ପାକିସ୍ତାନରୁ ହିନ୍ଦୁସ୍ତାନ, ଆତଙ୍କୀର ଲମ୍ବା ଚେର ! ଜାଣନ୍ତୁ କେମିତି ଶତ୍ରୁ ମାଟିରୁ ଭାରତରେ ପ୍ରବେଶ କରିଥିଲା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ ଆଝାର । 

499

କନକ ବ୍ୟୁରୋ : ଭାରତର ମୋଷ୍ଟ ୱାଂଟେଡ୍ ଆତଙ୍କବାଦୀ ମାସୁଦ୍ ଆଝାର । ଜାନୁଆରୀ ୧୯୯୪ରେ ଯେତେବେଳେ ମାସୁଦ୍ ପ୍ରଥମେ ଭାରତ ଆସିଥିଲା, ରହିଥିଲା ଦିଲ୍ଲୀର ଏକ ସମ୍ଭ୍ରାନ୍ତ ହୋଟେଲରେ । ନକଲି ପର୍ତୁଗୀଜ ପାସପୋର୍ଟ ସହାୟତାରେ ବାଂଲାଦେଶରୁ ଦିଲ୍ଲୀ ଏୟାରପୋର୍ଟ ପହଁଚିଥିବା ମାସୁଦ୍ ଭାରତୀୟ ଅଧିକାରୀ ମାନଙ୍କୁ ନିଜକୁ ଜନ୍ମରୁ ଗୁଜୁରାଟୀ କହି ଚକମା ଦେଇଥିଲା । ଜୈସେ ମୁଖ୍ୟ ମାସୁଦ୍ ଆଝାର ଭାରତ ପାଇଁ ଆଜି ମୋଷ୍ଟ ୱାଂଟେଡ୍, କିନ୍ତୁ ଦିନ ଥିଲା ସମସ୍ତଙ୍କୁ ଚକମା ଦେଇ ସେ ଘୁରିବୁଲୁଥିଲା ରାଜଧାନୀରେ  ।

୧୯୯୪ ଜାନୁଆରୀ ୨୯ ତାରିଖ । ସ୍ଥାନ – ଦିଲ୍ଲୀ ଏୟାରପୋର୍ଟ । ଭଲି ଆଦାମ୍ ଲସାର ନକଲି ପର୍ତୁଗୀଜ ପାସପୋର୍ଟ ସହାୟତାରେ ଦିଲ୍ଲୀରେ ପାଦ ରଖେ ଆତଙ୍କବାଦୀ ମାସୁଦ୍ ଆଝାର୍  । ଏକ ଭଲ ହୋଟେଲକୁ ନେବାକୁ କହିବାରୁ ଚାଣକ୍ୟପୁରୀ ଇଲାକାରେ ଥିବା ସମ୍ଭାନ୍ତ ଅଶୋକା ହୋଟେଲକୁ ତାକୁ ନେଇଯାଏ ଟ୍ୟାକ୍ସି ଡ୍ରାଇଭର । ହୋଟେଲରେ ମାସୁଦ୍ ଆତଙ୍କୀ ସଙ୍ଗଠନ ହରକତ୍ ଉଲ୍ ଅନସରର ଅବୁ ମେହମୁଦ୍ ଓ ଅଶ୍ରଫ୍ ଡାରକୁ ସାକ୍ଷାତ କରେ । ଏହା ପରେ ମାସୁଦ୍ ଓ ଡାର୍ ଦୁହେଁ ଏକ କାରରେ ଦେଓବନ୍ଧ୍ ଯାନ୍ତି  । ଦାରୁଲ ଉଲୁମରେ ରାତ୍ରି ବିଶ୍ରାମ ପରେ ଶାହାରନପୁର ଯାଏ ମାସୁଦ୍ । ସେଠାରେ ମସଜିଦରେ ରହିବା ପରେ ମାସୁଦ୍ ଦିଲ୍ଲୀ ଫେରିବା ଯୋଜନା ତିଆରି କରେ  ।

୧୯୯୪ ଜାନୁଆରୀ ୩୧ ତାରିଖ । ଦିଲ୍ଲୀକୁ ଫେରିଆସେ ମାସୁଦ୍ । କନାଟ୍ ପ୍ୟାଲେସ ଜନପଥ ହୋଟେଲ ପହଁଚେ ମାସୁଦ୍ ଓ ସେଠାରେ ୩ଜଣ ପାକିସ୍ତାନୀ ଆତଙ୍କୀଙ୍କ ସହ ହୁଏ ଭେଟ । ଫେବୃଆରୀ ୯ ତାରିଖ ସୁଦ୍ଧା ଶ୍ରୀନଗର ଫେରିବକୁ ଥିବାରୁ ଅନ୍ୟ କିଛି ସହଯୋଗୀଙ୍କୁ ଭେଟିବାକୁ ସେ ବସରେ ଲକ୍ଷେ୍ନø ଯାଏ । ଭେଟ ନହୋଇପାରିବାରୁ ସେ ଦିଲ୍ଲୀ ଫେରି କରୋଲବାଗରେ ଥିବା ସିସ୍ ମହଲ ହୋଟେଲକୁ ଚାଲିଆସେ । ଫେବୃଆରୀ ୮ ତାରିଖରେ ସେ ନିଜାମୁଦ୍ଦିନରେ ତବଲିଘ ଉଲ୍ ଜମାତକୁ ଯାଏ ଓ ଆତଙ୍କବାଦୀଙ୍କୁ ଉପହାର ଦେବା ପାଇଁ ମକା ମଦିନାର ଦିଗ ଜାଣିବାକୁ ଆବଶ୍ୟକ କମ୍ପାସ୍ କିଣେ ।

ଏହା ପରେ ଫେବୃଆରୀ ୯ରେ ମାସୁଦ୍ ଶ୍ରୀନଗର ପହଁଚି ଆତଙ୍କବାଦୀଙ୍କୁ ଭେଟେ  । ବାଂଲାଦେଶରୁ ଦିଲ୍ଲୀ, ଦିଲ୍ଲୀରୁ ଶ୍ରୀନଗର ଏଭଳି ଅନେକ ସ୍ଥାନକୁ ମାସୁଦ୍ ସମସ୍ତଙ୍କୁ ଚକମା ଦେଇ ଯିବା ଆସିବା କରେ । ତେବେ ମୁଜାହିଦ୍ଦିନ ସଦସ୍ୟଙ୍କୁ ଭେଟି ଫେରୁଥିବା ବେଳେ ମାଟିଗଂଜରେ ଗିରଫ ହୁଏ ଏହି କୁଖ୍ୟାତ ଆତଙ୍କୀ । ଆଫଗାନିସ୍ତାନରେ ଆତଙ୍କବାଦୀ ତାଲିମ ଅଧାରୁ ଛାଡ଼ିଥିବା ମାସୁଦ୍ ୧୯୯୯ କାନ୍ଦାହାର ବିମାନ ଅପହରଣ ଘଟଣା ପରେ ମୁକୁଳେ ଓ ଜୈସେ ମହମ୍ମଦ ପାଇଁ ପକାଏ ମୁଳଦୁଆ  ।