ଉଚ୍ଚ ନ୍ୟାୟାଳୟରେ ପଡି ରହିଛି ୧,୮୭,୦୨୮ ବିଚାରଧୀନ ମାମଲା । ଜାଣନ୍ତୁ ତୁରନ୍ତ ଶୁଣାଣି ପାଇଁ କଣ ନିଆଯାଇଛି ପଦକ୍ଷେପ?

114

କନକ ବ୍ୟୁରୋ : ବଲିଉଡ ଫିଲ୍ମ ଦାମିନୀର ଦମଦାର ଡାଇଲଗ ତାରିଖ ପେ ତାରିଖ କିଏ ବା ନଶୁଣିଛି । କୋର୍ଟ ରୁମରେ ସନ୍ନି ଦେଓଲଙ୍କ ଏହି ଡାଇଲଗ ବିଳମ୍ବିତ ନ୍ୟାୟ ପ୍ରକ୍ରିୟାକୁ ସଂକେତ ଦେଇଥିଲା । କିଭଳି ନ୍ୟାୟ ପାଇବା ପାଇଁ ଲୋକଙ୍କୁ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡେ ତାହାର ଝଲକ ଏଥିରେ ଦେଖିବାକୁ ମିଳିଥିଲା । ତେବେ କୋର୍ଟରେ ବିଭିନ୍ନ ମାମଲାର ଶୁଣାଣି ପାଇଁ କାହିଁକି ଏତେ ସମୟ ଲାଗେ? କଣ ଏହା ପଛର କାରଣ, କିଛି ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିବା ସ୍ୱାଭାବିକ । ଆଉ ଏହାର ସରଳ ଉତ୍ତର ହେଉଛି କୋର୍ଟରେ ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ମାମଲା ପଡିରହିବା । ଦେଶର ପ୍ରତିଟି କୋର୍ଟରେ କିଛି ଏଭଳି ଅବସ୍ଥା । ଆଉ ଓଡ଼ିଶା ଏଥିରୁ ବାଦ୍ ପଡନ୍ତା ବା କିପରି? ଏବେ ସୁଦ୍ଧା ଓଡ଼ିଶାର ଉଚ୍ଚ ନ୍ୟାୟଳୟ ସହ କେଉଁ ବିଚାର ବିଭାଗୀୟ ଅଦାଲତରେ କେତୋଟି ମାମଲା ବିଚାରଧୀନ ରହିଛି ଏବଂ ଗତ ୩ ବର୍ଷରେ କେତୋଟି ମାମଲାର ଫଇସଲା ହୋଇଛି । ଏହାସହ ବଳକା ମାମଲାର ଫଇସଲା ପାଇଁ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ବିଧାୟକ ସୌଭିକ ବିଶ୍ୱାଳଙ୍କ ଏଭଳି ପ୍ରଶ୍ନର ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।

ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି,  ଅକ୍ଟୋବର ଶେଷ ସୁଦ୍ଧା ଜିଲ୍ଲା କୋର୍ଟରେ ୧୭,୬୮,୭୦୪ ମାମଲା ଓ ଉଚ୍ଚ ନ୍ୟାୟାଳୟରେ ୧,୮୭,୦୨୮ ଗୋଟି ମାମଲା ବାକି ରହିଛି । ଏହାଛଡା ବିଗତ ୩ ବର୍ଷରେ ୮,୯୫,୪୧୨  ଗୋଟି ମାମଲାର ଫଇସଲା ହୋଇଛି । ବିଭିନ୍ନ କୋର୍ଟରେ ଏତେ ଗୁଡିଏ ମାମଲା ପଡି ରହିଥିବା ବେଳେ ଏହାର ଆଶୁ ଫଇସଲା ପାଇଁ ଉଚ୍ଚ ନ୍ୟାୟାଳୟ ଏରିଅର କମିଟି  ଓ ମିଶନ ମୋଡ କମିଟି ଗଠନ କରି ବିଚାରଧୀନ ମାମଲାର ଶୀଘ୍ର ଫୈସଲା ପାଇଁ ବ୍ୟବସ୍ଥା କରୁଛନ୍ତି । ଏହାସହ ଉଚ୍ଚ ନ୍ୟାୟାଳୟ ଜିଲ୍ଲା ଜଜ୍ ମାନଙ୍କୁ  ପଡି ରହିଥିବା ମାମଲା ଗୁଡିକର ଶୀଘ୍ର ଫୈସଲା କରିବାକୁ ନିୟମିତ ବ୍ୟବଧାନରେ ନିର୍ଦ୍ଦେଶ ଦିଆଯାଉଛି । ଏସବୁ ବାଦ୍ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ବିଭିନ୍ନ ନ୍ୟାୟାଳୟ ପ୍ରତିଷ୍ଠା କରିବା ସହ ଲୋକ ଅଦାଲତ ଜରିଆରେ ଜନସାଧାରଣଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବାକୁ ବିହିତ ପଦକ୍ଷେପ ନେଉଛନ୍ତି ।