ହାଇଦର ହାତରେ ହାତକଡି ପକାଇଲା ପୋଲିସ । ହେଲେ ଏବେ ବି ପ୍ରଶ୍ନ ଘେରରେ ହାଇଦର ଫେରାର୍ ହେବା ଘଟଣା ।

125

କନକ ବ୍ୟୁରୋ: ଶେଷରେ ହାଇଦର ହାତରେ ହାତକଡି ପଡିଛି ଆଉ ପୁଲିସକୁ ଆଶ୍ୱସ୍ତି ମିଳିଛି । କିନ୍ତୁ ଏହି କୁଖ୍ୟାତ ଅପରାଧୀକୁ ନେଇ ଯେଉଁ ଘଟଣା ଘଟିଲା ତାହା ଅନେକ ପ୍ରଶ୍ନ ସୃଷ୍ଟି କରୁଛି, ଯାହାର ଉତ୍ତର ମିଳିବା ନିହାତି ଆବଶ୍ୟକ । କମିଶନରେଟ ପୁଲିସର ଏହି ସଫଳତାକୁ ଲୋକେ ପ୍ରଶଂସା କରୁଛନ୍ତି । କିନ୍ତୁ ସିଷ୍ଟମ ବା ବ୍ୟବସ୍ଥାରେ ଯେଉଁ ତ୍ରୁଟି ରହିଛି ତାହା ଜଳ ଜଳ କରି ଦେଖାଗଲାଣି ।

ପ୍ରଶ୍ନ ନଂ-୧
ହାଇଦରକୁ କଣ ରୋଗ ଥିଲା ଏବଂ କଟକ ଆଣିବା କାହିଁକି ଜରୁରୀ ହୋଇପଡିଲା ? ଏହି ପ୍ରଶ୍ନର ଉତ୍ତର ମିଳିବା ଏକାନ୍ତ ଆବଶ୍ୟକ । ନା ବୁର୍ଲା ହସପିଟାଲ ରେଫର କରିଥିଲା ନା ଏସସିବିର ଅଧୀକ୍ଷକ ଏ ବିଷୟରେ ଜାଣିଥିଲେ । ତେଣୁ ଏହା ଏକ ରହସ୍ୟ ହୋଇ ରହିଛି ।

ପ୍ରଶ୍ନ ନଂ-୨
ହାଇଦର ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀ କେମିତି ହାଇଦରଠାରୁ ବିରିୟାନୀ ଖାଇଲେ ଓ ଅଚେତ ହୋଇପଡିଲେ? ହାଇଦରଠାରୁ ବିରିୟାନୀ ଖାଇ ପୁଲିସ ସୁରକ୍ଷାକର୍ମୀ ଅଚେତ ହୋଇପଡିଲେ । ଏ କଥାକୁ ଅନେକ ହଜମ କରିପାରୁନାହାନ୍ତି ।

ପ୍ରଶ୍ନ ନଂ-୩
କଟକ ମେଡିକାଲରୁ ଫେରାର ହେବାର ସୂଚନା ଏତେ ବିଳମ୍ବରେ ଅର୍ଥାତ ୩ ଘଂଟା ପରେ କାହିଁକି ପୁଲିସକୁ ମିଳିଲା ? ଏସସିବି ମେଡିକାଲ କଲେଜ ଭଳି ଏକ ଜଣାଶୁଣା ସ୍ଥାନରୁ ଫେରାର ହେବାର ଖବର କାହିଁକି ଏତେ ବିଳମ୍ବ ହେଲା ତାହା ବୁଝାପଡୁନାହିଁ । ଏହା ପଛରେ କୌଣସି ରହସ୍ୟ ରହିଛି କି ।

ପ୍ରଶ୍ନ ନଂ-୪
ହାଇଦର ମାମଲାରେ ଅଟକ ୮ ଜଣ ସହାୟକଙ୍କ ଭୂମିକା କଣ ଥିଲା? ହାଇଦର ଫେରାର ମାମଲାରେ ୮ ଜଣଙ୍କୁ ଅଟକ ରଖିଛି ପୁଲିସ । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ଏମାନେ କିଏ ଓ ଏମାନଙ୍କ ଭୂମିକା କଣ ଥିଲା ତାହା ଆଗକୁ ପୁଲିସ ସ୍ପଷ୍ଟ କରିପାରେ ।