ଲଖୀମପୁର ମାମଲାରେ ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଆକ୍ସନ ମୋଡରେ ୟୁପି ସରକାର । ୨ ଜଣଙ୍କୁ ଗିରଫ କରିବା ସହ ମନ୍ତ୍ରୀଙ୍କ ପୁଅକୁ କରାଗଲା ସମନ ।

132

କନକ ବ୍ୟୁରୋ : ଲଖିମପୁର ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ଆକ୍ସନମୋଡକୁ ଆସିଛନ୍ତି ୟୁପି ସରକାର । ସୁପ୍ରିମକୋର୍ଟ, ନିଜ ଆଡୁ ମାମଲାକୁ ଗ୍ରହଣ କରି ଆଜି ଶୁଣାଣି କରିଥିଲେ । ଏବଂ ୟୁପି ସରକାରଙ୍କୁ ପ୍ରଶ୍ନ କରିଥିଲେ, ଏହି ମାମଲାରେ କାହା ବିରୋଧରେ ଅଭିଯୋଗ ଅଛି, କେତେ ଜଣଙ୍କୁ ଗିରଫ କରାଯାଇଛି ? ଏସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଗୋଟିଏ ଦିନ ସମୟ ଦେଇଥିଲେ । ଆଉ ସୁପ୍ରିମକୋର୍ଟଙ୍କ ଏଭଳି ଆଭିମୁଖ୍ୟ ପରେ ତୁରନ୍ତ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏହାଛଡା କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ସମନ କରାଯାଇଛି, କିନ୍ତୁ ଆଶିଷ ମିଶ୍ର ଫେରାର ଅଛନ୍ତି ।

ଲଖିମପୁର ହିଂସାକାଣ୍ଡରେ ସୁପ୍ରିମ ଶୁଣାଣି । ୟୁପି ସରକାରଙ୍କୁ ମାଗିଲେ ଷ୍ଟାଟସ ରିପୋର୍ଟ । ଉତ୍ତରପ୍ରଦେଶ ଲଖିମପୁର ହିଂସାକାଣ୍ଡ ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହେବା ପରେ, ସୁପ୍ରିମକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିଛନ୍ତି । ମୁଖ୍ୟ ବିଚାରପତି ଏନଭି ରମନ୍ନା, ବିଚାରପତି ସୁର୍ଯ୍ୟକାନ୍ତ ଓ ବିଚାରପତି ହିମା କୋହଲିଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି ।

ଖଣ୍ଡପୀଠଙ୍କ ପ୍ରଶ୍ନ ..
– ମାମଲାର ଅଭିଯୁକ୍ତ କିଏ, କାହା ବିରୋଧରେ ମାମଲା ହୋଇଛି ?
– ଯଦି ଏଫଆଇଆରରେ କାହାର ନାଁ ରହିଛି ତେବେ ତାଙ୍କୁ ଗିରଫ କରାଯାଇଛି କି ନାହିଁ ?
– ମାମଲାର ତଦନ୍ତ ଠିକ୍ ଢ଼ଙ୍ଗରେ କରାଯାଉଛି କି ନାହିଁ ?

ଆଡଭୋକେଟ ଜେନେରାଲଙ୍କ ଉତ୍ତର..
– ମାମଲାର ଯାଂଚ ପାଇଁ ଜଣିକିଆ ନ୍ୟାୟିକ କମିଶନ ଗଠନ କରାଯାଇଛି ।

ଖଣ୍ଡପୀଠଙ୍କ ପ୍ରଶ୍ନ ..
– କିଏ ନ୍ୟାୟିକ ଯାଂଚର ନେତୃତ୍ୱ ନେଉଛନ୍ତିି ?

ଖଣ୍ଡପୀଠଙ୍କ ନିର୍ଦ୍ଦେଶ ..
– ସମ୍ପୂର୍ଣ୍ଣ ଘଟଣାର ତଥ୍ୟ ଦାଖଲ କର
– ମୃତକଙ୍କ ମାଙ୍କୁ ଚିକିତ୍ସା ଯୋଗାଇ ଦିଅ

ହିଂସାକାଣ୍ଡ ମାମଲାରେ ଦୁଇ ଗିରଫ । ଫେରାର କେନ୍ଦ୍ର ରାଜ୍ୟ-ଗୃହମନ୍ତ୍ରୀଙ୍କ ପୁଅ । ସୁପ୍ରିମକୋର୍ଟଙ୍କ ତାଗିଦ ପରେ ତୁରନ୍ତ ୟୁପି ପୋଲିସ ଆଶିଷ ପାଣ୍ଡେ ଓ ଲବ କୁଶ ନାମକ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ତେବେ କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ୍ ମିଶ୍ରଙ୍କୁ ଧରି ପାରିନି ପୋଲିସ । ତାଙ୍କୁ ସମନ କରିବା ସହ ସେ ନିଖୋଜ ଥିବା ୟୁପି ପୋଲିସ କହିଛି । କିନ୍ତୁ ଆଶିଷ ହିଁ ଏହି ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି । ଅଜୟ ମିଶ୍ର ହିଁ ଆନ୍ଦୋଳନରତ ଚାଷୀଙ୍କ ଉପରେ ଗାଡି ଚଢ଼ାଇ ମାରିଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ହିଂସାକାଣ୍ଡକୁ ନେଇ ତେଜୁଛି ରାଜନୀତି । ମୃତକଙ୍କ ପରିବାରକୁ ରାହୁଲ ଗାନ୍ଧୀ, ପ୍ରିୟଙ୍କ ଗାନ୍ଧୀ ଭେଟିଛନ୍ତି । ଅଖିଳେଶ ଯାଦବ ବି ଲଖିମପୁର ଗସ୍ତ କରିଛନ୍ତି । ଉତରପ୍ରଦେଶ ଅଭିମୁଖେ ଶୋଭାଯାତ୍ରା କରିଛନ୍ତି ପଞ୍ଜାବ କଂଗ୍ରେସ ସଭାପତି ନବଜ୍ୟୋତ ସିଂହ ସିଦ୍ଧୁ । ଆଉ ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ପଦରୁ ବହିଷ୍କାର କରିବା ସହ ତାଙ୍କ ପୁଅକୁ ଗିରଫ ପାଇଁ ଦାବି କରିଛନ୍ତିି ।

ଲଖିମପୁରରେ ପ୍ରକୃତରେ କଣ ଘଟିଥିଲା ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଏକ ଭିଡିଓ ଟୁଇଟ୍ କରିଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ । ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଚାଷୀ ଆନ୍ଦୋଳନ କରୁଥିବାବେଳେ ଏକ ଜିପ୍ ପଛପଟୁ ଆସୁଛି ଆଉ ସେମାନଙ୍କ ଉପରେ ମାଡି ଯାଉଛି । ଆଉ ଗାଡି ତଳେ ଚାପି ହୋଇଯାଉଛନ୍ତି କିଛି ଆନ୍ଦୋଳନକାରୀ । ଗାଡି ମାଡିଯିବାରୁ ୪ ଚାଷୀଙ୍କର ମୃତ୍ୟୁ ଘଟିଛି । ପରବର୍ତ୍ତୀ ହିଂସାରେ ଆଉ ଚାରି ଜଣଙ୍କ ସମେତ ଜଣେ ସାମ୍ବାଦିକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।