କରୋନାକୁ ମୁକାବିଲା କରିବ ଭାରତର ପ୍ରାକୃତିକ ସୁରକ୍ଷା କବଚ! ଜାଣନ୍ତୁ କାହିଁକି ସହଜରେ ଭାରତରେ ବ୍ୟାପିବ ନାହିଁ କରୋନା ଭାଇରସ?

3,793

କନକ ବ୍ୟୁରୋ : ଭାରତ ପାଇଁ କେତେ ବିପଦ ସୃଷ୍ଟି କରିପାରେ କରୋନା ଭୂତାଣୁ । ବିଶେଷଜ୍ଞଙ୍କ କହିବା ହେଲା ଭାରତୀୟ ପାଣିପାଗ ଅପେକ୍ଷାକୃତ ଉଷ୍ମ ଓ ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ରହୁଥିବାରୁ ଏହା କରୋନା ଭାଇରସକୁ ବ୍ୟାପିବାରେ ସହାୟକ ହେବନାହିଁ ।

ଭୟାବହ କରୋନା ଭୂତାଣୁ ସାରା ବିଶ୍ୱରେ ୩ ହଜାରରୁ ଅଧିକ ଜୀବନ ନେବା ପରେ ଭାରତ ଚିନ୍ତିତ ହେବା ଉଚିତ କି? ଏପରିକି ଆମ ଦେଶରେ ମଧ୍ୟ ୫ ଜଣ କରୋନା ଭୂତାଣୁରେ ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଥିବାରୁ ଏହି କଥାର ଗୁରୁତ୍ୱ ବଢିଯାଇଛି । ହେଲେ ବିଶେଷଜ୍ଞଙ୍କ କହିବା ହେଲା- ଭାରତ ନିକଟରେ କରୋନା ମୁକାବିଲା ପାଇଁ ଅଛି ଏକ ପ୍ରାକୃତିକ ସୁରକ୍ଷା କବଚ । ଆଉ ଏହି ସୁରକ୍ଷା କବଚ ରହିଛି ଆମ ପରିବେଶରେ । ବିଶେଷଜ୍ଞଙ୍କ କହିବା ହେଲା ଭାରତୀୟ ପାଣିପାଗରେ ଥିବା ଆପେକ୍ଷିକ ନିରାପତା ଆମକୁ କରୋନା ଭାଇରସରୁ ରକ୍ଷା କରିପାରିବ ।

ବିଶେଷଜ୍ଞଙ୍କ ଯୁକ୍ତି ଭାରତୀୟ ପାଣିପାଗ ଅପେକ୍ଷାକୃତ ଉଷ୍ମ ଓ ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ରହୁଥିବାରୁ ଏହା କରୋନା ଭାଇରସକୁ ବ୍ୟାପିବାରେ ସହାୟକ ହେବନାହିଁ । ସେହି କାରଣରୁ ପୂର୍ବରୁ ଇବୋଲା, ସାର୍ସ ଓ ମର୍ସ ଭଳି ଭୂତାଣୁ ସାରା ବିଶ୍ୱରେ ଆତଙ୍କ ଖେଳାଇଥିଲେ ମଧ୍ୟ ଭାରତରେ ସେତେଟା ପ୍ରଭାବ ପକାଇ ପାରିନଥିଲା । ଅର୍ଥାତ ଯେଉଁ ଦେଶଗୁଡିକରେ ଭାଇରସ ବ୍ୟାପିବା ପାଇଁ ଜଳବାୟୁ ଅନୁକୂଳ ରହିଛି, ସେଠାରୁ ଆସିଥିବା ଏକ ଭୂତାଣୁ ଯେତେ ମାରାତ୍ମକ ହୋଇଥିଲେ ମଧ୍ୟ ଭାରତୀୟ ବାୟୁମଣ୍ଡଳରେ ପ୍ରବେଶ କରିବା କ୍ଷଣି ଏଠାକାର ଉଷ୍ମତା ଓ ଆର୍ଦ୍ରତା କାରଣରୁ ତାର ଘାତକତା ହରାଇଥାଏ । ପୂର୍ବରୁ ସାର୍ସ ଓ ମର୍ସ ଭଳି କରୋନା ଭୂତାଣୁ ନିମ୍ନ ତାପମାତ୍ରାକୁ ଅଧିକ ପସନ୍ଦ କରିଥିଲେ । ଫଳରେ ଜାପାନ ଓ ଦକ୍ଷିଣ କୋରିଆ ଭଳି ଶୀତଳ ଓ କମ୍ ଆର୍ଦ୍ରତାପୂର୍ଣ୍ଣ ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡିକରେ ଏଗୁଡିକ ଶୀଘ୍ର ବିସ୍ତାର କରିଥିଲା । ଏବେ ନୋଭାଲ କରୋନା ଭାଇରସ ବା ଏନସିଓଭର ଭୌଗଳିକ ବିସ୍ତାର ଦର୍ଶାଉଛି ଯେ, ଏହା ଶୀତଳ ଜଳବାୟୁରେ ସୀମିତ ରହିଛି ।

