ଆଉ କେତେ ବର୍ଷ ଯାଏଁ ଜଳ ସମସ୍ୟାରେ ଘାଣ୍ଟି ହେବେ ଗ୍ରାମବାସୀ: ମାଲକାନଗିରି ଚିତ୍ରକୋଣ୍ଡାରେ ଚୂଆର ଗୋଳିଆ ପାଣିରେ ମେଣ୍ଟୁଛି ଶୋଷ

26

କନକ ବ୍ୟୁରୋ: ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ । ଶୋଷିଲା ମଣିଷଙ୍କ ସଂଘର୍ଷ । ବଲାଙ୍ଗୀର ତୁରେକେଲା ବ୍ଲକ ବାହାବଲ ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଗାଁରେ ଥିବା ୩ଟି ନଳକୂପରୁ ୨ଟି ଅଚଳ ହୋଇପଡିଥିବା ବେଳେ ଗୋଟିଏ ନଳକୂପ ଉପରେ ନର୍ଭର କରୁଛି ପୁରା ଗାଁ । ରାତି ପାହିଲେ ପାଣି ପାଇଁ ନଳକୂପ ଆଗରେ ଲମ୍ବା ଲାଇନ୍ ଲାଗୁଛି । ଲୋକ ଶୋଷ ମେଂଟାଇବା ପାଇଁ ସଂଘର୍ଷ କରୁଛନ୍ତି । ସେପଟେ ଗାଁରେ ୪୦ ହଜାର କ୍ଷମତା ବିଶିଷ୍ଟ ଓଭର ହେଡ଼ ଟାଙ୍କି ବସିଛି, କିନ୍ତୁ ଜଳ ଯୋଗାଣ ହେଉନାହିଁ । ଫଳରେ ଗାଁ ଦାଣ୍ଡରେ ବସିଥିବା ଷ୍ଟାଣ୍ଡପୋଷ୍ଟ ଗୁଡ଼ିକ ଭାଙ୍ଗିରୁଜିଗଲାଣି ।

ସେପଟେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଉପାନ୍ତ ଅଂଚଳରେ ମଧ୍ୟ ପିଇବା ପାଣି ପାଇଁ ହାହାକାର ପଡିଛି । ଖରା ଆରମ୍ଭରୁ ୪୫ ପରିବାରକୁ ମିଳୁ ନାହିଁ ପିଇବା ପାଣି । ଆରଏସି-୧୮ ଗାଁରେ ୩ଟି ନଳକୂପ ଓ ୨ଟି ସୋଲାର ପମ୍ପ ପାଣି ରହିଛି । ହେଲେ ସେଥିରୁ କେବଳ ସକାଳେ ମାତ୍ର ଦୁଇ ଘଂଟା ପାଣି ଆସୁଛି । ଗାଁରେ ଥିବା ନଳକୂପରୁ ଲୁହା ଗୁଣ୍ଡ ଓ କାଦୁଅ ମିଶ୍ରିତ ପାଣି ବାହାରୁଛି । ତେଣୁ ଲୋକମାନେ ଗାଁ ଠାରୁ ଦେଢ଼ କିଲୋମିଟର ଦୁରରେ ଥିବା ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି । ଜଳ ସମସ୍ୟାକୁ ନେଇ ପଂଚାୟତ ଅଧିକାରୀଙ୍କ ଠୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଜଣାଇଛନ୍ତି ଗ୍ରାମବାସୀ । ହେଲେ କେହି ତାଙ୍କ ଗୁହାରି ଶୁଣୁ ନଥିବା ଅଭିଯୋଗ କରିଛନ୍ତି । ଯଦି ପ୍ରଶାସନ ଗ୍ରାମାଂଚଳରେ ଯଥାଶିଘ୍ର ପିଇବା ପାଣିର ବ୍ୟାବସ୍ଥା ନକରେ ତେବେ ଖରା ବଢିଲେ, ଲୋକଙ୍କ ସମସ୍ୟା ବଢିଯିବାର ସମ୍ଭାବନା ରହିଛି ।