ଡେଇଁ ଚାଲିଛି ଡେଙ୍ଗୁ : କେଉଁଠି କେତେ ରୋଗୀ ଚିହ୍ନଟ ? 

91

କନକ ବ୍ୟୁରୋ : ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଛି । ଭୁବନେଶ୍ୱରରୁ ପୁଣି ୪୮ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ୨ହଜାରରୁ ଅଧିକ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଗଲାଣି । ଅଗଷ୍ଟ ମାସରେ ୭୬୩ ଓ ସେପ୍ଟେମ୍ବରରେ ବର୍ତ୍ତମାନ ସୁଦ୍ଧା ୧ହଜାର ୩ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏହା ବ୍ୟତୀତ ଭୁବନେଶ୍ୱର ଉପକଣ୍ଠରୁ ୫ଶହରୁ ଅଧିକ ଡେଙ୍ଗୁ ରୋଗୀ ଅଛନ୍ତି । ବର୍ତ୍ତମାନ ଟେଷ୍ଟିଂ ପଜିଟିଭିଟି ରେଟ୍ ଶତକଡ଼ା ୬୦ପ୍ରତିଶତରୁ ହ୍ରାସ ପାଇ ୩୦ପ୍ରତିଶତକୁ ଆସିଛି ।

ସେହିପରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ମଧ୍ୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଛି । ୩ଜଣ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ସହ ଜିଲ୍ଲାରେ ମୋଟ ୫୬ଜଣ ଚିହ୍ନଟ ହୋଇଛନ୍ତି । ଗତବର୍ଷ ୨୦୨୧ରେ ଗଞ୍ଜାମ ଜିଲ୍ଲାରେ ମୋଟ ୩୩୩ ଜଣ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାପୂର୍ବରୁ ୨୦୨୦ରେ ମାତ୍ର ୯ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ସେହିପରି ୨୦୧୯ରେ ୩୦୭ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨୦୧୮ରେ ୧୫୫ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଚଳିତ ବର୍ଷ ୫୬ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇ ସାରିଲେଣି ।

ସେପଟେ ସୁନ୍ଦରଗଡ ଜିଲ୍ଳାରେ ମୋଟ ୧୧୦ରୁ ଅଧିକ ଡେଙ୍ଗୁ ରୋଗୀ ଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ରାଉରକେଲାରୁ ସର୍ବାଧିକ ୯୯ଜଣଙ୍କୁ ଚିହ୍ନଟ କରାଯାଇଛି । ମୟୂରଭଞ୍ଜରେ ମଧ୍ୟ ଗତ ମାସକ ଭିତରେ ୩୨ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୧୨ ଜଣ ଜିଲ୍ଲାରେ ଓ ୨୦ ଜଣ କଟକରେ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା ନଥିବାରୁ ଅଧିକାଂଶ ରୋଗୀଙ୍କୁ କଟକ ପଠାଇ ଦିଆଯାଉଛି ।