ଏସସିବି ହସ୍ପିଟାଲରୁ ଫେରାର୍ ହେବା ପରେ କେମିତି ଧରାପଡିଲା ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର । ପଢନ୍ତୁ, ପୂରା ଘଟଣାକ୍ରମ…

461

କନକ ବ୍ୟୁରୋ: କଟକ ଏସସିବି ମେଡିକାଲରୁ ହାର୍ଡକ୍ରୋର କ୍ରିମିନାଲ ହାଇଦର ଫେରାର ହେବା ପରେ ଓଡିଶା ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏପରିକି ହାଇଦର ଫେରାର ଷଡଯନ୍ତ୍ର ପଛରେ ବରିଷ୍ଠ ଅଧିକାରୀଙ୍କ ହାତ ଥିବା ଅଭିଯୋଗ ଆଣିଥିଲେ ବିଭିନ୍ନ ରାଜନୈତିକ ଦଳର ନେତା ଓ ପୂର୍ବତନ ପୋଲିସ ଅଧିକାରୀ । ଏହି ଚାପ ଭିତରେ ହାଇଦରକୁ ଧରିବା ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଥିଲା । ସମୟ ଗଡିଚାଲିଥିଲା, କିଏ କହୁଥିଲା ହାଇଦର ବାଂଲାଦେଶ ପଳେଇଛି ତ ଆଉ କିଏ କହୁଥିଲା ନେପାଳ ପଳେଇଛି । ଏସବୁ ଭିତରେ ୬ଟି ସ୍ୱତନ୍ତ୍ର ଟିମ୍ କରି ରାଜ୍ୟ ବାହାରକୁ ତଦନ୍ତ ଚଳାଇଥିଲା କିମିଶନରେଟ୍ ପୋଲିସ । ସେମାନଙ୍କ ମଧ୍ୟରୁ ୨ଟି ଟିମ୍ ତେଲେଙ୍ଗାନା ଯାଇଥିଲା । ଗୋଟିଏ ଟିମର ନେତୃତ୍ୱ ନେଇଥିଲେ ବାଦାମବାଡି ଆଇଆଇସି ରଶ୍ମୀ ମହାପାତ୍ର ।

ହାଇଦରକୁ ଧରିଥିବା ପ୍ରକୃତ ହିରୋ ହେଉଛନ୍ତି ବାଦାମବାଡି ଥାନା ଇନସପେକ୍ଟର ରଶ୍ମୀରଞ୍ଜନ ମହାପାତ୍ର । ଯାହାଙ୍କ ପାଇଁ କମିଶନରେଟ ପୋଲିସ ବଦନାମ ହେବାରୁ ବଂଚିଗଲା । ୧୦୭୫ କିଲୋମିଟର ଦୂରରେ ରହି ପୋଲିସ ଜାଲରୁ ଖସିଯିବାକୁ ଷଡଯନ୍ତ୍ର କରୁଥିବା ଭେଟେରାନ କ୍ରିମିନାଲକୁ ହାତ କଡି ପିନ୍ଧାଇଛନ୍ତି ପୋଲିସ ଅଫିସର ରଶ୍ମୀରଂଜନ ମହାପାତ୍ର ।

ହାଇଦର କେଉଁଠି ଅଛି , କଣ କରୁଛି ତାହା ଜାଣିବା ପାଇଁ ଦିନରାତି ଏକ କରିଦେଇଥିଲା କମିଶନରେଟ୍ ପୋଲିସ । ହାଇଦରର ଫଟୋ ଧରି ଏଗଳିରୁ ସେଗଳି, ଏସହରରୁ ସେ ସହର ଘୁରି ବୁଲୁଥିଲେ ପୋଲିସ ଟିମ୍ । ହେଲେ ହାଇଦରର ପତ୍ତା ମିଳୁନଥିଲା । ଏତିକିବେଳେ ଖବର ଆସିଲା ଏକ କାରରେ ଖସି ଯାଉଛି ହାଇଦର । ଓଡିଶା ନମ୍ବର ପ୍ଲେଟ୍ ଥିବା ଏକ କାରରୁ ସ୍ପଷ୍ଟ ହୋଇଥିଲା ଯେ କାର ଭିତରେ ହାଇଦର ରହିଛି । ଟୋଲଗେଟରୁ ଜଣାପଡିଥିଲା ହାଇଦ୍ରାବାଦରେ ହାଇଦର ଅଚି । ଆଉ ଏହି ସୁରାକକୁ ଆଧାର କରି କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ ପହଁଚି ଯାଇଥିଲେ ହାଇଦ୍ରାବାଦରେ, ଯାହାର ନେତୃତ୍ୱ ନେଉଥିଲେ ଆଇଆଇସି ରଶ୍ମୀରଞ୍ଜନ ମହାପାତ୍ର ।

