କନକ ବ୍ୟୁରୋ: ଭୂତ ରାସନ କାର୍ଡକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏତିକି ବେଳେ ଚାଉଳ କେଲେଙ୍କାରୀର ଆଉ ଏକ ବଡ ଦିଗ ସାମ୍ନାକୁ ଆସିଛି । କେବଳ ଭୁତ ହିତାଧିକାରୀ ନୁହେଁ, ହିତାଧିକାରୀଙ୍କୁ ଦିଆଯାଉଥିବା ଚାଉଳର ଓଜନରେ ମଧ୍ୟ ହେରଫେର ହେଉଛି । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ଡିଲରଙ୍କୁ ଚରମବାଣୀ ଶୁଣାଇବା ପରେ ଡିଲର ମହାସଂଘ ପାଲଟା ଯୋଗାଣ ବିଭାଗ ଉପରେ ଦୋଷ ଲଦିଛି । ସର୍ବଭାରତୀୟ ଖୁଚୁରା ବିକ୍ରେତା ମହାସଂଘର ଓଡ଼ିଶା ଶାଖା ସଂପାଦକ ସଏଦ ଏକାମ୍ର ହୁସେନ ପ୍ରତିକ୍ରିୟା ଦେଇ କହିଛନ୍ତି, କଣ୍ଟ୍ରୋଲ ଡିଲର ଓଜନରେ ଠକୁ ନାହିଁ ବରଂ ଯୋଗାଣ ଠିକାଦାର ଓଜନରେ ଠକୁଛନ୍ତି। କିଭଳି ଓଜନରେ ଠକେଇ ହେଉଛି, ତା’ର ଏକ୍ସକ୍ଲୁସିଭ ଫଟୋ କନକ ନ୍ୟୁଜ ହାତରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ, ଏଫସିଆଇ ଗୋଦାମରୁ ଚାଉଳ, ରାଜ୍ୟ ପଣ୍ୟାଗାରକୁ ଆସିଥାଏ। ପଣ୍ୟାଗାରରୁ ରିଟେଲ ପାଇଲଟ ମାନେ ଚାଉଳ ବିଭିନ୍ନ ଜିଲ୍ଲାସ୍ତରକୁ ନେଇଥାନ୍ତି। ଏହାପରେ ଚାଉଳ ବ୍ଲକ ସ୍ତରରେ ବଣ୍ଟନ ହୁଏ। ସେଠାରୁ ଡିଲରମାନେ ନେଇ ପଞ୍ଚାୟତ ସ୍ତରରେ ଖାଉଟିକୁ ବଣ୍ଟନ କରିଥାନ୍ତି। ତେବେ ଏଫସିଆଇ ଗୋଦାମରୁ ଚାଉଳ ପଞ୍ଚାୟତସ୍ତରରେ ଯାଇ ପହଞ୍ଚିବା ଭିତରେ କିଭଳି ବାଟମାରଣା ହେଉଛି, କନକ ନ୍ୟୁଜ ହାତରେ ଲାଗିଛି ଏକ୍ସକ୍ଲୁସିଭ ଫଟୋ । ନିର୍ଦ୍ଧାରିତ ମାନ ଅନୁସାରେ, ଗୋଟିଏ ବସ୍ତାରେ ୫୦ କିଲୋ ୫୭୦ ଗ୍ରାମ ଓଜନର ଚାଉଳ ରହିଥାଏ। ହେଲେ ଫଟୋରେ ଦେଖିବାକୁ ମିଳିଛି, କେଉଁ ବସ୍ତାରେ ଚାଉଳ କିଲୋ ୪୭ କିଲୋ ୧୧୦ ଗ୍ରାମ ରହିଛି, ତ କେଉଁଠି ୪୫ କିଲୋ ୫୩୦ ଗ୍ରାମ ରହିଛି।