କନକ ବ୍ୟୁରୋ: ଭାରତରେ ସାଧାରଣତଃ ଯେତେବେଳେ ବାହାଘର ପ୍ରସ୍ତାବ ପଡେ ସେତେବେଳେ ପୁଅ ତୁଳନାରେ କମ୍ ବୟସର ଝିଅ ଖୋଜିଥାନ୍ତି ପରିବାର । ଏବେ କିନ୍ତୁ ସମୟ ବଦଳିଛି । ବିବାହ ପାଇଁ ବୟସର ବ୍ୟବଧାନ କମୁଛି । ଏପରିକି ନିଜଠାରୁ ବୟସରେ ସାନ ପୁଅକୁ ବିବାହ କରି, ସୁଖରେ ଅଛନ୍ତି ଅନେକ ଝିଅ । କିନ୍ତୁ ଏକ ଗବେଷଣାରୁ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି । ଯେଉଁଥିରେ କୁହାଯାଇଛି, ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ବରର ବୟସ ଅଧିକ ହୋଇଥିଲେ ଭଲ ।

Advertisment
  • ବିବାହରେ ବୟସର ବ୍ୟବଧାନ
  • ବର ବଡ ହେବା କେତେ ଜରୁରୀ?

ବିବାହ ଏକ ସାମାଜିକ ବନ୍ଧନ । ପତି-ପତ୍ନୀଙ୍କୁ ଏକାଠି ଘର ସଂସାର କରିବାର ସାମାଜିକ ସ୍ୱୀକୃତି । ନବଦମ୍ପତି ଯୋଡି ପାଇଁ ପୁରାତନ କାଳରୁ ଚାଲିଆସୁଛି ସ୍ତ୍ରୀ ଠାରୁ ସ୍ୱାମୀ ବୟସରେ ବଡ ହେବା ଜରୁରୀ । ଭାରତରେ ପୁଅକୁ ତାଠୁ ଅତିକମରେ ୫ ବର୍ଷ ସାନ ଝିଅ ସହ ବିବାହ କରିବାର ପରମ୍ପରା ରହିଛି । କିନ୍ତୁ ଏବେ ସମୟ ବଦଳୁଛି, ପତି ଓ ପତ୍ନୀ ମଧ୍ୟରେ ବୟସର ବ୍ୟବଧାନ କମିବାରେ ଲାଗିଛି । ଏପରିକି କିଛି ଝିଅ ନିଜଠୁ କମ ବୟସ ପୁଅକୁ ବାହାହୋଇ ସୁଖର ସଂସାର ମଧ୍ୟ କରିଛନ୍ତି । ଏବେ ପତି-ପତ୍ନୀ ମଧ୍ୟରେ ବୟସର ବ୍ୟବଧାନକୁ ଏକ ସଂଖ୍ୟାର ଖେଳ ଓ ସାମାଜିକ କୁପ୍ରଥା ବୋଲି ମଜାକ ଉଡାଉଛନ୍ତି ଆଧୁନିକ ଯୁବ ପୀଢି । ହେଲେ ଗବେଷଣାରୁ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି ।

ବର ବଡ ହେବା କାହିଁକି ଜରୁରୀ ?

  • ଗବେଷଣା ଅନୁସାରେ ପତି-ପତ୍ନୀ ମଧ୍ୟରେ ବୟସ ବ୍ୟବଧାନ ୪/୫ ବର୍ଷ ରହିବା ଉଚିତ
  • ପତିଠାରୁ ପତ୍ନୀ ବୟସରେ ସାନ ରହିବା ଜରୁରୀ
  • ପତିଠୁ ପତ୍ନୀ ୫ ବର୍ଷ ସାନ ଥିଲେ ବୈବାହିକ ଜୀବନ ସୁଖୀ ହୁଏ
  • ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ୮ ବର୍ଷ ବୟସର ବ୍ୟବଧାନ ହେଲେ ଅଧିକ ଝଗଡା ସମ୍ଭାବନା
  • ୮ ବର୍ଷର ବ୍ୟବଧାନ ରହିଲେ ବିବାହ ବିଚ୍ଛେଦ ଆଶଙ୍କା
  • ୧୦ ବର୍ଷର ବ୍ୟବଧାନ ରହିଲେ ବୁଝାମଣା ଅଭାବ ଦେଖାଦିଏ
  • ପିଲାଙ୍କ ସହ ସଂପର୍କ ଦୃଢ କରିବାରେ ସମସ୍ୟା ସୃଷ୍ଟି ହୁଏ

ଭାରତୀୟ ସଂସ୍କୃତିର ବୈବାହିକ ପରମ୍ପରାରେ ବରର ବୟସ ଅଧିକ ରହିବା ଉପରେ ସବୁବେଳେ ଗୁରୁତ୍ୱ ଦିଆଯାଇଛି । ଆଉ ଏହି ବୟସ ବ୍ୟବଧାନ ପଛରେ ବିଜ୍ଞାନ ସମ୍ମତ କାରଣ ଥିବା ଗବେଷଣାରୁ ଜଣାପଡିଛି । ବିଜ୍ଞାନ ଅନୁସାରେ...

  • ଝିଅମାନେ ୧୦ରୁ ୧୪ ବର୍ଷରେ ପ୍ରାପ୍ତ ବୟସ୍କ ହୁଅନ୍ତି
  • ପୁଅମାନେ ୧୨ରୁ ୧୬ବର୍ଷରେ ପ୍ରାପ୍ତ ବୟସ୍କ ହୁଅନ୍ତି
  • ହରମୋନାଲ ପରିବର୍ତନ ଯୋଗୁଁ ଝିଅମାନେ ଶୀଘ୍ର ବୟସ୍କ ଦେଖାଯାନ୍ତି
  • ପୁଅଙ୍କ ଉପରେ ଶୀଘ୍ର ବୟସର ଛାପ ପଡେ ନାହିଁ

ତେଣୁ ସମ ବୟସ୍କ କିମ୍ବା ବୟସରେ ବଡ ଝିଅ ସହ ବିବାହ ହେଲେ ଦାମ୍ପତ୍ୟ ଜୀବନରେ ଏହାର କୁପ୍ରଭାବ ପଡିବା ଆଶଙ୍କା ରହିଛି । ତେବେ ବୟସରେ ତାରତମ୍ୟ ଅର୍ଥାତ ସ୍ୱାମୀ ସାନ ସ୍ତ୍ରୀ ବୟସରେ ବଡ । ଏଭଳି ଦମ୍ପତିଙ୍କ କ୍ଷେତ୍ରରେ ବୟସ ଅନ୍ତର ଯୋଗୁଁ ସ୍ୱାସ୍ଥ୍ୟଗତ ସମସ୍ୟା, ଯଥା ସନ୍ତାନ ପ୍ରସବରେ ସମସ୍ୟା, ମାନସିକ ତାଳମେଳର ଅଭାବ ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ତେବେ କଥାବାର୍ତ୍ତା ଦ୍ୱାରା ନିଜ ସମସ୍ୟାକୁ ଦୂରେଇ ଦେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ମନସ୍ତତ୍ୱବିତ୍ ।