ସବୁଠୁ ବଡ ଚ୍ୟାଲେଞ୍ଜ ଥିଲା ହାଇଦ୍ରାବାଦ ସହରରୁ ହାଇଧରକୁ ଖୋଜି ବାହାର କରିବା । ଖବର ମିଳିଗଲା, ହାଇଦର ତାର ସମ୍ପର୍କୀୟମାନଙ୍କ ସହିତ ହାଇଦ୍ରାବାଦର ମୁସଲିମ ବହୁଳ ଅଂଚଳରେ ଘୁରି ବୁଲୁଛି । ଚାଲାକ ହାଇଦର ପ୍ରତିଦିନ ନିଜର ଠିକଣା ବଦଳାଉଥିବା ସହ ମୋବାଇଲ ଫୋନ ବ୍ୟବହାର କରୁନଥିଲା । ପୋଲିସର ସନ୍ଦେହୀ ଆଖି ହାଇଦରକୁ ସ୍କାନରରେ ରଖିଥିଲା । ଆଉ ବାହାରକୁ ଖସି ଯିବା ପାଇଁ ସମସ୍ତ ବନ୍ଦୋବସ୍ତ କରି ସାରିଥିଲା ହାଇଦର । ସେଥିପାଇଁ ପ୍ରତିଦିନ ସନ୍ଧ୍ୟାରେ କିଛି ଲୋକଙ୍କ ସହ ମିଶି ମିଟିଂ କରୁଥିଲା । ହାଇଦରକୁ ଧରିବା ପାଇଁ ଚାଲିଥିବା ୧୨୦ ଘଂଟାର ଅପରେସନ ଭିତରେ ୮ଥର ରେଡ୍ କରି ବିଫଳତା ପାଇଥିଲା କମିଶନରେଟ୍ ପୋଲିସ । ହେଲେ ଚକମା ଦେଇ ପାର ମାରୁଥିଲା ଗ୍ୟାଙ୍ଗଷ୍ଟର ।

ହାଇଦର ଉପରେ ଲଗାତାର ନଜର ରଖିଥିବା ପୋଲିସ ଟିମ୍ ସିସିଟିଭି ଫୁଟେଜରୁ ଜାଣିବାକୁ ପାଇଥିଲା କର୍ଣ୍ଣାଟକ ବର୍ଡରରେ ହାଇଦର । ପିଛା କରୁଥିଲା କମିଶନରେଟ୍ ପୋଲିସ ଟିମ୍ । ବାଇକରେ ଆଗେ ଆଗେ ହାଇଦର ଆଉ ପଛେ ପଛେ ପୋଲିସ ଟିମ୍ । ଜଣେ ବ୍ୟକ୍ତି ବାଇକ୍ ଚଲାଉଥିଲା ଆଉ ହାଇଦର ବାଇକ୍ ପଛରେ ବସିଥିଲା । ଏପଟେ ଚାରୋଟି ବାଇକରେ ହାଇଦରର ପିଛା କରୁଥିଲା ପୋଲିସ । ଟିମକୁ ଲିଡ କରୁଥିଲେ ଆଇଆଇସି ରଶ୍ମୀରଞ୍ଜନ । ଆଉ ହାଇଦର ବସିଥିବା ବାଇକକୁ ଚାରିପଟରୁ ଘେରି ଯାଇଥିଲେ ୮ଜଣ ଅଫିସର । ଗନ ପଏଂଟରେ ହାଇଦରକୁ ସରେଣ୍ଡର କରିବା ପାଇଁ କହିଥିଲେ ରଶ୍ମୀରଞ୍ଜନ । ଖସିଯିବାର ଆଉ କୌଣସି ବାଟ ନଥିଲା ହାଇଦର ସାମନାରେ । ଶେଷରେ ହାତ ଟେକି ଦେଇଥିଲା ଏହି ଦୁର୍ଦାନ୍ତ ଅପରାଧୀ ।