ଭାରତ କରୁଛି କରୋନା ମୁକାବିଲା: ସଙ୍ଗରୋଧରେ ରହିପାରିଲେ ହିଁ ସୁରକ୍ଷିତ । ହେଲେ ନିଜକୁ ସଙ୍ଗରୋଧ କରି ରଖିବା ଦେଶବାସୀଙ୍କ ପାଇଁ କେତେ ସମ୍ଭବ?

2,227

କନକ ବ୍ୟୁରୋ: ନିଜେ ନିଜକୁ ବନ୍ଦୀ କରନ୍ତୁ ଜନତା । ଅତି ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ । ଜନତା କର୍ଫ୍ୟୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଭଳି ଆହ୍ୱାନ ଭିତରେ ପ୍ରଶ୍ନ ଉଠୁଛି ଯେ, ୧୩୦ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଭାରତ ପାଇଁ ଏହା କେତେ ସମ୍ଭବ?

କାରଣ ସାରା ଦେଶରେ କ୍ୱାରେଂଟାଇନ୍ ଅର୍ଥାତ୍ ସଙ୍ଗରୋଧ କରିବା ସହଜ ନୁହେଁ । ଏଥିପାଇଁ ସରକାର ଉପରେ ଦେଶବାସୀଙ୍କ ବିଶ୍ୱାସ ରହିବା ଜରୁରୀ । ସଙ୍ଗରୋଧ ନିର୍ଦ୍ଦେଶ ଦେବା ପୂର୍ବରୁ ସରକାର ପର୍ଯ୍ୟାପ୍ତ ପରିମାଣର ଭିତିଭୂମି ତିଆରି କରିବା ଆବଶ୍ୟକ । ଯାହାଫଳରେ ଲୋକେ ସୁରକ୍ଷିତ ଭାବେ ନିଜ ଘରେ ସଙ୍ଗରୋଧରେ ରହିପାରିବେ ।

ଦେଶବାସୀଙ୍କୁ କ୍ୱାରେଂଟାଇନ୍ ଅର୍ଥାତ୍ ସଙ୍ଗରୋଧରେ ରଖିବାକୁ ବିଶ୍ୱର ଅନେକ ଦେଶ ପାଖରେ ସେଭଳି କ୍ଷମତା ଓ ଭିତିଭୂମି ରହିଛି । ତେବେ ଭାରତରେ ଏଭଳି ବ୍ୟବସ୍ଥା ଲାଗୁ କରିବା କଷ୍ଟସାଧ୍ୟ ଏବଂ କିଛି ମାତ୍ରାରେ ଅସମ୍ଭବ ମଧ୍ୟ । କାରଣ…
ଭାରତରେ ଅଧିକାଂଶ ଘର ଗୋଟିଏ କିମ୍ବା ଦୁଇଟି କୋଠରୀ ବିଶିଷ୍ଟ
– ଅଧିକାଂଶ ଭାରତୀୟ ଘରେ ଗୋଟିଏ ରୁମରେ ଏକାଠି ରହନ୍ତି
– ଅଧିକାଂଶ ଲୋକ ଯୌଥ ପରିବାରରେ ବାସ କରନ୍ତି
– ଆଦିବାସୀ ଓ ଗ୍ରାମାଂଚଳ ବିଶିଷ୍ଟ ଭାରତରେ ଅଧିକାଂଶ ବଡ ପରିବାର ଅର୍ଥାତ୍ ପରିବାରର ସଦସ୍ୟ ସଂଖ୍ୟା ୩ରୁ ଅଧିକ

ଦେଶରେ ୬୯ ପ୍ରତିଶତରୁ ଅଧିକ ଘରେ ଗୋଟିଏ କିମ୍ବା ଦୁଇଟି କୋଠରୀ ରହିଛି । ୧ କୋଟିରୁ ଅଧିକ ଘରେ ସ୍ୱତନ୍ତ୍ର କୋଠରୀ ସୁବିଧା ନାହିଁ । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଲୋକେ ସାମାଜିକ ଦୂରତା ରଖିବେ କିଭଳି ।

