ଉଠୁଛି ପଡୁଛି ବରଗଡ…ଧନୁଯାତ୍ରାର ଆକର୍ଷଣ ସାଜିଛି ମଥୁରା ନରେଶଙ୍କ ରାଜଦରବାର…ବିରାଟ ମଞ୍ଚରେ ପାତ୍ରମନ୍ତ୍ରୀଙ୍କ ସହ ଅଭିନୟ କରି ଦର୍ଶକଙ୍କ ମନ ମୋହୁଛନ୍ତି କଂସ ମହାରାଜା

275

କନକ ବ୍ୟୁରୋ: ବରଗଡରେ ଜମୁଛି ଧନୁଯାତ୍ରା । ଧନୁଯାତ୍ରାର ବିଶେଷ ଆକର୍ଷଣ ସାଜିଛି କଂସଙ୍କ ରାଜଦରବାର । ବିରାଟ ମଂଚରେ ପାତ୍ରମନ୍ତ୍ରୀଙ୍କ ସହ ଅଭିନୟ କରି ଦର୍ଶକଙ୍କ ମନ ମୋହୁଛନ୍ତି ମହାରାଜ କଂସ । ୭୩ ଫୁଟ ଉଚ୍ଚତା ବିଶିଷ୍ଟ ଏହି ରାଜଦରବାରକୁ ନିର୍ମାଣ କରିଛନ୍ତି ପଶ୍ଚିମବଙ୍ଗର ୧୧ ଜଣ କାରିଗର । ସେହିପରି ଶିବ ଲିଙ୍ଗ ଓ ଶିବ ଧନୁ, ରାଜା ଅତିଥୀଶାଳା ଓ କଳକାରଙ୍କ ସାଜସଜା ପାଇଁ ଥିବା ଗ୍ରୀନ ରୁମ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଆଉ ସବୁଠୁ ବଡ କଥା ହେଉଛି, ରାଜଦରବାରରେ ନିର୍ମାଣ ଶୈଳୀ ଜରିଆରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ନ କରିବାକୁ ସେଚତନତା ବାର୍ତ୍ତା ଦିଆଯାଇଛି ।

ଅନ୍ୟପଟେ, ଗୋପପୁରରେ କୃଷ୍ଣ-ବଳରାମଙ୍କ ବାଲ୍ୟଲୀଳା ଜମି ଆସୁଥିବା ବେଳେ ଆଜି ଅଭିନିତ ହେବ ବସ୍ତ୍ରହରଣ ଦୃଶ୍ୟ । ଗୋପୀମାନଙ୍କ ବସ୍ତ୍ର ହରଣ କରିବେ ମହାପ୍ରଭୁ । ସେହିପରି ଗୋପୀଙ୍କ ଦଧିବିକା, ମହାପ୍ରଭୁଙ୍କ ଅଳି-ଅଝଟ ଭଳି ଅନେକ ମନୋରମ ଦୃଶ୍ୟ ଅଭିନୀତ ହେବ । ଏପଟେ ମଥୁରାନଗରୀରେ ଆସନ୍ନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବେ ମହାରାଜ କଂସ । ଜଣେ ପରେ ଜଣେ ରାକ୍ଷାସାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିବା ମହାରାଜ ଏଣିକି ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେବେ । ଆଜି ମନ୍ତ୍ରୀପରିଷଦଙ୍କୁ ଡାକି ଏନେଇ ଆଲୋଚନା କରିବେ ମଥୁରାନରେଶ । ଆଉ ଏହାରି ଭିତରେ ଧନୁଯାତ୍ରାର ପଂଚମ ଦିନରେ କାଳୀୟ ନାଗକୁ ଦଳନ କରିଛନ୍ତି ଭଗବାନ କୃଷ୍ଣ ।