ଦୈନିକ କେତେ ଟିକା ତିଆରି ହେଉଛି? ଦୈନିକ ଉତ୍ପାଦିତ ଟିକାରୁ କେତେ ଟିକା ଟିକାକରଣ କେନ୍ଦ୍ରରେ ପହଞ୍ଚୁଛି? କେରଳ ହାଇକୋର୍ଟରେ ତଥ୍ୟ ଦେଲେ କେନ୍ଦ୍ର ସରକାର

186

କନକ ବ୍ୟୁରୋ: କରୋନାର ମୁକାବିଲା ପାଇଁ ବର୍ତମାନ ଦେଶରେ ପ୍ରମୁଖ ଅସ୍ତ୍ର ଟିକାକରଣ । ହେଲେ ଏହି ଟିକା ଦୈନିକ କେତେ ତିଆରି ହେଉଛି , ଆଉ ଦୈନିକ ଉତ୍ପାଦିତ ଟିକାରୁ କେତେ ଟିକା , ଟିକାକରଣ ପାଇଁ ପହଁଚୁଛି ଟିକାକରଣ କେନ୍ଦ୍ରରେ, କଣ ଆପଣ ଜାଣିଛନ୍ତି । ଏନେଇ କେରଳ ହାଇକୋର୍ଟରେ ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର ।

କରୋନା ଟିକା ପାଇଁ ଧାଡିରେ ଠିଆ ହୋଇଥିବା ଲୋକଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇଯାଉଛି , ଟିକା ନେବା ପାଇଁ ସେମାନଙ୍କ ମଧ୍ୟରେ କେତେ ରହିଛି ଉତ୍ସାହ । ହେଲେ ଧାଡିର ଶେଷରେ ଠିଆ ହୋଇଥିବା ଲୋକଙ୍କ ମନରେ ନିଶ୍ଚିତ ଗୋଟିଏ ପ୍ରଶ୍ନ ରହିଥିବ, ଆଜି ଆମକୁ ଟିକା ମିଳିବ ତ । ପ୍ରତ୍ୟକ ଟିକାକରଣ କେନ୍ଦ୍ରରେ ପହଁଚୁଥିବା ଲୋକଙ୍କର ଏହା ହେଉଛି ମନର କଥା । କାରଣ ଆବଶ୍ୟକତା ଅନୁସାରେ ପହଁଚୁନି ଟିକା । ଏହାକୁ ନେଇ ଦେଶର ହଜାର ହଜାର ଟିକାକରଣ କେନ୍ଦ୍ରରେ ବନ୍ଦ ରହୁଛି ଟିକାକରଣ । ଆଉ ନୋଟିସରେ ଝୁଲୁଛି ଟିକା ନାହିଁ । ବର୍ତମାନ କେରଳ ହାଇକୋର୍ଟରେ କେନ୍ଦ୍ର ସରକାର ଦେଇଥିବା ତଥ୍ୟ ଦେଶର ଟିକାକରଣର କିଛି ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି ।

କେରଳ ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ତଥ୍ୟ
-ଦେଶରେ ମାସକୁ ତିଆରି ହେଉଛି ୮.୫ କୋଟି ଡୋଜ୍ ଟିକା
-ଦୈନିକ ସାରାଦେଶରେ ୧୨ ରୁ ୧୩ ଲକ୍ଷ ହେଉଛି ଟିକାକରଣ
-ଏହି ହିସାବରେ ଦୈନିକ ଦେଶରେ ତିଆରି ହେଉଛି ୨୮.୩୩ ଲକ୍ଷ ଟିକା
-ଉତ୍ପାଦିତ ଟିକାର ମାତ୍ର ୫୭ ପ୍ରତିଶତ ଟିକାକରଣରେ ଲାଗୁଛି