ସର୍ଭେ କହୁଛି, ଦେଶରେ ଗୋଟିଏ କୋଠରୀ ଥିବା ଘର ସଂଖ୍ୟା ୩୭.୧ ପ୍ରତିଶତ । ୩୧. ୭ ପ୍ରତିଶତ ଘରେ ଦୁଇଟି କୋଠରୀ ସୁବିଧା ରହିଛି । ୧୪.୫ ପ୍ରତିଶତ ଘରେ ତିନିଟି କୋଠରୀ ଏବଂ ଚାରିଟି କୋଠରୀ ଥିବା ଘର ସଂଖ୍ୟା ହେଉଛି ୭.୫ ପ୍ରତିଶତ । ୨.୬ ପ୍ରତିଶତ ଘରେ ପାଂଚୋଟି ରୁମ୍ ଏବଂ ୨.୮ ପ୍ରତିଶତ ଘରେ ୬ କିମ୍ବା ତାଠାରୁ ଅଧିକ ରୁମ୍ ରହିଛି । ବଡ କଥା ହେଉଛି, ସାରା ଦେଶର ୩.୯ ପ୍ରତିଶତ ଘରେ ଏକାନ୍ତ କୋଠରୀ ଟିଏ ବି ନାହିଁ । ଦେଶରେ ଏଭଳି ମାତ୍ର ୪ କୋଟି ଘର ରହିଛି ଯେଉଁଠି ଜଣେ ବ୍ୟକ୍ତିଙ୍କ ପାଇଁ ଗୋଟିଏ ଗୋଟିଏ ରୁମ୍ ରହିଛି । ଏଭଳି ସ୍ଥିତିରେ ଦେଶରେ ମାତ୍ର ୧୫ ପ୍ରତିଶତ ଘରେ ସଙ୍ଗରୋଧ ବ୍ୟବସ୍ଥା ସମ୍ଭବ ।

ଭାରତରେ ପରିବାରର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଲେ, କମିଯାଏ କୋଠରୀ ସଂଖ୍ୟା । ଯୌଥ ପରିବାରରେ ଭାଗବଂଟା ବେଳେ ଘର ବି ଭାଗ ଭାଗ ହୋଇଯାଏ । ଏପରିକି ଲୋକେ ନିଜ ଘରେ ଅଲଗା ରୁମ ତିଆରି କରି ତାହା ଭଡାରେ ଲଗାଇଥାନ୍ତି । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, ଭାରତରେ ସଙ୍ଗରୋଧ ବ୍ୟବସ୍ଥା କେତେ ସମ୍ଭବ ।

ଭାରତ ପାଇଁ ସମ୍ଭବ କି ସଙ୍ଗରୋଧ?

– ଭାରତରେ ଅଧିକାଂଶ ଘର ଗୋଟିଏ କିମ୍ବା ଦୁଇଟି କୋଠରୀ ବିଶିଷ୍ଟ
– ଅଧିକାଂଶ ଭାରତୀୟ, ଘରେ ଗୋଟିଏ ରୁମରେ ଏକାଠି ରହନ୍ତି
– ଅଧିକାଂଶ ଲୋକ ଯୌଥ ପରିବାରରେ ବାସ କରନ୍ତି
– ଆଦିବାସୀ ଓ ଗ୍ରାମାଂଚଳ ବିଶିଷ୍ଟ ଭାରତରେ ଅଧିକାଂଶ ବଡ ପରିବାର

ଭାରତ ପାଇଁ ସମ୍ଭବ କି ସଙ୍ଗରୋଧ?
ଗୋଟିଏ କୋଠରୀ- ୩୭.୧ ପ୍ରତିଶତ
ଦୁଇଟି କୋଠରୀ- ୩୧. ୭ ପ୍ରତିଶତ
ତିନିଟି କୋଠରୀ- ୧୪.୫ ପ୍ରତିଶତ
ଚାରିଟି କୋଠରୀ- ୭.୫ ପ୍ରତିଶତ
ପାଂଚୋଟି ରୁମ୍- ୨.୬ ପ୍ରତିଶତ
୬ କିମ୍ବା ତାଠାରୁ ଅଧିକ- ୨.୮ ପ୍ରତିଶତ

ଦେଶର ୩.୯ ପ୍ରତିଶତ ଘରେ ଏକାନ୍ତ କୋଠରୀ ନାହିଁ
ମାତ୍ର ୪ କୋଟି ଘରେ ଜଣେ ବ୍ୟକ୍ତିଙ୍କ ପାଇଁ ଗୋଟିଏ ରୁମ୍ ରହିଛି
ମାତ୍ର ୧୫ ପ୍ରତିଶତ ଘରେ ସଙ୍ଗରୋଧ ବ୍ୟବସ୍ଥା ସମ୍ଭବ