କନକ ବ୍ୟୁରୋ: ଓଡ଼ିଶାରେ ବଢ଼ିବ କି ଜିଲ୍ଲା ସଂଖ୍ୟା? ୧୩ରୁ ୩୦ ହୋଇଥିଲା, ୩୦ରୁ ବଢ଼ିବ କେତେ ?ଏହି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ, ପଦ୍ମପୁରକୁ ଜିଲ୍ଲା ମାନ୍ୟତାର ପ୍ରତିଶ୍ରୁତି ମିଳିବା ପରେ ଏବେ ଓଡ଼ିଶାର ଏକାଧିକ ଉପଖଣ୍ଡରୁ ଉଠୁଛି ଜିଲ୍ଲା ମାନ୍ୟତା ଦାବି । ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଏବଂ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ରେ କ୍ରମାଗତ ଭାବେ ଏହି ଦାବି ହେଉଛି । ଏବେ ଏହି ତାଲିକାରେ ୧୦ରୁ ଅଧିକ ଉପଖଣ୍ଡଙ୍କ ନାଁ ଯୋଡ଼ି ହୋଇଯାଇଛି । ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, କେନ୍ଦୁଝର ଜିଲ୍ଳାର ଆନନ୍ଦପୁର, ରାୟଗଡ଼ା ଜିଲ୍ଲାର ଗୁଣପୁର, ବାଲେଶ୍ୱର ଜିଲ୍ଳାର ଜଳେଶ୍ୱରକୁ ଜିଲ୍ଲା ମାନ୍ୟତା ନେଇ ସାଧାରଣରେ ପ୍ରତିକ୍ରିୟା ଆସୁଛି ।

Advertisment

୧୯୯୩ ମସିହାରେ ଓଡ଼ିଶାର ଜିଲ୍ଳା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି କରାଯାଇଥିଲା । ସେହି ସମୟରେ ବଡ଼ ଜିଲ୍ଲା ଥିବା ମୟୁରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ଅକ୍ଷୃର୍ଣ୍ଣ ରହିଥିଲା । ତେବେ ବର୍ତମାନ ସମୟରେ ଜନସଂଖ୍ୟାର ବୃଦ୍ଧି ଓ ଜିଲ୍ଲା ମୁଖ୍ୟାଳୟର ଦୂରତାକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ଜିଲ୍ଲା ମାନ୍ୟତା ଦାବି ବଢ଼ିବାରେ ଲାଗିଛି ।

ତେବେ ପଦ୍ମପୁର ପ୍ରତିଶ୍ରୁତିର ବହୁ ପୂର୍ବରୁ ଓଡ଼ିଶାର ଜିଲ୍ଲା ସଂଖ୍ୟା ବୃଦ୍ଧି ନେଇ ଅନେକ ସମୟରେ ଚର୍ଚ୍ଚା ହୋଇ ଆସିଛି । ଆଉ ରାଜଧାନୀ ସହର ଭୁବନେଶ୍ୱରର ଜନସଂଖ୍ୟା ଦୃଷ୍ଟିରୁ ଜିଲ୍ଲା ମାନ୍ୟତା ନେଇ ମଧ୍ୟ ଯୁକ୍ତି କରାଯାଉଛି ।