶେଷ ସମୟ ପର୍ଯ୍ୟନ୍ତ, ପ୍ରତିଟି ମୁହୂର୍ତ୍ତରେ ଲଢେଇ କରିଛନ୍ତି ମୌସୁମୀ । କିନ୍ତୁ ନିଷ୍ଠୁର ନିୟତି ଆଗରେ ବେଶି ସମୟ ଲଢି ପାରିନାହାନ୍ତି ମୌସୁମୀ । ବିବାହର ୪ ମାସ ପରେ ମୃତ୍ୟୁ ରୂପକ କାଳ ତାଙ୍କ ମଥାରୁ ସିନ୍ଦୁର ପୋଛି ଦେଇଛି ।

ମେ’ ୫ ତାରିଖରେ ଭଦ୍ରକ ବାସୁଦେବପୁରର ଅଭିଷେକଙ୍କ ହାତ ଧରିଥିଲେ ମୌସୁମୀ । ହୋମନିଆଁକୁ ସାକ୍ଷୀ ରଖି ଜୀବନସାରା ସାଥୀ ହୋଇ ରହିବାକୁ ନିଷ୍ପତ୍ତି ନେଇଥିଲେ । ଆଖିରେ ଥିଲା ଅସୁମାରୀ ଆଶା, ମନରେ ବସା ବାନ୍ଧିଥିଲା ସାରିଥିଲା ନୂଆ ନୂଆ ସ୍ୱପ୍ନ । କିନ୍ତୁ ବିବାହର ମାସକ ମଧ୍ୟରେ ବଦଳିଗଲା ସବୁକିଛି । କରୋନାରେ ଆକ୍ରାନ୍ତ ହେଲେ ଅଭିଷେକ । ଆଉ ଏହା ପରଠାରୁ ମୌସୁମୀଙ୍କ ଜୀବନର ଆରମ୍ଭ ହେଲା ସବୁଠୁ କଠିନ ଅଧ୍ୟାୟ । କରୋନାରେ ଆକ୍ରାନ୍ତ ହେବା ପରେ ହସ୍ପିଟାଲରେ ମୃତ୍ୟୁ ସହ ଲଢେଇ କରୁଥିଲେ ସ୍ୱାମୀ, ଆଉ ଅନ୍ୟପଟେ ନିଜ ସିନ୍ଦୂରର ସୁରକ୍ଷା ପାଇଁ ଦୃଢ ସଂକଳ୍ପ ନେଇଥିଲେ ପତ୍ନୀ ମୌସୁମୀ ।

ଅଭିଷେକଙ୍କୁ ବଞ୍ଚାଇବାକୁ ହେଲେ ଇକମୋ ଚିକିତ୍ସାର ଆବଶ୍ୟକତା ଅଛି । ଆଉ ଏଥିପାଇଁ ତୁରନ୍ତ ତାଙ୍କୁ ଏୟାରଲିଫ୍ଟ କରି କୋଲକାତା ନେବାକୁ ପରିବାର ଲୋକଙ୍କୁ କହିଥିଲେ ଡାକ୍ତର । କିନ୍ତୁ ଇକମୋ ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଦରକାର, ଏକଥା ଜାଣିବା ପରେ ଅଭିଷେକଙ୍କ ପରିବାର ପାଦ ତଳୁ ମାଟି ଖସିଯାଇଥିଲା । ଏତେଶୀଘ୍ର କେଉଁଠୁ ଏତେ ଟଙ୍କା ଆସିବ, କିଏ ବା କୋଟିଏ ଟଙ୍କା ଭରସା କରିଦେବ? ଏଭଳି ଏକ ଦ୍ୱନ୍ଦ୍ୱ ଭିତରେ ଫଶି ରହିଥିଲା ଅଭିଷେକଙ୍କ ଜୀବନ । କିନ୍ତୁ ଏଭଳି ସମୟରେ ସ୍ୱାମୀ ଓ ସିନ୍ଦୂରର ସୁରକ୍ଷା ପାଇଁ ଆଗେଇ ଆସିଲେ ପତ୍ନୀ ମୌସୁମୀ । କେମିତି ଓ କେଉଁଠୁ ଟଙ୍କା ଆସିବ ସେକଥା ମୌସୁମୀ ଜାଣିନଥିଲେ, ବାସ୍ ଏତିକି ଜାଣିଥିଲେ ସ୍ୱାମୀଙ୍କୁ ବଞ୍ଚାଇବାକୁ ପଡିବ । ଆଉ ଏଥିପାଇଁ ଓଡ଼ିଶାବାସୀଙ୍କ ସହଯୋଗ ଲୋଡିଥିଲେ ମୌସୁମୀ ।

