ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: କଂଗ୍ରେସ, ବାମଦଳ ଓ ଆଇଏସଏଫ୍ ମଧ୍ୟରେ ଛିଡିଲା ଆସନ ବୁଝାମଣା । ପଢନ୍ତୁ କାହାକୁ କେତେ ଆସନ

661

କନକ ବ୍ୟୁରୋ : ଚଳିତମାସ ଶେଷ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ଶାସକ ତୃରମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଘମାଘୋଟ ଲଢେଇ ଦେଖିବାକୁ ମିଳିଥିବା ବେଳେ ଉଭୟ ବିଜେପି ଓ ଟିଏମସିକୁ ଟକ୍କର ଦେବାକୁ ମେଣ୍ଟ ବାନ୍ଧିଛନ୍ତି ବାମମୋର୍ଚ୍ଚା, କଂଗ୍ରେସ ଓ ଇଣ୍ଡିଆନ ସେକୁଲାର ପ୍ରଣ୍ଟ । ମେଣ୍ଟ ନେଇ ଉଭୟ ୩ ଦଳଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିଲା । ଯାହାର ପ୍ରତିଫଳନ ଗତ ରବିବାର ଦିନ ବ୍ରିଗ୍ରେଡ ଗ୍ରାଉଣ୍ଡରେ ଦେଖିବାକୁ ମିଳିଥିଲା । ହେଲେ ଆସନ ବୁଝାମଣା ନେଇ କିଛିଟା ବିବାଦ ରହିଥିଲା ।

ସଦ୍ୟ ମିଳିଥିବା ସୂଚନା ମୁତାବକ ଉଭୟ ୩ ଦଳଙ୍କ ମଧ୍ୟରେ ଆସନ ବୁଝାମଣା ନେଇ ସହମତି ପ୍ରକାଶ ପାଇଛି । ରାଜ୍ୟରେ ମୋଟ ୨୯୪ ବିଧାନସଭା ଆସନ ମଧ୍ୟରୁ ବାମଦଳ ୧୬୫, କଂଗ୍ରେସ ୯୨ ଓ ଆଇଏସଏଫ୍ ୩୭ ଟି ଆସନରେ ପ୍ରତିଦ୍ୱନ୍ଦିତା କରିବ ବୋଲି ଜଣାପଡିଛି । ଅନ୍ୟପଟେ ମେଣ୍ଟ ମାର୍ଚ୍ଚ ୮ ତାରିଖରେ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ନେଇ ସମ୍ଭାବନା ରହିଛି । ନିର୍ବାଚନ କମିଶନଙ୍କ ସୂଚନା ମୁତାବକ ରାଜ୍ୟରେ ୮ ଟି ପର୍ଯ୍ୟାୟରେ ମତଦାନ ହେବ । ମାର୍ଚ୍ଚ ୨୭ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଏପ୍ରିଲ ୨୯ ତାରିଖରେ ଶେଷ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ମେ’ ୨ ତାରିଖରେ ନିର୍ବାଚନ ଫଳା ଫଳ ଘୋଷଣା କରାଯିବ । ସଂପ୍ରତି ରାଜ୍ୟ ବିଧାନସଭାରେ କଂଗ୍ରେସର ୪୪ ଜଣ ବିଧାୟକ ଥିବା ବେଳେ ବାମଦଳରୁ ୨୬ ଜଣ ବିଧାୟକ ରହିଛନ୍ତି  । ଆଗାମୀ ନିର୍ବାଚନରେ ବିଜେପି ଓ ଟିଏମସି ମଧ୍ୟରେ ଚାଲିଥିବା ଲଢେଇରୁ ଏହି ମେଣ୍ଟ ଲାଭ ଉଠାଇବ ବୋଲି ମେଣ୍ଟର ନେତାମାନେ କହିଛନ୍ତି   ।