କନକ ବ୍ୟୁରୋ: ଗୋପାଳ କାହିଁକି ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରିଲା, ଆଜି ପର୍ଯ୍ୟନ୍ତ ଏହା ସନ୍ଦେହ ଘେରରେ ରହିଛି । ନବ ଦାସଙ୍କ ହତ୍ୟାକାଣ୍ଡ ପରେ ଗୋପାଳର ମାନସିକ ସ୍ଥିତି ଠିକ୍ ନଥିବା, ମାନସିକ ରୋଗ ପାଇଁ ଔଷଧ ଖାଉଥିବା ପରିବାର ଲୋକ କହିଥିଲେ । ଏପରିକି କ୍ରାଇମବ୍ରାଞ୍ଚ ମଧ୍ୟ ଗୋପାଳର ମାନସିକ ପରୀକ୍ଷା ପାଇଁ କୋର୍ଟକୁ ଅନୁରୋଧ କରିଥିଲେ ।

Advertisment

ଆଉ ଏହାରି ଭିତରେ କନକ ନ୍ୟୁଜ ହାତରେ ଲାଗିଛି ଗୋପାଳର ହେଲଥ କାର୍ଡ । ଏପ୍ରିଲ ୬ ତାରିଖରେ ମାନସିକ ରୋଗ ବିଶେଷଜ୍ଞଙ୍କ ଏକ ଟିମ୍ ଚୌଦ୍ୱାର ଜେଲକୁ ଯାଇ ଗୋପାଳର ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ କରି ଏହି ରିପୋର୍ଟ ଦେଇଥିଲେ । ସେଥିରେ ଉଲ୍ଲେଖ କରିଥିଲେ –

ଗୋପାଳର ମାନସିକ ସ୍ଥିତି
ସାଇକୋମୋଟର ଆକ୍ଟିଭିଟି – ସ୍ୱାଭାବିକ
ମିଜାଜ୍ – ଠିକ୍ ଅଛି
ପ୍ରଭାବ – ସ୍ୱାଭାବିକ ଓ ପ୍ରତିକ୍ରିୟାଶୀଳ
ଚିନ୍ତାଧାରା – ସ୍ୱାଭାବିକ
ଧାରଣା – କୌଣସି ଅସ୍ୱାଭାବିକତା ନାହିଁ
ସ୍ମୃତିଶକ୍ତି – ସାଧାରଣ
ବୁଦ୍ଧିମତ୍ତା - ହାରାହାରି

ଡାକ୍ତରୀ ଟିମ୍ ଏହି ରିପୋର୍ଟ ଦେବା ସହ କଟକ ବଡ଼ ମେଡିକାଲର ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ଅଧିକ ପରୀକ୍ଷାନିରୀକ୍ଷା ପାଇଁ ପଠାଇବାକୁ ପରାମର୍ଶ ଦେଇଥିଲେ ।

ଜେଲ କର୍ତୃପକ୍ଷ ଦର୍ଶାଇଥିଲେ ଯେ ଖାଇବା, ଶୋଇବା ଠାରୁ ଆରମ୍ଭ କରି ଦୈନନ୍ଦିନ କାର୍ଯ୍ୟ ଗୋପାଳ ଠିକ୍ ଭାବେ କରୁଛି । ବହି ପଢିବା, ନିଜର ଯତ୍ନ ନେବା ସବୁକିଛି ସ୍ୱାଭାବିକ ଭାବେ କରୁଛି ନବ ଦାସଙ୍କ ହତ୍ୟା ଅଭିଯୁକ୍ତ । କିନ୍ତୁ ଗୋପାଳର କହିବା ଅନୁଯାୟୀ ମାନସିକ ରୋଗର ଚିକିତ୍ସା ପାଇଁ ତାକୁ ୪ଟି ମେଡିସିନ ଜେଲରେ ଦିଆଯାଉଛି । ଜେଲ ଫାର୍ମାସିଷ୍ଟଙ୍କ ତତ୍ୱାବଧାନରେ ସେ ଔଷଧ ସେବନ କରୁଛି । ଗୋଟିଏ ପଟେ ଅଦାଲତରେ ଦୋଷ ସ୍ୱୀକାର କରୁଛି ଗୋପାଳ, ଅନ୍ୟପଟେ ମାନସିକ ରୋଗୀ ଦର୍ଶାଇ ଔଷଧ ଖାଉଛି । ଏହା ଭିତରେ କି ରହସ୍ୟ ଅଛି, ତାହା ହିଁ ସନ୍ଦେହ ସୃଷ୍ଟି କରୁଛି । ଏହି ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି, ୧୯୮୬ ଓ ୨୦୧୪ରେ କିଛି ମାସ ପାଇଁ ମାନସିକ ରୋଗର ଶିକାର ହୋଇଥିବା କହିଥିଲା ଗୋପାଳ ।