ସିନ୍ଦୂରର ସୁରକ୍ଷା ପାଇଁ ସାଢେ ୪ କୋଟି ଓଡ଼ିଆଙ୍କ ନିକଟରେ ହାତ ପତାଇଥିଲେ ମୌସୁମୀ । ଆଖିରୁ ଲୁହ ଶୁଖୁନଥିଲା, ମନର କୋହ ଲୁହ ଆକାରରେ ବାହାରକୁ ଚାଲି ଆସୁଥିଲା । କେବଳ ପଦିଏ କଥା କହିଥିଲେ, ବେଶି ନୁହେଁ ଟଙ୍କାଏ ଲେଖାଏଁ ସାହାଯ୍ୟ କରନ୍ତୁ ମୋ ସ୍ୱାମୀ ବଞ୍ଚିଯିବେ । ଜଣେ ଅସହାୟ ପତ୍ନୀ ଏଭଳି ନେହୁରା ହେଉଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଅଭିଷେକଙ୍କୁ ବଞ୍ଚାଇବା ପାଇଁ ଆରମ୍ଭ ହୋଇଥିଲା ଅଭିଯାନ । ସେଲିବିଟ୍ରିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ, ସମସ୍ତେ ଯେପରି ଅଭିଷେକଙ୍କ ଜୀବନ ବଞ୍ଚାଇବା ଏକାଠି ହୋଇଯାଇଥିଲେ । କିଏ ଟଙ୍କାଏ ଦେଲା, ତ କିଏ ଲକ୍ଷେ । ବିନ୍ଦୁ ବିନ୍ଦୁ ଜଳରୁ ଯେପରି ସମୁଦ୍ରର ସୃଷ୍ଟି ଠିକ୍ ସେହିଭଳି ମାତ୍ର ୨୪ ଘଣ୍ଟାରେ ୪୦ ଲକ୍ଷରୁ ଅଧିକ ଟଙ୍କା ପହଞ୍ଚିଥିଲା ଅଭିଷେକଙ୍କ ଜୀବନ ବଞ୍ଚାଇବା ପାଇଁ । ଆଉ ତା’ ପରେ କୋଲାକାତା ଉଡିଥିଲା ଆଶାର ଏୟାର ଆମ୍ବୁଲାନ୍ସ ।

ଯେତେବେଳେ ଅଭିଷେକଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଡ ହୋଇଗଲା ସେତେବେଳେ ପୁଣିଥରେ ସାମ୍ନାକୁ ଆସିଥିଲେ ମୌସୁମୀ । ଏଥର ନିଜ ସ୍ୱାମୀ ଅଭିଷେକଙ୍କ ପାଇଁ ନୁହେଁ ବରଂ ଅନ୍ୟ ଅସହାୟ ରୋଗୀଙ୍କ ପାଇଁ ହାତ ଯୋଡିଥିଲେ ମୌସୁମୀ । ମୋ ସ୍ୱାମୀଙ୍କୁ ଯେମିତି ସହାୟତା କରିଥିଲେ ଅନ୍ୟମାନଙ୍କୁ ମଧ୍ୟ ସେହିଭଳି ସହାୟତା କରିବାକୁ ଗୁହାରୀ କରିଥିଲେ । ଆଉ ଅଭିଷେକଙ୍କ ପାଇଁ କେବଳ ଓଡ଼ିଶାବାସୀଙ୍କ ଆର୍ଶୀବାଦ ଭିକ୍ଷା କରିବା ସହ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ କହିଥିଲେ । ଓଡ଼ିଶାବାସୀଙ୍କ ଆର୍ଶୀବାଦ ତ ଅଭିଷେକଙ୍କ ସହ ରହିଥିଲା କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ଯେଉଁଥିପାଇଁ ମୌସୁମୀଙ୍କୁ ଏକା କରି ଆରପାରିକୁ ଚାଲିଗଲେ ଅଭିଷେକ ।