କନକ ବ୍ୟୁରୋ: ସରକାରୀ ସହାୟତାରୁ ବଞ୍ଚିତ ହୋଇ ଦୁର୍ବିସହ ଜୀବନ ବିତାଉଛନ୍ତି ଅସହାୟ ପରିବାର । ସାତ ସପନ ପାଲଟିଛି ସରକାରୀ ସହାୟତା । ରହିବା ପାଇଁ ଘର ଖଣ୍ଡଏ ନଥିବାରୁ ବିପଦଶଙ୍କୁଳ ଅବସ୍ଥାରେ ଦଦରା ମାଟି ଘରେ ଜୀବନ ଯାପନ କରୁଛନ୍ତି । ନାତି ଓ ବିଧବା ବୋହୂକୁ ନେଇ ଚାଳ କୁଡ଼ିଆ ଘରେ ଆଶ୍ରୟ ନେଇଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଟେଙ୍ଗ୍ରାମାରି ଗାଁର ଶେଫାଳି ପଣ୍ଡା ।

Advertisment

ପୁଅ ଆରପାରିରେ, ବୋହୂ ମୁଲ ଲାଗି ଶାଶୁ ଓ କୁନି ପୁଅ ମୁହଁରେ ବହୁ କଷ୍ଟରେ ଦାନା ଗଣ୍ଡିଏ ଦେଉଛନ୍ତି । ସେଥିରେ ପୁଣି ଓଳିଏ ଖାଇଲେ ଓଳିଏ ଉପାସରେ ରହିବାକୁ ପଡେ ଶେଫାଳି ପଣ୍ଡାଙ୍କ ପରିବାରକୁ। ରହିବା ପାଇଁ ଘର ଖଣ୍ତିଏ ନଥିବାରୁ ଖରା, ବର୍ଷା, ଶୀତ କାକରରେ ଦଦରା ମାଟି ଘରେ ଜୀବନ ବିତାଉଛନ୍ତି । ପୁଅ ବଞ୍ଚିଥିବା ବେଳେ ଶେଫାଳୀଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଘର ଖଣ୍ଡିଏ ମିଳିଲା ନାହିଁ, ପୁଅ ଗଲା ପରେ ବି ବାରମ୍ବାର ନିବେଦନ କଲେ ବି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଜଣେ ଅସହାୟ ବୃଦ୍ଧା ।

ଅନେକ ସ୍ଥାନରେ ଧନୀ ଲୋକଙ୍କୁ ଘର ମିଳୁଛି, କୋଠା ଘର ଥିଲାବାଲାଙ୍କୁ ଆବାସ ମିଳିଥିବା ଅଭିଯୋଗ ବାରମ୍ବାର ଆସିଛି । କିନ୍ତୁ ଏହି ଅସହାୟ ପରିବାର ପାଇଁ ସତେ ଯେମିତି ସମସ୍ତେ ଆଖି ବୁଜି ଦେଇଛନ୍ତି । ସରକାରୀ ସହାୟତା କହିଲେ କେବଳ ୧୫ କେଜି ଚାଉଳ, ବିଧବା ଭତ୍ତା ମିଳୁଛି । ତେବେ ଆବାସ ଯୋଜନାରେ ଘରଟିଏ, ଅନ୍ତଦୋୟ ଯୋଜନାରେ ୩୫ କେଜି ଚାଉଳ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସେପଟେ ଭୋଗରାଇ ବିଡିଓ କହିଛନ୍ତି, ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ରହିଛି, କୌଣସି ପ୍ରତିକ୍ରିୟା ଦେଇପାରିବେ ନାହିଁ । ଜିଲ୍ଲାପାଳ ଓ ବ୍ଳକ ଅଧ୍ୟକ୍ଷ ମଧ୍ୟ ଏଥିରେ କୌଣସି ପ୍ରତିକ୍ରିୟା ଦେବେନାହିଁ ବୋଲି ରୋକଠୋକ କହି ଦେଇଛନ୍ତି ।