ଓଡ଼ିଶାରେ ନିଶା ନିବାରଣ ବିଲ୍ ଆଣିବାକୁ ଜୋର ଧରିଲା ଦାବି । ବିଧାନସଭାରେ ସରଗରମ ଚର୍ଚ୍ଚା, ମହାରଥୀ କହିଲେ, କିଏ ପିଉନାହିଁ ମଦ?

349

କନକ ବ୍ୟୁରୋ : ମଦ ନିବାରଣ ନେଇ ବିଲ ଆଣିବା ପାଇଁ ବିଧାନସଭାରେ ଦାବି ହୋଇଛି । ସେପଟେ ଗାନ୍ଧିଙ୍କୁ ନେଇ ଆଜି ବିଧାନସଭାରେ ଚାଲିଥିଲା ସରଗରମ ଆଲୋଚନା । ଆଉ ସେତିକିବେଳେ ଉପସ୍ଥିତ ସଦସ୍ୟଙ୍କ ପ୍ରତି ତେରଛାବାଣ ମାରିଛନ୍ତି ପ୍ରଦୀପ ମହାରଥୀ । ବିଜେପି ନେତାଙ୍କୁ ମହାରଥୀ ପ୍ରଶ୍ନ କରିଛନ୍ତି, ଆପଣଙ୍କ ମଧ୍ୟରୁ କେତେଜଣ ମଦ ପିଉନାହାନ୍ତି ଓ ଖଦୀ ପିନ୍ଧୁଛନ୍ତି । ନିଜ ଷ୍ଟାଇଲରେ ମହାରଥୀ କହିଥିଲେ, ମୁହଁରେ ରାମ୍ ରାମ୍ ବଗଲ୍ ମେ ଛୁରୀ । ସେପଟେ ତେରେଛା ବାଣ ନ ମାରି ଗୃହରେ ସ୍ୱତନ୍ତ୍ର ଆଲୋଚନା କରିବାକୁ ଦାବି କରିଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ । ଏହାକୁ ନେଇ ଗୃହରେ କିଛି ସମୟ ପାଇଁ ଚାଲିଥିଲା ହୋହଲ୍ଲା ।

ମଦକୁ ନେଇ ବିଧାନସଭାରେ ଘମାଘୋଟ ଆଲୋଚନା । ମଦର ପ୍ରସାର ନେଇ ଉଦବେଗ ପ୍ରକାଶ କଲେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ । ଗୋଟିଏ ଲାଇସେନ୍ସରେ ଏକାଧିକ ମଦ ଦୋକାନ ଖୋଲିବା ଏବଂ ବେଆଇନ ଭାବେ ମଦ ବିକ୍ରି ବଢ଼ୁଥିବା ନେଇ ଗୃହରେ ଉଦବେଗ ପ୍ରକାଶ ପାଇଥିଲା । ସେହିପରି ମଦରେ ଅପମିଶ୍ରଣ ଯୋଗୁଁ ଲୋକ ମାରାତ୍ମକ ରୋଗର ଶିକାର ହେଉଛନ୍ତି ବୋଲି ଅଭିଯୋଗ ହୋଇଛି । ରାଜ୍ୟକୁ ମଦମୁକ୍ତ କରିବା ପାଇଁ ସଂପୂର୍ଣ୍ଣ ନିଶା ନିବାରଣ ବିଲ୍ ଆଣିବାକୁ ଦାବି କରିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ।

ମଦ ବନ୍ଦ ପାଇଁ ବିଧାନସଭାରେ ଦାବି ଉଠିଥିବା ବେଳେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ମଧ୍ୟ ଉଠିଥିଲା ପଡିଥିଲା ବିଧାନସଭା । ଏହି ଅବସରରେ ବିଧାୟକ ପ୍ରଦୀପ ମହାରଥୀ ଏକ ଲଘୁ ମନ୍ତବ୍ୟ ଦେଇଥିଲେ । କିଏ ମଦ ପିଅନ୍ତି ନାହିଁ ବୋଲି ଉପସ୍ଥିତ ବିଧାୟକଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଥିଲେ ମହାରଥୀ । ମହାରଥୀଙ୍କ ଏପରି ମନ୍ତବ୍ୟରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା ।

ସେପଟେ ଗାନ୍ଧୀଙ୍କୁ ଆମେ ଭୁଲିଯାଉଛୁ ବୋଲି କହିଥିଲେ କଂଗ୍ରେସ ବିଧାୟକ ଦଳ ନେତା । ଗାନ୍ଧୀଙ୍କ ୧୫୦ ତମ ଜନ୍ମଦିନ ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଥିଲେ ବି କିଛି କାର୍ଯ୍ୟକ୍ରମ ହାତକୁ ନିଆଯାଇନାହିଁ ବୋଲି ଅଭିଯୋଗ କରିଥିଲେ ନରସିଂହ ମିଶ୍ର । ସହିଦ ଦିବସରେ ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେକୁ ପୂଜା କରାଯାଉଥିବା କହି ବିଜେପିକୁ ଆକ୍ଷେପ କରିଥିଲେ ନରସିଂହ । ଏହାକୁ ନେଇ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ସହ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଥିଲା ।

ନରସିଂହ ମିଶ୍ର ଦେଇଥିବା ମନ୍ତବ୍ୟର କିଛି ଅଂଶକୁ ବିବରଣୀରୁ ବାଦ ଦେବା ପାଇଁ ଦାବି କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେହିପରି ଗାନ୍ଧୀଙ୍କ ଅହିଂସା ନୀତିକୁ ସମ୍ବିଧାନରେ ସ୍ଥାନିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆବେଦନକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଓ ଭୂପିନ୍ଦର ସିଂହ ।