କନକ ବ୍ୟୁରୋ: ଯିଏ ଦିନେ କେନ୍ଦ୍ରାପଡ଼ା ସହରରେ ରିକ୍ସ୍ା ଚଲାଉଥିଲା, ସେ କେମିତି ଏତେ ବଡ଼ ଗ୍ୟାଙ୍ଗଷ୍ଟର ପାଲଟିଗଲା? ଏ କାହାଣୀ ଯେତିକି ରୋମାଞ୍ଚକର, ସେତିକି ଭୟାନକ । ୮୦ ଦଶକରେ ହାଇଦର ରିକ୍ସା ଟାଣି ପରିବାର ପୋଷୁଥିଲା । ହେଲେ ୯୦ ଦଶକରେ ତା’ର ଅପରାଧର ସାମ୍ରାଜ୍ୟ ଲମ୍ବି ଚାଲିଥିଲା । ବଲିଉଡ ଫିଲ୍ମର କାହାଣୀ ଭଳି ଅପରାଧ ଜଗତରେ ପାଦ ଦେଇଥିଲା ହାଇଦର ।
କୁହାଯାଏ, କେନ୍ଦ୍ରାପଡ଼ାର ଜଣେ ପ୍ରଭାବଶାଳୀ ନେତାଙ୍କୁ ରିକ୍ସାରେ ନେବା ଆଣିବା କରୁଥିଲା ହାଇଦର । ପ୍ରଥମେ ଛୋଟ ଛୋଟ କ୍ରାଇମ କରୁଥିଲା ଆଉ ସେହି ନେତାଙ୍କ ପ୍ରଭାବରେ ପୋଲିସର ହାତ ହାଇଦର ନିକଟରେ ପହଁଚି ପାରୁନଥିଲା । ଏହାପରେ ହାଇଦରର କ୍ରାଇମ ସିଣ୍ଡିକେଟ୍ ମଜବୁତ ହେବାରେ ଲାଗିଲା । ସଂପୃକ୍ତ ନେତା ମଧ୍ୟ ହାଇଦରକୁ ହାତବାରିସୀ କରି ନିଜ ସ୍ୱାର୍ଥ ସାଧନ କରୁଥିଲେ ।
ନବେ ଦଶକରେ କେନ୍ଦ୍ରାପଡ଼ାରେ ଆତଙ୍କ ଖେଳାଇଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀ ଛୋଟମୋଟ ଚୋରି କରି ଅପରାଧ ଦୁନିଆରେ ପାଦ ଦେଇଥିଲା । ପ୍ରଥମେ ଏକୁଟିଆ କ୍ରାଇମ୍ ଘଟାଇବା ପରେ ଗ୍ୟାଙ୍ଗ ତିଆରି କରି ପାଲଟି ଯାଇଥିଲା ଦୁର୍ଦ୍ଦାନ୍ତ ଅପରାଧୀ । ମାତ୍ର ୧୬ ବର୍ଷ ବୟସରେ ପଡିଶା ଘର ସହ ଗଣ୍ଡଗୋଳ କରି ପ୍ରଥମେ ଗିରଫ ହୋଇଥିଲା ।
ନବେ ଦଶକରେ କେନ୍ଦ୍ରପଡ଼ା ଗୋବରୀ ନଈରେ ହେଉଥିବା ବାଉଁଶ ପୋଲ ଓ ସେଥିରୁ ଆଦାୟ ହେଉଥିବା ଟଙ୍କାକୁ ନେଇ ଗଣ୍ଡଗୋଳ ହୋଇଥିଲା । ସେହି ଗଣ୍ଡଗୋଳରୁ କେନ୍ଦ୍ରାପଡାରେ ଗଢ଼ି ଉଠିଥିଲା ଗ୍ୟାଙ୍ଗ । ସେହି ସମୟରେ ଏହି ପୋଲ ରବିନ ବେହେରା ନାମକ ଜଣେ ଅପରାଧୀ ନିୟନ୍ତ୍ରଣରେ ରହୁଥିଲା । ସେ ଏକ ମର୍ଡର କେସରେ ଫସି ଜେଲ ଯାଇଥିଲା । ଜେଲରୁ ଫେରିବା ପରେ ସୟଦ ଉସମାନ ଅଲ୍ଲୀ ଓରଫ ଟିଟୋ, ରବିନ ସହିତ ମିଶିଥିଲା ।
ତାପରେ ରବିନ-ଟିଟୋ- ସୋଲେମାନ ମିଶି ଗ୍ୟାଙ୍ଗ ଗଢ଼ିଥିଲେ । ୧୯୮୯ରେ ଡକାୟତି ଟଙ୍କା ଭାଗବଣ୍ଟକୁ ନେଇ ଟିଟୋ ଓ ରବିନ ଭିତରେ ଗଣ୍ଡଗୋଳ ହୋଇଥିଲା । ୧୯୯୧ରେ ହାଇଦର ସହ ମିଶିଥିଲେ ରବିନର ସହଯୋଗୀ ବଣୁଆ ଓ ବାବୁ ସମେତ ଆଉ କିଛି ଅପରାଧୀ । ଏକାଠି ହେବାର କିଛିି ଦିନ ପରେ ହାଇଦର, ବଣୁଆ, ବାବୁ ମିଶି କୋର୍ଟ ପରିସରରେ ବୋମା ଓ ଗୁଳିମାଡ କରି ବୁଲା ସେଠୀକୁ ହତ୍ୟା କରିଥିଲେ ।
ବୁଲା ସେଠୀକୁ ହତ୍ୟା କରିବା ପରେ ହାଇଦରର ଅପରାଧ ସାମ୍ରାଜ୍ୟ ବଢ଼ି ବଢ଼ି ଚାଲିଥିଲା । ଧିରେଧିରେ ହାଇଦରର ଅପରାଧ ନେଟୱାର୍କ ସାରା ରଜ୍ୟରେ ଗଢ଼ି ଉଠିଥିଲା । କେତେବେଳେ ଟିଟୋ-ସୁଲେମାନଙ୍କ ସହ ମିଶି ହାଇଦର କ୍ରାଇମ କରୁଥିଲା ତ କେତେବେଳେ ପରସ୍ପର ଭିତରେ ଏପରି ଗ୍ୟାଙ୍ଗୱାର କରୁଥିଲେ ଯେ, କେନ୍ଦ୍ରାପଡ଼ାର ଏହି କ୍ରାଇମ ସାରା ରାଜ୍ୟରେ ଆତଙ୍କ ଖେଳାଇ ଦେଉଥିଲା । ୧୯୯୬ ବେଳକୁ କେନ୍ଦ୍ରାପଡାର ଗ୍ୟାଙ୍ଗୱାର ଶୀର୍ଷରେ ପହଁଚିଥିଲା । ଏହି ବର୍ଷ କେନ୍ଦ୍ରାପଡ଼ାରେ ତାକୁ ପୁଲିସ ଏନକାଉଣ୍ଟର କରିଥିଲା । ଗୁଳି ବାଜିବା ପରେ ହାଇଦରକୁ ଗିରଫ କରିଥିଲା ପୋଲିସ । ଜେଲରୁ ଆସିବା ପରେ ଅପରାଧ ସାମ୍ରାଜ୍ୟକୁ ଆହୁରି ବଢ଼ାଇ ଦେଇଥିଲା ହାଇଦର । ଟେଣ୍ଡର ଫିକ୍ସିଂ, ହତ୍ୟା, ରାହାଜାନୀ, ଅପହରଣ କରି ଖେଳାଇ ଦେଇଥିଲେ ଆତଙ୍କ ଆଉ ବନି ଯାଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ।