କେମିତି ଅଛି ଗାଁରେ ମୋବାଇଲ ସେବା, ରାୟଗଡାରୁ ଆସିଲା ପ୍ରକୃତ ଚିତ୍ର । ନେଟୱର୍କ ପାଇଁ ଗାଁ ମୁଣ୍ଡରେ ମଞ୍ଚା ଉପରେ ଥୁଆ ହେଉଛି ମୋବାଇଲ

125

କନକ ବ୍ୟୁରୋ : ଗାଁରେ କେହି ଗୁରୁତର ଅସୁସ୍ଥ ହୋଇପଡିଲେ ଏବଂ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିବାକୁ ହେଲେ ମୋବାଇଲରେ ନେଟୱର୍କ ଦରକାର । କୌଣସି ସରକାରୀ ଯୋଜନାରେ ଅନଲାଇନ ଆବେଦନ ପାଇଁ ମଧ୍ୟ ଦରକାର ନେଟୱର୍କ । ମୋବାଇଲ ନେଟୱର୍କ ନଥିଲେ କେମିତି ହେବ ପିଲାଙ୍କ ଅନଲାଇନ ପାଠପଢା । ଏହାରି ଭିତରେ ପଂଚାୟତ ନିର୍ବାଚନ ପ୍ରକ୍ରୀୟା ଆରମ୍ଭ ହୋଇଥିବାରୁ ଏବେ ନୂଆ ସମସ୍ୟା ଯୋଡି ହୋଇଯାଇଛି ।
କରୋନା କଟକଣା ଭିତରେ ଡିଜିଟାଲ ପ୍ରଚାର ପାଇଁ କହିଛନ୍ତି ନିର୍ବାଚନ କମିଶନର । ହେଲେ ନେଟୱର୍କ ନଥିବାରୁ କେମିତି ହେବ ଡିଜିଟାଲ ପ୍ରଚାର । ହାଣ୍ଡିରୁ ଗୋଟିଏ ଭାତ ଚିପି, ଭାତ ହେଲାଣି କି ନାହିଁ ଜାଣିବା ଭଳି ଆପଣଙ୍କୁ ଗୋଟିଏ ଜିଲ୍ଲାର ଅସଲ ଚିତ୍ର ବିଷୟରେ କହୁଛୁ । ଏହି ଘଟଣା ଆସିଛି ରାୟଗଡା ଜିଲ୍ଲାର ଦୁର୍ଗମ ଅଂଳଚରୁ । ରାୟଗଡା ବ୍ଲକର ଏକାଧିକ ପଞ୍ଚାୟତରେ ନେଟୱର୍କ ସମସ୍ୟା ରହିଛି । ମୋବାଇଲ ଟାୱାର ଟିଏ ନଥିବାରୁ ଏସବୁ ପଂଚାୟତରେ ଅନଲାଇନ କାମ ହୋଇପାରୁନାହିଁ । ରାୟଗଡା ବ୍ଲକ ପିପିଲିଗୁଡା ପଞ୍ଚାୟତର କିଛି ଯୁବକ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ମୋବାଇଲ ନେଟୱର୍କ ଥିବା ଆବିଷ୍କାର କରିଛନ୍ତି । ଆଉ ସେଥିପାଇଁ ଗାଁରୁ ବାହାରେ ନେଟୱର୍କ ପାଇବାକୁ ଏହି ନାଟ । ପିଲାଏ ବସିବା ପାଇଁ ବାଉଁଶ ବାନ୍ଧି ବେଞ୍ଚ ତିଆରି ହୋଇଛି । ପାଖରେ ଟିକିଏ ଉଚ୍ଚର ଏକ ମୋବାଇଲ ଷ୍ଟାଣ୍ଡ ବି ତିଆରି କରାଯାଇଛି । କାରଣ ଟିକିଏ ଏପଟ ସେପଟ ହେଲେ ନେଟୱର୍କ କଟିଯାଉଛି । କୁହାଯାଏ ଭାରତୀୟମାନେ ବିକଳ୍ପ ଯୋଗାଡ କରିବାରେ ଓସ୍ତାଦ । ସରକାର କିମ୍ବା ପ୍ରଶାସନ କୌଣସି ବିକଳ୍ପ ବାହାର କରିବା ପୂର୍ବରୁ ଗାଁର ଶୀକ୍ଷିତ ଯୁବକମାନେ ନିଜର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏପରି ବାଟ ବାହାର କରିଛନ୍ତି ।