କନକ ବ୍ୟୁରୋ : ଭାରତରେ ଜଣେ ହେଲେ ବି ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ ସୁଦ୍ଧା ଏହା ୩୦ଟି ଦେଶକୁ ବ୍ୟାପିଗଲାଣି । ତେଣୁ ଆଗୁଆ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି କେନ୍ଦ୍ର ସରକାର । ଗୁରୁବାର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ତେଣୁ ଅନୁମାନ କରାଯାଉଛି ଏହାପରେ ମଙ୍କିପକ୍ସକୁ ନେଇ ରାଜ୍ୟଗୁଡିକ ପାଇଁ ଗାଇଡଲାଇନ ଜାରି କରାଯାଇପାରେ । ଏହାରି ଭିତରେ ମଙ୍କିପକ୍ସର ଉତ୍ପତିକୁ ନେଇ ରୋଚକ କାହାଣୀ ସାମ୍ନାକୁ ଆସିଛି ।

Advertisment

୧୯୫୦ର କଥା । ପୋଲିଓ ବିରୋଧରେ ଲଢେଇ ପାଇଁ ସାରାବିଶ୍ୱରେ ଚାଲିଥିଲା ଜୋରଦାର ଉଦ୍ୟମ । ୟୁରୋପ ଓ ଉତର ଆମେରିକାର ଲ୍ୟାବଗୁଡିକରେ ଏହାର ମୁକାବିଲା ପାଇଁ ଚାଲିଥିଲା ଟିକା ପ୍ରସ୍ତୁତି । ଟିକାର ପରୀକ୍ଷଣ ପାଇଁ ଲ୍ୟାବଗୁଡିକ ଆବଶ୍ୟକ କରୁଥିଲେ ଏକାଧିକ ମାଙ୍କଡ । ୧୯୫୮ରେ ମାଲେସିଆରୁ ଆସିଥିବା ମାଙ୍କଡଙ୍କ ଦେହରେ ସ୍ମଲପକ୍ସ ବା ବସନ୍ତ ଭଳି କିଛି ଭୂତାଣୁ ଦେଖିବାକୁ ମିଳିଲା । କୋପେନ ହେଗନର ଷ୍ଟେଟ ସିରମ ଇନଷ୍ଟିଚ୍ୟୁଟରେ ପରୀକ୍ଷଣ ପରେ ଏହା ଏକପ୍ରକାର ନୂଆ ଭୁତାଣୁ ବୋଲି ଜଣାପଡିଲା । ମାଙ୍କଡ ଦେହରେ ପ୍ରଥମେ ଚିହ୍ନଟ ହୋଇଥିବାରୁ ବୈଜ୍ଞାନିକମାନେ ଏହାର ନାମକରଣ କଲେ ମଙ୍କିପକ୍ସ ।