ଯଦିଓ ବିଶେଷଜ୍ଞମାନେ ଭାରତୀୟ ଜଳବାୟୁକୁ ଏକ ସୁରକ୍ଷା କବଚ ବୋଲି କହିଛନ୍ତି, କିନ୍ତୁ କରୋନା ଭାଇରସର ନୀରବ ସଂକ୍ରମଣକୁ ମଧ୍ୟ ଏଡାଇ ଯାଇ ନାହାନ୍ତି । ଅର୍ଥାତ ଅଜ୍ଞାତ ଉପାୟରେ ରୋଗର ସଂକ୍ରମଣ ହୋଇପାରେ ଓ ବିପର୍ଯ୍ୟୟର କାରଣ ପାଲଟିପାରେ । ହେଲେ ଭେଷଜ ବିଶେଷଜ୍ଞଙ୍କ ଆଉ ଏକ ବଡ ଭାଗର ଯୁକ୍ତି ହେଲା, ଭାରତରେ କରୋନା ଭାଇରସ ବ୍ୟାପକ ହେଲେ ଚିନ୍ତାଜନକ ହୋଇପାରେ । କାରଣ
– ଭାରତରେ ଜନସଂଖ୍ୟାର ଘନତ୍ୱ ଅଧିକ
– ପ୍ରତି ବର୍ଗକିଲୋମିଟରରେ ୪୨୦
– ବ୍ୟାପକ ସ୍ୱାସ୍ଥ୍ୟ ସେବାର ଅଭାବ ରହିଛି
– ଲୋକଙ୍କ ଆଭ୍ୟନ୍ତରୀଣ ସ୍ଥାନାନ୍ତର ଅଧିକ
– ନିମୋନିଆ ରୋଗୀଙ୍କ ସଂଖ୍ୟା ଅଧିକ

ଭାରତଠାରୁ ଚୀନର ଜନସଂଖ୍ୟା ଅଧିକ । ହେଲେ ଚୀନରେ ପ୍ରତି ବର୍ଗକିଲୋମିଟରରେ ୧୪୮ ଲୋକ ରହୁଥିବାବେଳେ ଭାରତରେ ଏହି ସଂଖ୍ୟା ୪୨୦ । ସେହିପରି ଏଠାରେ ପ୍ରାୟ ୪୫ କୋଟି ଲୋକ କର୍ମ ସନ୍ଧାନ କିମ୍ବା ଅନ୍ୟାନ୍ୟ କାରଣରୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି । ତେଣୁ କରୋନା ବ୍ୟାପିଲେ ଏହାକ ମୁକାବିଲା କରିବା ମୁସ୍କିଲ ହୋଇପାରେ ।