ନାଇଟ୍ କର୍ଫ୍ୟୁ ରଖିଲେ, ଯାତ୍ରାକୁ ଅନୁମତି ଦେଲେ । କେତେବେଳେ ଦୁଲୁକିବ ରଙ୍ଗମଞ୍ଚ, ସରକାରଙ୍କୁ ପ୍ରଶ୍ନ କଲେ କଳାକାର ।

249

କନକ ବ୍ୟୁରୋ : ଅଗଷ୍ଟ ମାସ ପାଇଁ ଜାରି ଗାଇଡଲାଇନରେ ଯାତ୍ରାକୁ ଅନୁମତି ଦେଇଛନ୍ତି ସରକାର । ହେଲେ ନାଇଟ କର୍ଫ୍ୟୁକୁ ବଳବତର ରଖାଯାଇଛି । ତେଣୁ ଯାତ୍ରା କେମିତି ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି ଯାତ୍ରା କଳାକାର । ରାଜ୍ୟ ସରକାର ପକ୍ଷରୁ ଜାରି ମାର୍ଗଦର୍ଶିକାରେ ଏଭଳି ଅଦୂରଦର୍ଶିତାକୁ ନେଇ ଯାତ୍ରା କଳାକାର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଯାତ୍ରାକୁ ଅନୁମତି ଦେଇ ସରକାର ରଖିଲେ କେଁ ? ନାଇଟକର୍ଫ୍ୟୁରେ ଯାତ୍ରା ଚାଲିବା ସମ୍ଭବ କି ? ରାତି ୮ଟା ପୂର୍ବରୁ ଯାତ୍ରା ହୋଇପାରିବ କି ? ୫୦ ପ୍ରତିଶତ ଦର୍ଶକକୁ ନେଇ ଯାତ୍ରା ପରିବେଷଣ ପାଇଁ ସରକାର ଅନୁମତି ଦେବା ପରେ ଏ ହେଉଛି ଯାତ୍ରା କଳାକାରଙ୍କ ଅସନ୍ତୋଷ । ଯାତ୍ରା କରିବା ପାଇଁ ଅନୁମତି ଦେବାବେଳେ ସରକାରଙ୍କ ଦୁରଦୃଷ୍ଟିର ଅଭାବ ଦେଖିବାକୁ ଦେଖିବାକୁ ମିଳିଛି । ଯାତ୍ରା ସାଧାରଣତଃ ରାତିରେ ହୋଇଥାଏ । ସେପଟେ ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହୋଇଥିବାରୁ ଯାତ୍ରା କେମିତି ହେବ ସେନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ।

ଗତବର୍ଷ ସରକାର ଜିଲ୍ଲା ପ୍ରଶାସନକୁ ଦାୟିତ୍ୱ ଦେଇ ଖସିଯାଇଥିଲେ ଓ ଯାତ୍ରା ହୋଇପାରିନଥିଲା । ଯେଉଁଠି ହୋଇଥିଲା ସେଠାରେ ନିୟମ ଉଲ୍ଲଙ୍ଘନ କହି ଯାତ୍ରାକୁ ଅଧାରୁ ବନ୍ଦ କରିଦିଆଯାଇଥିଲା । ଏବେ ପ୍ରଶ୍ନ ଉଠୁଛି, ନାଇଟ୍ କର୍ଫ୍ୟୁ ମଧ୍ୟରେ କିପରି ହେବ ଯାତ୍ରା ପରିବେଷଣ? କଳାକାର ଯାତ୍ରା କରିବେ କିପରି ? ନାଇଟ୍ କର୍ଫ୍ୟୁରେ ଯାତ୍ରା ଦେଖିବାକୁ ଦର୍ଶକ ଆସିବେ କିପରି ? ୮ଟା ପୂର୍ବରୁ ଯାତ୍ରା ହେଲେ ଦର୍ଶକ ଆସିବେ ତ ? ଏହାଛଡା ଯାତ୍ରା ପେଣ୍ଡାଲରେ ୨ ହଜାରରୁ କମ ଦର୍ଶକ ହେଲେ ମାଲିକ ହିଁ କ୍ଷତି ସହିବେ ଓ ଯାତ୍ରା କରିବା ସମ୍ଭବ ନୁହେଁ ବୋଲି କଳାକାର କହିଛନ୍ତି ।

କରୋନା ଛଡାଇନେଇଛି ଜୀବିକା । ଏବେ ଘରେ ଦୁର୍ଦ୍ଦଶାରେ ପଡିବା ଛଡା କଳାକାରଙ୍କ ପାଖରେ ଆଉ କିଛି ରାସ୍ତା ନାହିଁ । ଏବେ ଯାତ୍ରା କଳାକାର ନିଷ୍ପତି ନେଇଛନ୍ତି ଆସନ୍ତା ୯ ତାରିଖରେ ଆନ୍ଦୋଳନ କରିବେ ।