ଗୋଡ ଅପରେସନ ହୋଇଥିଲା, ଥାନା ପାଚେରୀ ଡେଇଁ କେମିତି ଗଲେ ଗୋବିନ୍ଦ? ଥାନାରୁ ଫେରାର କରାଇବା ପଛରେ ରହିଛି କାହାର ହାତ?

250

କନକ ବ୍ୟୁରୋ : ମହାଲିଙ୍ଗ ସ୍ଥିତ ଷ୍ଟାଡିୟମରୁ ମିଳିଲା ଗଳିତ ମୃତଦେହ । ତେବେ ମୃତଦେହଟି ନିଖୋଜ ମମିତା ମେହେରଙ୍କର ନା ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ଷ୍ଟାଡିୟମ ପରିସରରେ ମାଟି ଖୋଳିବା ପରେ ଦଗଧ ମୃତଦେହ ଉଦ୍ଧାର କରାଯାଇଛି । ଦୁର୍ଗନ୍ଧ ବାହାରୁଥିବାରୁ ଗଳିତ ମୃତଦେହଟି ଅନେକ ଦିନ ତଳର ବୋଲି କୁହାଯାଉଛି । ମାଟୁ ତଳୁ କୌଣସି ହାଡଖଣ୍ଡ ମିଳିନଥିବା ବେଳେ କିଛି ପୋଡା ଟାୟାର ଓ କାଠଖଣ୍ଡ ଜବତ କରାଯାଇଛି । ଏହାସହ ପାଉଁଜି ଓ ହାର ମିଳିଥିବା ଜଣାପଡିଛି । ପରିବାର ଲୋକ ଚିହ୍ନଟ କରିବା ପରେ ମୃତଦେହ କାହାର ତାହା ସ୍ପଷ୍ଟ ହେବ ।

ଅନ୍ୟପଟେ ମମିତା ନିଖୋଜ ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ସନସାଇନ ସ୍କୁଲର ମାଲିକ ଗୋବିନ୍ଦ ସାହ ଥାନାରୁ ଫେରାର ହେବା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ଗୋବିନ୍ଦ ସାହୁଙ୍କ ବୟସ ୫୦ ବର୍ଷରୁ ଅଧିକ ହୋଇଥିବା ବେଳେ ଗୋଡରେ ଅପରେସନ ହୋଇଥିବା ନେଇ ସ୍ଥାନୀୟ ଲୋକ କହିଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ଗୋବିନ୍ଦ ସାହୁ ପୋଲିସକୁ ଚକମା ଦେଇ ଥାନା ପାଚେରୀ ଡେଇଁ କିଭଳି ଯାଇପାରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମମିତାଙ୍କୁ ଅପହରଣ ଘଟଣାରେ ଗୋବିନ୍ଦଙ୍କ ହାତ ଥିବା ସନ୍ଦେହ କରି ୧୪ ତାରିଖରେ ଉଠାଇ ଆଣିଥିଲା ପୋଲିସ । ୧୭ ତାରିଖ ଯାଏଁ ଟିିଟିଲାଗଡ ଥାନାରେ ଥିଲେ ମହାଲିଙ୍ଗ ସନସାଇନ୍ ସ୍କୁଲର ମାଲିକ ଗୋବିନ୍ଦ ସାହୁ । ଆଉ ୧୮ ତାରିଖ ହଠାତ୍ ସକାଳୁ ଖବର ଆସିଲା ଥାନାରୁ ଚମ୍ପଟ ମାରିଛନ୍ତି ଅଭିଯୁକ୍ତ ଗୋବିନ୍ଦ ସାହୁ । ଆଉ ଏହାକୁ ନେଇ ଯେତେବେଳେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଲା ସେତେବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ପୋଲିସର ସନ୍ଧାନୀ କୁକୁର ପ୍ରଥମେ ବାରାକ ଡେଇଁ ଦୁଇଟି ବାଡ ଡେଇଁ ଥାନା ପଛପଟେ ଥିବା ରେଲୱେ ଲାଇନ ଯାଏଁ ଯାଇ ଫେରାର ହୋଇଥିଲା । ଆଉ ସନ୍ଧାନୀ କୁକୁରର ଏଭଳି ହାବଭାବ ସଂକେତ ଦେଉଥିଲା ଯେ, ରେଲୱେ ଲାଇନ ଦେଇ ଫେରାର ହୋଇଯାଇଥିଲେ ଗୋବିନ୍ଦ । ଏପରିକି ସ୍ଥାନୀୟ ଲୋକ ମଧ୍ୟ କହିଛନ୍ତି ଯେ, ଗୋବିନ୍ଦ ସାହୁ ଫେରାର ହେବା ଦିନ ରେଲୱେ ଲାଇନକୁ ଏକ ବାଇକ ଆସିଥିଲା । ବାଇକରେ ଗୋବିନ୍ଦ ସାହୁଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି ବସି ଚାଲି ଯାଇଥିଲେ । କିନ୍ତୁ ସେହି ସମୟରେ ବିଦ୍ୟୁତ୍ କାଟ ହୋଇଥିବାରୁ ଗୋବିନ୍ଦ ସାହୁଙ୍କୁ ସ୍ପଷ୍ଟ ଭାବେ ଦେଖିପାରିନଥିଲେ । କିନ୍ତୁ ସବୁଠୁ ବଡ କଥା ହେଉଛି ଠିକ୍ ସେହି ସମୟରେ ବିଦ୍ୟୁତ୍ କାଟ କାହିଁକି ହୋଇଥିଲା । ନା ଜାଣିଶୁଣି ଯୋଜନାବଦ୍ଧ ଭାବେ ଗୋବିନ୍ଦ ସାହୁଙ୍କୁ ଥାନାରେ ଫେରାର କରାଯାଇଛି ।