କେରଳ ହାଇକୋର୍ଟ ଗତ ମେ ୨୦ ତାରିଖରେ ଦେଶର ଏହି ଟିକାକରଣକୁ ନେଇ ନିଜ ଆଡୁ କେନ୍ଦ୍ର ଠାରୁ ଉତ୍ତର ଜାଣିବାକୁ ଚାହିଁଥିଲେ । ଏହାକୁ ନେଇ କେନ୍ଦ୍ର ଦେଇଥିବା ତଥ୍ୟ ଦେଶର ଟିକା ଉତ୍ପାଦନ ଓ ଟିକାକରଣର ବାସ୍ତବ ଚିତ୍ର ସାମ୍ନାକୁ ଆଣିଛି । ଟିକା ଅଭାବରୁ ଦିଲ୍ଲୀ, ମହାରାଷ୍ଟ୍ର ପରି ଅନେକ ଅଧିକ ସଂକ୍ରିମିତ ରାଜ୍ୟରେ ପ୍ରଭାବିତ ହୋଇଛି ଟିକାକରଣ । ଫଳରେ ବାହାରୁ ଟିକା କିଣିବାକୁ ସଂପୃକ୍ତ ରାଜ୍ୟ ଗୁଡିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଉତ୍ପାଦିତ ଟିକାର ଯଦି ୫୭ ପ୍ରତିଶତ ମାତ୍ର ଟିକାକରଣରେ ଲାଗିବ, ଏପରି ସ୍ଥିତି ନିଶ୍ଚିତ ଉପୁଯିବ ।

ଆସନ୍ତୁ ଜାଣିବା ଟିକା ନିର୍ମାଣ କରୁଥିବା ଦୁଇଟି ଫାର୍ମରେ
ମାସକୁ ତିଆରି ହେଉଛି କେତେ ଟିକା ?
ମାସକୁ ସେରମ୍ ଇନଷ୍ଟିଚୁଟ୍ ତିଆରି କରୁଛି ୬.୫ କୋଟି କୋଭିସିଲଡ୍
ମାସକୁ ଭାରତ ବାୟୋଟେକ୍ ତିଆରି କରୁଛି ୨ କୋଟି କୋଭାକ୍ସିନ୍
ଭାରତ ସରକାରଙ୍କ ଆଶା, ଜୁଲାଇ ମାସ ବେଳକୁ ବଢିବ ଟିକା ଉତ୍ପାଦନ

ବର୍ତମାନ ସେରମ୍ ଇନଷ୍ଟିଚୁଟ୍ ଏହାର ଟିକା ଉତ୍ପାଦନ କ୍ଷମତା ୫ କୋଟିରୁ ସାଢେ ୬ କୋଟି ଏବଂ ଭାରତ ବାୟୋଟେକ୍ ୯୦ ଲକ୍ଷରୁ ୨ କୋଟିକୁ ବୃଦ୍ଧି କରିଛି । ଆସନ୍ତା ଜୁଲାଇ ମାସ ବେଳକୁ ଭାରତରେ ତିଆରି ହେଉଥିବା ଋଷିଆ ଟିକା ସ୍ପୁଟନିକ୍ ଭୀ , ମାସିକ କୋଟିଏ ୨୦ ଲକ୍ଷ ଡୋଜ୍ କୁ ବୃଦ୍ଧି ହୋଇଥିବ ।

ଦେଶରେ ରାଜ୍ୟ ଗୁଡିକୁ ଟିକା ଯୋଗାଣ ନେଇ କୌଣସି ନିର୍ଦ୍ଦିଷ୍ଟ ନୀତି କରିନାହିଁ କେନ୍ଦ୍ର । କେରଳ ହାଇକୋର୍ଟରେ ତଥ୍ୟ ଦିଆଯାଇଛି । ଯାହା କେନ୍ଦ୍ର ସରକାରଙ୍କ କରୋନା ମୁକାବିଲାର ହୁଗୁଳା ଦିଗକୁ ପଦାରେ ପକାଇଛି ।