କନକ ବ୍ୟୁରୋ : ଅନଲାଇନ୍ ଶିକ୍ଷା ନେଇ ସରକାର ଯେଉଁ ତଥ୍ୟ ଦେଉଥିଲେ, ତାକୁ ଭୁଲ ପ୍ରମାଣିିତ କରିଛି ଆତ୍ମଶକ୍ତି ଟ୍ରଷ୍ଟ ସହ ମିଶି ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ କରିଥିବା ସର୍ଭେ । ବିଶେଷ କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବସ୍ତିରେ ମହାମାରୀ ବେଳେ ପାଠପଢ଼ାର ବିକଳ ଚିତ୍ର ସାମନାକୁ ଆସିଛି । ସ୍ମାର୍ଟ ଫୋନ ଅଭାବରୁ ଅନଲାଇନରେ ପାଠ ପଢ଼ିପାରୁନାନ୍ତି ୯୦ ପ୍ରତିଶତରୁ ଅଧିକ ପିଲା । ପାଠ ପଢ଼ି ପାରୁନଥିବାରୁ ସେମାନେ ଚାପଗ୍ରସ୍ତ ହେଉଛନ୍ତି । ଯେଉଁ କିଛି ପିଲା ଅନଲାଇନରେ ପଢ଼ି ପାରୁଛନ୍ତି, ସେମାନଙ୍କ ମଧ୍ୟରେ ଅଧିକାଂଶ ପାଠ ବୁଝି ପାରୁନାହାନ୍ତି । ସ୍କୁଲ ବନ୍ଦ ଓ ଅନଲାଇନ ପାଠପଢ଼ା ଠିକ ଭାବେ ହେଉନଥିବାରୁ ମାନସିକ ବିଷାଦ ଭିତରକୁ ଟାଣି ହୋଇଯାଉଛନ୍ତି ଛାତ୍ରଛାତ୍ରୀ ।
ସାମ୍ନାକୁ ଆସିଲା ଅନଲାଇନ୍ ପାଠପଢ଼ାର ସତ । ପାଠ ବୁଝିପାରୁନାହାନ୍ତି ପିଲା, ବଢୁଛି ମାନସିକ ବିଷାଦ । ଆତ୍ମଶକ୍ତି ଟ୍ରଷ୍ଟ ସହ ମିଶି ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ କରିଥିବା ସର୍ଭେ, ଆଖି ଖୋଲିଦେଇଛି । ସର୍ଭେରୁ ଜଣାପଡିଛି, ଗ୍ରାମାଞ୍ଚଳରେ ସମ୍ପୂର୍ଣ୍ଣ ଫେଲ ମାରିଛି ଅନଲାଇନ୍ ପାଠପଢ଼ା ।
ଓଏସସିପିସିଆର୍ ଓ ଆତ୍ମଶକ୍ତି ଟ୍ରଷ୍ଟର ସର୍ଭେ । ୧୭ ଜିଲ୍ଲାର ୮୪ ବ୍ଳକରେ କରାଯାଇଛି ସର୍ଭେ । ସହରାଞ୍ଚଳ ବସ୍ତି ଓ ଗ୍ରାମାଞ୍ଚଳର ସରକାରୀ ସ୍କୁଲରୁ ସଂଗ୍ରହ କରାଯାଇଛି ତଥ୍ୟ । ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୦,୨୫୮ ଛାତ୍ରଛାତ୍ରୀଙ୍କୁ ପଚରା ଯାଇଥିଲା ପ୍ରଶ୍ନ ।
ସର୍ଭେ ବେଳେ ପିଲାମାନେ ଯାହା କହିଥିଲେ, ତାହା ଆଶ୍ଚର୍ଯ୍ୟ କଲା ଭଳି । ଇଣ୍ଟରଭ୍ୟୁରେ ଭାଗ ନେଇଥିବା ୯୧ ପ୍ରତିଶତ ପିଲା କହିଥିଲେ, ସେମାନଙ୍କ ପାଖରେ ସ୍ମାର୍ଟ ଫୋନ ନଥିବାରୁ ଅନଲାଇନ୍ ପାଠପଢ଼ା କଷ୍ଟକର ହୋଇଛି ଏବଂ ସେମାନେ ଚାପରେ ରହୁଛନ୍ତି । ଯେଉଁ କିଛି ପିଲାଙ୍କ ନିକଟରେ ସ୍ମାର୍ଟ ଫୋନ୍ ଉପଲବ୍ଧ ରହିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ପାଠ ବୁଝିପାରୁନଥିବା କହିଛନ୍ତି ।
ସର୍ଭେରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଯେତିକି ନୈରାଶ୍ୟଜନକ, ତା’ଠାରୁ ଅଧିକ ଚିନ୍ତାଜନକ ହୋଇଛି । ନଜର ପକାନ୍ତୁ, ସର୍ଭେରେ ମିଳିଥିବା ତଥ୍ୟ ଉପରେ ।
କେମିତି ଚାଲିଛି ଅନଲାଇନ୍ ପାଠପଢ଼ା ?