ମମିତା ନିଖୋଜ ହେବା ପରଠାରୁ ଏବେ ଯାଏଁ କଣ ରହିଛି ପୂରା ଘଟଣା ଥରେ ନଜର ପକାନ୍ତୁ…
– ୮ ତାରିଖରେ ଜରୁରୀ କାଗଜପତ୍ର ଧରି ସ୍କୁଲକୁ ଆସିବା ପାଇଁ ମମିତାଙ୍କୁ କହିଥିଲେ ମାଲିକ ଗୋବିନ୍ଦ ସାହୁ
– ୧୨ ତାରିଖରେ ଝିଅ ନିଖୋଜ ନେଇ କେ ଗାଁ ଥାନାରେ ଅଭିଯୋଗ କରିଥିଲେ ମମିତାଙ୍କ ପରିବାର
– ଅପହରଣ ପଛରେ ଗୋବିନ୍ଦଙ୍କ ହାତ ଥିବା ସନ୍ଦେହ କରି ୧୪ ତାରିଖରେ ଉଠାଇ ଆଣିଥିଲା ପୋଲିସ
– ୧୭ ତାରିଖ ଯାଏଁ ଟିିଟିଲାଗଡ ଥାନାରେ ଥିଲେ ମହାଲିଙ୍ଗ ସନସାଇନ୍ ସ୍କୁଲର ମାଲିକ ଗୋବିନ୍ଦ ସାହୁ
– ୧୭ ତାରିଖ ହଠାତ୍ ସକାଳୁ ଖବର ଆସିଲା ଥାନାରୁ ଚମ୍ପଟ ମାରିଛନ୍ତି ଅଭିଯୁକ୍ତ ଗୋବିନ୍ଦ ସାହୁ
– ସୋମବାର ଏହି ଖବରକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଜୋରଦାର ଆକ୍ରମଣ କଲେ ବିରୋଧୀ
– ଆଜି ସକାଳୁ ଖବର ଆସିଲା ସନସାଇନ୍ ସ୍କୁଲ ନିକଟ ଷ୍ଟାଡିୟମକୁ ସିଲ୍ କରି ମାଟି ଖୋଳୁଛି ପୋଲିସ
– ଷ୍ଟାଡିୟମରୁ ଗଳିତ ମୃତଦେହ ଉଦ୍ଧାର କରାଯାଇଛି
– ମାଟିତଳୁ ପାଉଁଜି ଓ କାଠଖଣ୍ଡ ଜବତ ହୋଇଛି, କୌଣସି ହାଡଖଣ୍ଡ ମିଳିନି

