ସ୍ୱାସ୍ଥ୍ୟସେବାରେ କେତେ ଉତ୍କଷ୍ଟ ଓଡ଼ିଶା? କେଉଁଠି ନାହାନ୍ତି ଡାକ୍ତର ତ ଆଉ କେଉଁଠି ରହିଛି ଭିତିଭୂମିର ଅଭାବ

ସ୍ୱାସ୍ଥ୍ୟସେବାରେ କେତେ ଉତ୍କଷ୍ଟ ଓଡ଼ିଶା? କେଉଁଠି ନାହାନ୍ତି ଡାକ୍ତର ତ ଆଉ କେଉଁଠି ରହିଛି ଭିତିଭୂମିର ଅଭାବ

କନକ ବ୍ୟୁରୋ: ଆଜି ବିଶ୍ୱସ୍ୱାସ୍ଥ୍ୟ ଦିବସ । ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିବାକୁ ସରକାର ଅନେକ ଯୋଜନା କରିଛନ୍ତି । ସରକାରଙ୍କ କହିବା ଅନୁସାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ସାର୍ବଜନୀନ କରାଯାଇଛି । ୨୦୦୫ ଠାରୁ ୨୦୨୦ ମସିହା ମଧ୍ୟରେ ରାଜ୍ୟରେ ଶିଶୁ ମୃତ୍ୟୁ ହାର ସମଗ୍ର ଦେଶରେ ସବୁଠାରୁ ଅଧିକ ହ୍ରାସ ପାଇଛି । ଏପରିକି ଦମନ କାର୍ଯ୍ୟକ୍ରମ ମାଧ୍ୟମରେ ମ୍ୟାଲେରିଆ ନିୟନ୍ତ୍ରଣରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିବା ସରକାର ବିଜ୍ଞାପନ ଦେଇଥିବା ବେଳେ ବାସ୍ତବ ସ୍ଥିତି କ’ଣ ଆସନ୍ତୁ ଦେଖିବା ।

ଗଂଜାମ ଜିଲ୍ଲାର ଆସିକା ଉପଖଣ୍ଡ ମେଡିକାଲ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବେସ ଗୁରୁତ୍ୱ ରଖିଛି । ଆସିକା,ଧରାକୋଟ,ବେଲଗୁଣ୍ଠା,ସୋରଡା,ସେରଗଡ ଓ କବିସୂର୍ଯ୍ୟନଗର ବ୍ଲକର ଲୋକେ ଏହା ଉପରେ ନିର୍ଭର କରିଥାନ୍ତି । ବିଭିନ୍ନ ଗାଁରୁ ପ୍ରତିଦିନ ଏଠାକୁ ରୋଗୀଙ୍କ ସୁଅ ଛୁଟେ । ଏଠାକୁ ଆସୁଥିବା ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କାରଣ ଆସିକା ମେଡିକାଲକୁ ମୋଟ ୧୭ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ଅଛନ୍ତି ମାତ୍ର ୩ ଜଣ ଡାକ୍ତର । ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତର ପଦବୀ ଖାଲିପଡିଛି । ଯାହା ଫଳରେ ଜଣେ ଲେଖାଏ ଡାକ୍ତର ପାଳି କରି ରୋଗୀସେବା କରୁଥିବାରୁ ମେଡିକାଲ ପରିସରରେ ରୋଗୀଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଛି । ଅନେକ ସମୟରେ ଲୋକେ ଦୀର୍ଘ ସମୟ ଧରି ଧାଡିରେ ଛିଡା ହେବା ପରେ ମଧ୍ୟ ସେବା ନପାଇ ଫେରିଯାଉଛନ୍ତି । ଏହି ଦୃଶ୍ୟ ଏବେ ଉତମ ସ୍ୱାସ୍ଥ୍ୟ ସେବାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।

ଗାଁ କଥା ତ ଦୂରରେ ଥାଉ ସହରାଂଚଳରେ ସ୍ୱାସ୍ଥ୍ୟ ଅବସ୍ଥା ନକହିବା ଭଲ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଲଗାତାର ଭାବେ ୩ ଥର କୟାକଳ୍ପରେ ପ୍ରଥମ ପୁରସ୍କାରହାତେଇ ଆସୁଛି । ଡାକ୍ତରଖାନା ପରିବେଶ ସବୁ ଚକାଚକ୍ । ତେବେ ସେବା କଥା ନ କହିବା ଭଲ । କେବଳ ଜଣେ ମାତ୍ର ଶିଶୁ ରୋଗ ବିଶେଷଜ୍ଞରେ ଚାଲିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଏସନସିୟୁ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ସମସ୍ତେ ଜଣେ ଚାଇଲ୍ଡ ସ୍ପେଶାଲିଷ୍ଟ ଉପରେ ନିର୍ଭର କରନ୍ତି । ସେହିପରି ଗାଇନିଂ, ସରଜରିକୁ ମିସାଇ ହାତ ଗଣତି କେତେ ଜଣ ବିଶେଷଜ୍ଞ ରହିଛନ୍ତି ପୁରା ଜିଲ୍ଲାରେ । ଜିଲ୍ଲାରେ ମୋଟ ୨୭୭ ଟି ଡାକ୍ତରି ପଦ ରହିଥିବା ବେଳେ ଅଛନ୍ତି ମାତ୍ର ୧୦୮ । ପାରା ମେଡିକାଲ, ନର୍ସିଂ କଥା ନହିବା ଭଲ । ସେହିପରି ସିଟି ସ୍କାନ ପରି ଜରୁରୀ ସେବା ଏଠାରେ ଆଜି ବି ସାତ ସପନ । ଲୋକେ ଉଚିତ ସ୍ୱାସ୍ଥ୍ୟ ସେବା ପାଇଁ ଆନ୍ଧ୍ର ଉପରେ ନିର୍ଭର କରନ୍ତି ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପଛରେ ପଡ଼ିଥିବା ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ସ୍ଥିତି ସମୟକ୍ରମେ ସଙ୍ଗୀନ୍ ହେବାରେ ଲାଗିଛି । ଅନ୍ଧବିଶ୍ୱାସ ସହ ଚେରମୂଳି ଚିକିତ୍ସା ଉପରେ ଏବେ ମଧ୍ୟ ନିର୍ଭର କରୁଛନ୍ତି ଲୋକେ । ଜିଲ୍ଲାବାସୀଙ୍କ ପାଇଁ ପ୍ରତି ୧୩ହଜାର ଲୋକଙ୍କ ନିମନ୍ତେ ରହିଛନ୍ତି ମାତ୍ର ଜଣେ ଡାକ୍ତର । ଡାକ୍ତରଖାନାରେ ସେବା ଯୋଗାଇ ଦେବାକୁ ଉନ୍ନତ ଉପରକରଣ ନଥିବା ବେଳେ ରକ୍ତ ଅଭାବ ଭଳି ସଙ୍କଟ ସବୁବେଳେ ଲାଗି ରହୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଉମରକୋଟରେ ଉପଖଣ୍ଡ ଡାକ୍ତରଖାନା ରହିଛି । ଏହାବ୍ୟତୀତ ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୪୧ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ରହିଛି । ଆଉ ଏଥିରେ ୧୦୯ଜଣ ଡାକ୍ତରଙ୍କ ଉପରେ ସମ୍ପୂର୍ଣ୍ଣ ଜିଲ୍ଲାର ରୋଗୀ ଭାର ରହିଛି । ଜିଲ୍ଲାରେ ମୋଟ ୬୮ ଜଣ ସ୍ପେସିଆଲଲିଷ୍ଟ ମଧ୍ୟରୁ ୧୫ ଜଣ ରହିଛନ୍ତି । ଗ୍ରାମାଞ୍ଚଳରେ ସ୍ଥିତି ଅଧିକ ଏହା ଠାରୁ ଖରାପ ।

ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା । ସ୍ୱାସ୍ଥ୍ୟ ସେବା ମିଳିବା ଏଠି ସାତସପନ । ଜିଲ୍ଲା ଚିକିତ୍ସାଳୟରେ ବିଶେଷ ଡାକ୍ତରଙ୍କ ଅନୁପସ୍ଥିତି ଏବଂ ଆବଶ୍ୟକ ଅନୁପାତରେ ଡାକ୍ତରଙ୍କ ସମେତ ଷ୍ଟାଫ ଏବଂ ବେଡ୍ ନଥିବାରୁ ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସବୁ ଅସୁବିଧା ପାଇଁ ଲୋକେ ବାଧ୍ୟ ହୋଇ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe