ଗଣତନ୍ତ୍ରର ଆଉ ଏକ କଳା ଅଧ୍ୟାୟ, ଦେଶରେ ଗୋଟିଏ ବର୍ଷରେ କୁପୋଷିତ ପିଲାଙ୍କ ସଂଖ୍ୟା ୯୧ ପ୍ରତିଶତ ବୃଦ୍ଧି

Advertisment
ଗଣତନ୍ତ୍ରର ଆଉ ଏକ କଳା ଅଧ୍ୟାୟ, ଦେଶରେ ଗୋଟିଏ ବର୍ଷରେ କୁପୋଷିତ ପିଲାଙ୍କ ସଂଖ୍ୟା ୯୧ ପ୍ରତିଶତ ବୃଦ୍ଧି

କନକ ବ୍ୟୁରୋ : ଦେଶରେ ୩୩ ଲକ୍ଷରୁ ଅଧିକ ପିଲା କୁପୋଷଣରେ ଶିକାର । ତାହା ମଧ୍ୟରୁ ୧୭ ଲକ୍ଷରୁ ଅଧିକ ପିଲା ଗମ୍ଭୀର ଭାବେ କୁପୋଷଣରେ ଶିକାର ହୋଇଛନ୍ତି । ସବୁଠାରୁ ଅଧିକ ପୁପୋଷିତ ପିଲା ମହାରାଷ୍ଟ୍ର, ଦ୍ୱିତୀୟରେ ବିହାର ଓ ତୃତୀୟରେ ଗୁଜୁରାଟରେ ରହିଛନ୍ତି । ଏହି ପରିସଂଖ୍ୟାନ କୌଣସି ବେସରକାରୀ ସଂସ୍ଥା ନୁହେଁ ବରଂ ନିଜେ ଭାରତ ସରକାର ଦେଇଛନ୍ତି ।

ମହିଳା ଓ ବାଳ ବିକାଶ ମନ୍ତ୍ରଣାଳୟ ଜାତୀୟ ଗଣମାଧ୍ୟମ ପିଟିଆଇ ସୂଚନା ଅଧିକାର ଆଇନ ବଳରେ ମାଗିଥିବା ତଥ୍ୟର ଜବାବ ଦେଇ ଏହି ପରିସଂଖ୍ୟାନ ଜାରି କରିଛନ୍ତି । ମହିଳା ଓ ବାଳବିକାଶ ମନ୍ତ୍ରଣାୟର ସୂଚନା ମୁତାବକ ୨୦୨୦ ତୁଳନାରେ ୨୦୨୧ ରେ କୁପୋଷିତ ପିଲାଙ୍କ ସଂଖ୍ୟା ସର୍ବାଧିକ ବୃଦ୍ଧି ପାଇଛି ।

ଏନେଇ ମହିଳା ଓ ବାଳବିକାଶ ମନ୍ତ୍ରଣାଳୟ ଚିନ୍ତା ବ୍ୟକ୍ତ କରି କହିଛନ୍ତି କି, କୋଭିଡ ମହାମାରୀ କାରଣ ଗରୀବ ଶ୍ରେଣୀର ଲୋକମାନଙ୍କ ପାଇଁ ମୁସ୍କିଲ ବଢିଛି । ଏହା ସହ ଆଗାମୀ ଦିନରେ ଖାଦ୍ୟ ଓ ସ୍ୱାସ୍ଥ୍ୟ ସଂକଟ ସେମାନଙ୍କ ପାଇଁ ଆହୁରି ଚିନ୍ତାଜନକ ହେବ ବୋଲି କୁହାଯାଇଛି ।

ଗତବର୍ଷ ନଭେମ୍ବର ୨୦୨୦ ରେ ବି ମହିଳା ଓ ବାଳବିକାଶ ମନ୍ତ୍ରଣାଳୟ କୁପୋଷଣ ପରିସଂଖ୍ୟାନ ଜାରି କରିଥିଲେ । ଏହି ପରିସଂଖ୍ୟାନ ମୁତାବକ ନଭେମ୍ବର ୨୦୨୦ ମଧ୍ୟରେ ଦେଶରେ ମୋଟ ୯,୨୭,୬୦୬ ଜଣ ପିଲା କୁପୋଷଣରେ ଶିକାର ହୋଇଥିଲେ । ହେଲେ ଏବେର ପରିସଂଖ୍ୟାନକୁ ତୁଳନା କଲେ ଗତବର୍ଷ ତୁଳନାରେ ଚଳିତ ବର୍ଷ କୁପୋଷିତ ପିଲାଙ୍କ ସଂଖ୍ୟା ୯୧ ପ୍ରତିଶତ ବୃଦ୍ଧି ପାଇଛି । ଏହାର ଉତ୍ତରରେ ମହିଳା ଓ ବାଳବିକାଶ ମନ୍ତ୍ରଣାଳୟ କହିଛି କି କୁପୋଷିତ ପିଲାଙ୍କ ସଂଖ୍ୟା ଗୋଟିଏ ବର୍ଷରେ ଏତେ ବଢିବାର ଦୁଇଟି କାରଣ ରହିଛି । ପ୍ରଥମଟି କରୋନା ମହାମାରୀ ଓ ଦ୍ୱିତୀୟଟି ଯେଉଁ ଆଧାରରେ ସର୍ଭେ କରାଯାଉଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ ବୟସ ତୁଳନାରେ ଉଚ୍ଚତା ଓ ଓଜନ କମ ରହିବା ଓ ବାହୁର ମୋଟେଇ ୧୫ ମିଲିମିଟରରୁ କମ ହୋଇଥିଲେ ସେହି ପିଲାକୁ ଗମ୍ଭୀର କୁପୋଷଣ ଶ୍ରେଣୀରେ ଅନ୍ତର୍ଭୂକ୍ତ କରାଯିବ । ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ କୁପୋଷିତ ପିଲାଙ୍କୁ ରୋଗର ଭୟର ସର୍ବାଧିକ ରହିଥାଏ ।

ପିଟିଆଇକୁ ଆରଟିଆଇ ମାଧ୍ୟମରେ ମିଳିଥିବା ତଥ୍ୟ ମୁତାବକ ମହାରାଷ୍ଟ୍ରରେ କୁପୋଷିତ ପିଲାଙ୍କ ସଂଖ୍ୟା ୬,୧୬,୭୭୨ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪,୫୮,୭୮୮ ଜଣ ପିଲା ଗମ୍ଭୀର କୁପୋଷଣରେ ଶିକାର ହୋଇଛନ୍ତି । ସେହିଭଳି କୁପୋଷଣ ମାମଲାରେ ଦ୍ୱିତୀୟରେ ରହିଛି ବିହାର । ଏଠାରେ କୁପୋଷିତ ପିଲାଙ୍କ ସଂଖ୍ୟା ୪,୭୫,୮୨୪ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗମ୍ଭୀର କୁପୋଷିତ ପିଲାଙ୍କ ସଂଖ୍ୟା ୧,୫୨,୦୮୩ ରହିଛି । ଅନ୍ୟପଟେ ଗୁଜୁରାଟରେ ମୋଟ ୩,୨୦େ,୪୬୫ ଜଣ ପିଲା କୁପୋଷଣରେ ଶିକାର ହୋଇଥିବା ବେଳେ ୧,୬୫,୩୬୪ ଜଣ ପିଲା ଗମ୍ଭୀର କୁପୋଷଣରେ ପୀଡିତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe