କନକ ବ୍ୟୁରୋ : ଇସ୍ରାଏଲ ଓ ଚରମପନ୍ଥୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଉଗ୍ର ହେବାରେ ଲାଗିଛି । ଏହି କ୍ରମରେ ଇସ୍ରାଏଲର ସେନା ଯବାନ, ହମାସର ଯୋଦ୍ଧା ଓ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ବଢିବାରେ ଲାଗିଛି । ଉଭୟ ପକ୍ଷରୁ ଚାଲିଥିବା ଆକ୍ରମଣ ଫଳରେ ହଜାର ହଜାର ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇସାରିଲାଣି । ଏହାକୁ ନଜରରେ ରଖି ଯେଉଁ ଭାରତୀୟମାନେ ଇସ୍ରାଏଲରୁ ଫେରିବାକୁ ଇଚ୍ଛା କରୁଛନ୍ତି ସେମାନଙ୍କ ପାଇଁ ଭାରତ ସରକାର ଅପରେଶନ ଅଜୟ ନାମରେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଇସ୍ରାଏଲରୁ କିଛି ଭାରତୀୟଙ୍କୁ ଧରି ଭାରତୀୟ ବିମାନ ଆଜି ଭାରତରେ ପହଂଚିପାରେ ବୋଲି ଆଶା କରାଯାଉଛି ।

Advertisment

ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଂକର କହିଛନ୍ତି କି ଏଭଳି ସ୍ଥିତିରେ ଇସ୍ରାଏଲ ଓ ପାଲେଷ୍ଟାଇନରୁ କିଭଳି ଭାରତୀୟଙ୍କୁ ଉଦ୍ଧାର କରାଯିବ ତାହା ଉପରେ ନଜର ରହିଛି । ସେହିଭଳି ଭାରତୀୟ ଦୂତାବାସ ତରଫରୁ ଭାରତୀୟ ନାଗରିକଙ୍କ ପାଇଁ ଏକ ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଓ ଇ-ମେଲ ଆଇଡି ଜାରି କରାଯାଇଛି ।

ଭାରତୀୟ ଦୂତାବାସର ସୂଚନା ମୁତାବକ ଯୁଦ୍ଧ ପ୍ରଭାବିତ ଇସ୍ରାଏଲରେ ଭାରତୀୟ ବଂଶୋଦ୍ଭବ ପାଖା ପାଖି ୮୫ ହଜାର ଲୋକ ୟୁହିଦୀ ସମୁଦାୟ ଅଟନ୍ତି । ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ମଧ୍ୟରୁ ସବୁଠାରୁ ଅଧିକ ଲୋକ ମହାରାଷ୍ଟ୍ରର ବୋଲି କୁହାଯାଉଛି । ଏହା ତଳକୁ ରହିଛି କେରଳ ।

ଏହାସହ ଇସ୍ରାଏଲର ଅନେକ ସହରରେ ଭାରତୀୟ ହିନ୍ଦୁମାନେ ମଧ୍ୟ ବାସ କରୁଛନ୍ତି । ଭାରତୀୟ ଦୂତାବାସର ସୂଚନା ମୁତାବକ ଇସ୍ରାଏଲରେ ମୋଟ ୬,୪୨୭ ଜଣ ହିନ୍ଦୁ ରହୁଛନ୍ତି । ଏହାସହ ୧୮ ହଜାରରୁ ଅଧିକ ଭାରତୀୟ ନାଗରିକ ସେଠାରେ ବୟସ୍କ ମାନଙ୍କୁ ଦେଖାରଖା କରିବା ଭଳି ପେଶାରେ ରହିଛନ୍ତି ।