ଅନ୍ୟପଟେ ଗୋବିନ୍ଦ ସାହୁ ସବୁ ସମୟରେ ପାୱାର କରିଡରରେ ଥିବା ବ୍ୟକ୍ତିଙ୍କ ସହ ମିଳାମିଶା କରୁଥିଲେ । ଅଫିସର ଠାରୁ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହ ଥିଲା ମିଳାମିଶା । କଲେଜ ଓ ସ୍କୁଲ କାର୍ଯ୍ୟକ୍ରମ ଗୁଡିକୁ ଆସୁଥିଲେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଏପରିକି ମନ୍ତ୍ରୀମାନେ ହେଲିକପ୍ଟରରେ ଯାଇ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେଉଥିବା କଥା ସାମ୍ନାକୁ ଆସୁଛି । ଏପରିକି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବେଶ ଦମଦାର ବକ୍ତବ୍ୟ ବି ରଖୁଥିଲେ । ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଗୋବିନ୍ଦ ସାହୁ ଘନିଷ୍ଠତା ଥିଲା । ପୂର୍ବର କିଛି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସ୍କୁଲ ମାଲିକଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । କେବଳ ଏତିକି ନୁହେଁ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ସ୍କୁଲ ଓ କଲେଜ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସୂଚନା ମିଳିଛି । ଏହାସହ ସେ ଆହୁରି ବଡବଡିଆ ଲୋକଙ୍କ ସହ ବି ସମ୍ପର୍କରେ ରହିଥିଲେ । ୨୦୧୪ ମସିହାରେ ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗୋବିନ୍ଦ ସାହୁଙ୍କର ସମ୍ପୃକ୍ତି ଥିଲା । ଘଟଣାର କ୍ରାଇମବ୍ରାଂଚ ତଦନ୍ତ ହୋଇଥିଲା କିନ୍ତୁ ଫଳାଫଳ କିଛି ଆସିନଥିଲା । ଏହି ବ୍ୟକ୍ତିଙ୍କ ସହ ବହୁ ପଲିଟିକାଲ ଲିଙ୍କ ରହିଥିଲା । ଫଳରେ ସରକାରଙ୍କ ଏମପି, ଏମଏଲଏ ଅନୁଦାନ ଓ ସରକାରୀ ଅନୁଦାନ ସ୍କୁଲ ଓ କଲେଜରେ ଖର୍ଚ୍ଚ କରାଯାଉଥିଲା । ଅନେକ ସମୟରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏଠାକୁ ଆସୁଥିଲେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ଏହାବାଦ୍ ମମିତା ନିଖୋଜ ଘଟଣାରେ ଫୋନ କଲରେ ଗୃୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ନେଇ ଗୋବିନ୍ଦ ସାହୁ ଓ ମମିତାଙ୍କ ସର୍ମ୍ପକୀୟ କଥାବାର୍ତା ହେଉଥିବାର ଏକ ଅଡିଓ ଭାଇରାଲ ହୋଇଛି । ମନ୍ତ୍ରୀ ଫୋନ ଉଠାଉ ନାହାନ୍ତି ଏବଂ ସେ ଭବାନୀପାଟଣାରେ ଅଛନ୍ତି କି ନାହିଁ ସେ ଜାଣିନାହାନ୍ତି । ତେବେ ଘଟଣା ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଛି । ସେ ଝିଅକୁ ଖୋଜି ବାହାର କରିବା ପାଇଁ ରାଜ୍ୟସ୍ତରରେ ଚେଷ୍ଟା କରିବେ ବୋଲି କହିଥିଲେ ଗୋବିନ୍ଦ ସାହୁ । ମିଳିଥିବା ସୂଚନା ଅନୁସାରେ ମମିତା ନିଖୋଜ ହେବା ପରେ ଗୋବିନ୍ଦ ସାହୁ ତାଙ୍କ ସମ୍ପର୍କୀୟଙ୍କୁ ଫୋନ କରି ଏଭଳି କିଛି କଥାବାର୍ତା କରିଥିଲେ । ଏବଂ ଝିଅକୁ ଖୋଜି ବାହାର କରିଦେବେ ବୋଲି ମନ୍ତ୍ରୀଙ୍କ ନାଁ ନେଇଥିଲେ । ଆଉ ଗୋବିନ୍ଦ ଏବେ ନିଜେ ଫେରାର ହୋଇଯାଇଛନ୍ତି ।