ତେବେ ଏହି ଭୂତାଣୁର ଉତ୍ପତିକୁ ନେଇ ଦ୍ୱନ୍ଦ୍ୱ ରହିଥିଲା । କିନ୍ତୁ ୧୯୭୦ ବେଳକୁ ତତକାଳୀନ ଜାଇରେ ଏବଂ ବର୍ତମାନ କେନ୍ଦ୍ରୀୟ ଆଫ୍ରିକାରେ ଥିବା ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରେ ମଣିଷ ଦେହରେ ଏହି ଭୂତାଣୁ ଚିହ୍ନଟ ହେବାରୁ ବୈଜ୍ଞାନିକଙ୍କ ନଜର କେନ୍ଦ୍ରୀୟ ଏବଂ ପଶ୍ଚିମ ଆଫ୍ରିକାରେ କେନ୍ଦ୍ରୀଭୂତ ହେଲା । ୭ଟି ପ୍ରଜାତିର ମାଙ୍କଡ ଓ ୨ଟି ପ୍ରଜାତିର ଗୁଣ୍ଡୁଚିମୂଷା ଦେହରେ ମଙ୍କିପକ୍ସ ଆଂଟିବଡି ଚିହ୍ନଟ ହେବାରୁ ଏହା ଆଫ୍ରିକୀୟ ମାଙ୍କଡଙ୍କ ଦେହରୁ ମଣିଷକୁ ବ୍ୟାପିଥିବା ସ୍ପଷ୍ଟ ହୋଇଗଲା ।
- ଜାଇରେ ଅଂଚଳରେ ଚିହ୍ନଟ ହୋଇଥିବା ୯ ବର୍ଷର ଶିଶୁଟିକୁ ଜ୍ୱର ହେବାରୁ ହସ୍ପିଟାଲ ଅଣା ଯାଇଥିଲା
- ୧୯୭୦ ଅଗଷ୍ଟ ୨୨ରେ ତାଙ୍କୁ ହସ୍ପିଟାଲ ଅଣାଯିବା ପରେ ୨୪ ଅଗଷ୍ଟରେ ଦେହସାରା ଫଳିଗଲା
- ୨ ମାସର ଚିକିତ୍ସା ପରେ ସୁସ୍ଥ ହୋଇଯିବାରୁ ହସ୍ପିଟାଲରୁ ଡିସଚାର୍ଜ କରିବାକୁ ନିଷ୍ପତି ନିଆଗଲା
- ହେଲେ ଅକ୍ଟୋବର ୨୩ରେ ତାଙ୍କୁ ପୁଣି ମିଳିମିଳା ହେଲା ଓ ୬ ଦିନ ପରେ ତାଙ୍କର ମୃତ୍ୟୁ ହୋଇଗଲା

ଆଫ୍ରିକାର ଜଙ୍ଗଲରୁ ମଣିଷ ଦେହକୁ ପ୍ରଥମେ ମଙ୍କିପକ୍ସ ବ୍ୟାପିଥିବା ନେଇ ବୈଜ୍ଞାନିକମାନେ ଦାବି କରିଛନ୍ତି । ମୂଷା ଜାତୀୟ କିଛି ଜଙ୍ଗଲି ଜନ୍ତୁଙ୍କୁ ଘରେ ପୋଷା ଜନ୍ତୁ ଭାବରେ ରଖିବା ଫଳରେ ଆମେରିକାରେ ଏହା ବ୍ୟାପିବାର ଏକ କାରଣ ବୋଲି କୁହାଯାଉଛି । ତେବେ ପୂର୍ବରୁ ଏହା ଏତେ ମାତ୍ରାରେ ବ୍ୟାପୁନଥିଲା । ଏବେ କିନ୍ତୁ ୩୦ଟି ଦେଶକୁ ବ୍ୟାପିଯିବା ପରେ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେଣୁ ମଙ୍କିପକ୍ସ ଭଳି ଲକ୍ଷ୍ୟଣ ଦେଖାଦେଲେ ନମୁନା ସଂଗ୍ରହ କରି ପୁଣେସ୍ଥିତ ଏନଆଇଭିକୁ ପଠାଇବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ରିଟେନରେ ମଙ୍କିପକ୍ସ ଭୂତାଣୁର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯିବା ପରେ ସାରାବିଶ୍ୱର ଚିନ୍ତା ବଢିଯାଇଛି । ଏହା ସଂକ୍ରମିତ ବ୍ୟକ୍ତି କିମ୍ବା ସଂକ୍ରମିତ ପଶୁଙ୍କଠାରୁ ବ୍ୟାପିପାରେ । ତେଣୁ ବିଦେଶ ଫେରନ୍ତାଙ୍କ ଉପରେ ସତର୍କ ନଜର ରଖିବାକୁ କୁହାଯାଇଛି । ସଂଗରୋଧରେ ରଖି ନନୁମା ସଂଗ୍ରହ କରିବା ସହ ପୁଣେ ଲାବୋରେଟୋରୀକୁ ପଠାଇବା ପାଇଁ ନିର୍ଦ୍ଦେଶ ରହିଛି ।