କରୋନା କାଳରେ ରାଜ୍ୟରେ କେତେ ବନ୍ଦ ହୋଇଛି କ୍ଷୁଦ୍ର ଶିଳ୍ପ ?

ଖୁବଶୀଘ୍ର ଘୋଷଣା ହେବକି ସ୍ୱତନ୍ତ୍ର ପ୍ୟାକେଜ, ଗୃହରେ ଉତ୍ତର ରଖିଲେ ଶିଳ୍ପ ମନ୍ତ୍ରୀ

149

କରୋନା ଉଜାଡି ଦେଲା ବେପାର । କରୋନା ମହାମାରୀ କାଳରେ ପ୍ରଭାବିତ ହୋଇଛି ଶିଳ୍ପ । କରୋନା ସ୍ଥିତି ପାଇଁ ରାଜ୍ୟରେ ବନ୍ଦ ହୋଇଯାଇଛି ୩ହଜାର ୨୦୭ ସୁକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ । ୨୦୨୧ ଏପ୍ରିଲ ୨୧ସୁଦ୍ଧା ୩ହଜାର ୨୦୭ଟି ଉଦ୍ୟୋଗ ବନ୍ଦ ହୋଇଛି । ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହୀନିପତିଙ୍କ ପ୍ରଶ୍ନରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତର ରଖି ଏହି ସୂଚନ ଦେଇଛନ୍ତି ।

ତେବେ ଏନେଇ ସରକାର କଣ ପଦକ୍ଷେପ ନେଇଛନ୍ତି ସେ ନେଇ ଉତ୍ତର ରଖିଛନ୍ତି ମନ୍ତ୍ରୀ । ସେ କହିଛନ୍ତି, କୋଭିଡ ମହାମାରୀ ଯୋଗୁଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକର ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କର ସ୍ୱତନ୍ତ୍ର କୋଭିଡ ପ୍ୟାକେଜ ଅନୁଯାୟୀ ୨୦୨୦-୨୧ଆର୍ଥିକ ବର୍ଷରେ ଇସିଏଲଜିଏସରେ ବ୍ୟାଙ୍କ ମାନଙ୍କ ଦ୍ୱାରା ସହାୟତା ପାଇଥିବା ଉଦ୍ୟୋଗ ମାନଙ୍କୁ ପୁରୁଷଙ୍କ ପାଇଁ ୨ପ୍ରତିଶତ ଓ ମହିଳାଙ୍କ ପାଇଁ ୫ପ୍ରତିଶତ ହିସାବରେ ୧୦୮କୋଟି ୨୯ଲକ୍ଷ ଟଙ୍କାର ସୁଧରେ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ପାଇଁ ବ୍ୟୟ ଅଟକଳ କରାଯାଇଥିଲା ।

ଏଥିପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ୯୯କୋଟି ୮୭ଲକ୍ଷ ୨୦ହଜାର ଟଙ୍କା ମଂଜୁର କରିଛନ୍ତି ଓ ଅଗଷ୍ଟ ୨୩ତାରିଖ ସୁଦ୍ଧା ୪୭୩ଜଣ ଉଦ୍ୟୋଗୀଙ୍କୁ ଟଙ୍କା ଦିଆଯାଇଛି । ତେବେ ବନ୍ଦ ହୋଇଯାଇଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକୁ ଚିହ୍ନଟ ପାଇଁ ରାଜ୍ୟ ସରକାର ଏମଏସଏମଇ ଗଣନା ୨୦୨୧ ପ୍ରକ୍ରିୟା ଆରମ୍ଭ ହୋଇଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।