୯୧.୦୯ ପ୍ରତିଶତ ପିଲା ସ୍ମାର୍ଟଫୋନ୍ ଅଭାବରୁ ଅନଲାଇନରେ ପଢ଼ି ପାରୁନାହାନ୍ତି
ପାଠ କଷ୍ଟକର ହେଉଛି, ଚାପରେ ରହୁଛନ୍ତି ଛାତ୍ରଛାତ୍ରୀ
ମାତ୍ର ୧୧.୦୯ ପ୍ରତିଶତ ପିଲା ଅନଲାଇନରେ ପାଠ ପଢୁଛନ୍ତି
ସେମାନଙ୍କ ମଧ୍ୟରୁ ୮୭.୭ ପ୍ରତିଶତ ପିଲା ପାଠ ବୁଝିପାରୁନାହାନ୍ତି
୧୨.୮ ପ୍ରତିଶତ ଛାତ୍ରଛାତ୍ରୀ ଶିକ୍ଷକଙ୍କୁ ପ୍ରଶ୍ନ ପଚାରି ପାରୁନାହାନ୍ତି
୮୪ ପ୍ରତିଶତ ଶିକ୍ଷକ ଅନଲାଇନରେ ପଢ଼ାଇବା ପାଇଁ ଅସୁବିଧା ଭୋଗୁଛନ୍ତି
୫୦ ପ୍ରତିଶତ ଶିକ୍ଷକ ନେଟୱର୍କ ଆଦି ସମସ୍ୟାରେ ପଡ଼ିଛନ୍ତି
ସର୍ଭେରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି, ଗ୍ରାମାଞ୍ଚଳରେ ଅନଲାଇନ ପାଠପଢ଼ା ପିଲାଙ୍କ ପାଖରେ ପହଞ୍ଚିପାରୁନ୍ତି । ସେମାନଙ୍କ ମଧ୍ୟରେ ମାନସିକ ଚାପ ବୃଦ୍ଧି ପାଇଛି । ଆଉ ଏକ ବଡ଼ ତଥ୍ୟ ହେଉଛି, ସ୍କୁଲ ବନ୍ଦ ଥିବାରୁ ତିନି ଚତୁର୍ଥାଂଶ ପିଲା ମାନସିକ ଓ ଶାରୀରିକ ନିର୍ଯାତନା ଭୋଗୁଛନ୍ତି । ମହାମାରୀ ଯୋଗୁଁ ସବୁଠୁ ଅଧିକ ଅସୁବିଧାର ସାମ୍ନା କରୁଛନ୍ତି ଛୋଟ ଛୋଟ ପିଲାମାନେ ।
ଦୁଃଖ ଦେଇଛି ମହାମାରୀ
୭୪.୬ ପ୍ରତିଶତ ପିଲା ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ହୋଇଛନ୍ତି
୪୫.୫ ପ୍ରତିଶତ ପିଲା ଘରକାମରେ କରୁଛନ୍ତି ସହାୟତା
ମହାମାରୀ ସମୟରେ ହୋଇଥିବା ଏହି ସର୍ଭେରୁ ମିଳିଥିବା ତଥ୍ୟ ଆଧାରରେ ଏହାର ସାମଧାନ ନେଇ ମଧ୍ୟ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ମାଧ୍ୟମରେ ଏହା ସରକାରଙ୍କୁ ଦିଆଯିବ । ରାଜ୍ୟ ସରକାର ଏ ନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି ଓଏସସିପିସିଆର ଅଧ୍ୟକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/vlcsnap-2021-12-15-19h41m56s289.png)