ଲକଡାଉନରେ କେମିତି ଚାଲିଛି ଧଳଜହର କାରବାର ? ତାଲାବନ୍ଦ ବେଳେ ଜବତ ହୋଇଛି ଅଧିକ ପରିମାଣର ହେରୋଇନ୍, ଏତେ ପରିମାଣର ବ୍ରାଉନସୁଗାର ଓ ଗଞ୍ଜେଇ ଆସୁଛି କେଉଁଠୁ ?

197

କନକ ବ୍ୟୁରୋ : ଲକଡାଉନରେ କୁଆଡୁ ଆସୁଛି ବ୍ରାଉନସୁଗାର ? କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ସାରା ରାଜ୍ୟରେ ତାଲାବନ୍ଦ ଥିବା ବେଳେ, କଟକଣା ଭିତରେ କିନ୍ତୁ ଜମୁଥିଲା ବ୍ରାଉନସୁଗାର ବେପାର । ଗତ କିଛି ବର୍ଷ ଧରି ପୋଲିସ୍ ବିଭିନ୍ନ ସ୍ଥାନରେ ଚଢଉ କରି ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ କରିବାରେ ସକ୍ଷମ ହୋଇଛି । ବିଗତ ୪ ବର୍ଷର ପରିସଂଖ୍ୟାନକୁ ଲକ୍ଷ୍ୟ କଲେ, ୨୦୨୦ରେ ବ୍ରାଉନସୁଗାର ଜବତର ପରିମାଣ ସର୍ବାଧିକ ରହିଥିଲା । ୨୦୧୭ରେ ୪୧୧ ଗ୍ରାମ, ୨୦୧୮ରେ ୧କେଜି୪୫ ଗ୍ରାମ, ୨୦୧୯ରେ ୨କେଜି ୬୪୭ଗ୍ରାମ, ୨୦୨୦ରେ ୩୫କେଜି ୬୧୬ ଗ୍ରାମ ଏବଂ ୨୦୨୧(ଅପ୍ରେଲ୍ ସୁଦ୍ଧା) ୯କେଜି ୫୦୭ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି ।

ସେହିପରି ଗଞ୍ଜେଇ ଚୋରା କାରବାର ରୋକିବା ନିମନ୍ତେ ପୋଲିସ୍ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ପୋଲିସ୍ ସଫଳତା ପାଇଥିଲା । ୨୦୧୭ରେ ୩୦୪ କ୍ୱିଂଟାଲ ୩କେଜି, ୨୦୧୮ରେ ୫୨୩ କ୍ୱିଂଟାଲ ୮୯ କେଜି, ୨୦୧୯ରେ ୬୧୮ କ୍ୱିଂଟାଲ ୧୫ କେଜି ଏବଂ ୨୦୨୦ରେ ସର୍ବାଧିକ ୧୫୪୯ କ୍ୱିଂଟାଲ ୮୦ କେଜି ଗଞ୍ଜେଇ ଜବତ କରାଯାଇଥିଲା । ୨୦୨୦ ପରେ ବ୍ରାଉନସୁଗାର ଓ ଗଞ୍ଜେଇ ଜବତ କରିବାରେ ଏସଟିଏଫ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଅଦ୍ୟାବଧି ଏସଟିଏଫ ୧୦୦ରୁ ଉଦ୍ଧ୍ୱର୍ ଚୋରା ବ୍ୟବସାୟୀଙ୍କୁ ଗିରଫ କରିଥିବାବେଳେ ୩୨ କେଜି ବ୍ରାଉନସୁଗାର/ହେରୋଇନ୍ ଏବଂ ୬୬ କ୍ୱିଂଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ।

ତେବେ ଏହାରି ଭିତରେ ବଡ଼ ପ୍ରଶ୍ନ ଉଠୁଛି, ଏତେ ପରିମାଣର ଧଳାଜହର ଆସୁଛି କେଉଁଠୁ ? କେଉଁଠାରୁ ଆସୁଛି, କେଉଁଠାକୁ ଯାଉଛି ? ଆଉ ଏହି ଚୋରାଚାଲାଣ ପଛରେ କେଉଁମାନଙ୍କର ହାତ ରହିଛି ? ବ୍ରାଉନସୁଗାର, ଗଞ୍ଜେଇ ଜବତ କରାଯାଉଛି ସତ, କିନ୍ତୁ ଏହି ଚୋରାଚାଲାଣର ଚେର ପାଖରେ ପହଞ୍ଚିବା ପୋଲିସ ଏବଂ ଏସଟିଏଫ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି ।